Karnataka
ଆଇପିଏସ୍ ଅଫିସର୍ RCBର ଚାକର ଭଳି କାମ କରୁଥିଲେ । ସରକାର ଏ କଥା ହାଇକୋର୍ଟରେ କହିଛନ୍ତି । ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ଆଇପିଏସ୍ ବିକାଶ କୁମାରଙ୍କ ସସ୍ପେନସନ୍ ଯଥାର୍ଥ ବୋଲି ରାଜ୍ୟ ସରକାର କହିଛନ୍ତି ।
ରାଜ୍ୟ ସରକାର ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ୨୦୨୫ ଜୁନ୍ ୪ରେ ଘଟିଥିବା ଦଳାଚକଟା ଘଟଣାରେ କର୍ଣ୍ଣାଟକ ହାଇକୋର୍ଟରେ କହିଛନ୍ତି ଯେ ଆଇପିଏସ୍ ଅଧିକାରୀ ବିକାଶ କୁମାର ଓ କେତେ ଜଣ ବରିଷ୍ଠ ପୋଲିସ ଅଧିକାରୀ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଚାକର ଭଳି କାମ କରୁଥିଲେ ଏବଂ ଜନଗହଳି ନିୟନ୍ତ୍ରଣ ଓ ଅନୁମତି ପ୍ରକ୍ରିୟାରେ ଗୁରୁତର ତ୍ରୁଟି କରିଥିଲେ।
ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଆଇପିଏଲ ବିଜୟ ଉତ୍ସବ ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଏହି ଉତ୍ସବ ପାଇଁ RCB ଏକ ପରେଡ ଓ ଷ୍ଟାଡିୟମରେ ମାଗଣା ପ୍ରବେଶର ଘୋଷଣା କରିଥିଲା। ଏହି ଜନଗହଳି ନିୟନ୍ତ୍ରଣ ବାହାରକୁ ଯିବା ଫଳରେ ଏକ ଦଳାଚକଟା ଘଟିଥିଲା ଓ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ, କର୍ଣ୍ଣାଟକ ସରକାର ଜୁନ୍ ୫ରେ ପାଞ୍ଚ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଆଡିସନାଲ କମିଶନର ଅଫ ପୋଲିସ (ବେଙ୍ଗାଲୁରୁ ପଶ୍ଚିମ) ବିକାଶ କୁମାର ।
ସସପେନସନ୍ ଆଦେଶକୁ ଚାଲେଞ୍ଜ କରି ବିକାଶ କୁମାର ଅଦାଲତର ଆଶ୍ରୟ ନେଇଛନ୍ତି । କ୍ୟାଟ ଏହି ମାମଲାରେ ସରକାରଙ୍କ ସସପେନସନ୍ ଆଦେଶକୁ ରଦ୍ଦ କରିଦେଇଛନ୍ତି ।
ହାଇକେର୍ଟରେ ଚାଲିଥିବା ମାମଲାରେ କର୍ଣ୍ଣାଟକ ସରକାରଙ୍କ ଆଡ଼ଭୋକେଟ ଜେନେରାଲ ଶଶୀ କିରଣ ଶେଟ୍ଟୀ ଯୁକ୍ତି ଦର୍ଶାଇଛନ୍ତି ଯେ RCB ଜୁନ୍ ୩ରେ ଏକ ଆବେଦନ ଦେଇ ବିଜୟ ଉତ୍ସବ ପାଇଁ ସୂଚନା ଦେଇଥିଲା, କିନ୍ତୁ ପୋଲିସ ଅଧିକାରୀମାନେ ଏହାର ଅନୁମତି କିଏ ଦେଇଛି ବୋଲି ପ୍ରଶ୍ନ ନକରି ସିଧାସଳଖ ସୁରକ୍ଷା ବ୍ୟବସ୍ଥା (ବନ୍ଦୋବସ୍ତ) ଆରମ୍ଭ କରିଥିଲେ।
ମାତ୍ର ୧୨ ଘଣ୍ଟାର ନୋଟିସରେ ଏତେ ବଡ଼ ଜନଗହଳିକୁ ନିୟନ୍ତ୍ରଣ କରିବା ଅସମ୍ଭବ ଥିଲା।
ପୋଲିସ ଅଧିକାରୀମାନେ ପୋଲିସ ଆକ୍ଟ ଅନୁଯାୟୀ ନିଷେଧାଜ୍ଞା ଜାରି କରିବା ପରିବର୍ତ୍ତେ RCB ର ଇଚ୍ଛା ଅନୁଯାୟୀ କାମ କରିଥିଲେ, ଯାହା କର୍ତ୍ତବ୍ୟରେ ଅବହେଳାକୁ ଦର୍ଶାଉଛି। ସସପେନସନ୍ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ନିଆଯାଇଥିଲା।
ଗତ ଜୁଲାଇ ୧ରେ, CAT ର ବେଙ୍ଗାଲୁରୁ ବେଞ୍ଚ (ବିକାଶ କୁମାରଙ୍କ ସସପେନସନକୁ ରଦ୍ଦ କରିଥିଲେ । ଟ୍ରିବ୍ୟୁନାଲ ଏହାକୁ "ମେକାନିକାଲ" ଓ ପର୍ଯ୍ୟାପ୍ତ ପ୍ରମାଣ ବିନାରେ ନିଆଯାଇଥିବା ନିଷ୍ପତ୍ତି ବୋଲି ଅଭିହିତ କରିଥିଲେ।
ବିକାଶ କୁମାରଙ୍କୁ କୌଣସି ଶୋ-କଜ ନୋଟିସ, ଶୁଣାଣି, କିମ୍ବା ପ୍ରମାଣ ବିନା ସସପେଣ୍ଡ କରାଯାଇଥିଲା, ଯାହା ନିୟମ ବିରୁଦ୍ଧ।
ଟ୍ରିବ୍ୟୁନାଲ RCB ର କାର୍ଯ୍ୟକୁ "ଏକପାଖିଆ" ବୋଲି ଅଭିହିତ କରିଥିଲେ ଏବଂ କହିଥିଲେ ଯେ ପୋଲିସକୁ ଏଭଳି ବୃହତ ଇଭେଣ୍ଟ ପାଇଁ ପୂର୍ବ ସୂଚନା ଦିଆଯାଇନଥିଲା।
କ୍ୟାଟର ଏହି ଆଦେଶକୁ କର୍ଣ୍ଣାଟକ ସରକାର ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, CAT ତାଙ୍କ ଅଧିକାର ସୀମାକୁ ଅତିକ୍ରମ କରି ନିଷ୍ପତ୍ତି ନେଇଛନ୍ତି । କାରଣ ଏହା ଏକ ପୂର୍ଣ୍ଣାଙ୍ଗ ବିଭାଗୀୟ ତଦନ୍ତ ବିନା ଦଳାଚକଟା ଘଟଣାରେ ଆଦେଶ ଦିଆଯାଇଛି ।
ରାଜ୍ୟ ସରକାର କର୍ଣ୍ଣାଟକ ପୋଲିସ ମାନୁଆଲ ଓ ଜୁନ୍ ୩ ଓ ୪ ତାରିଖର ଘଟଣାବଳୀ ସଂପର୍କରେ ପ୍ରମାଣ ଦାଖଲ କରିଥିଲେ, ଯାହା CAT ଦ୍ୱାରା ଯଥାର୍ଥ ଭାବେ ବିଚାର କରାଯାଇନଥିଲା ବୋଲି ଆଡଭୋକେଟ୍ ଜେନେରାଲ୍ କହିଥିଲେ ।
ଏକ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ଓ ଏକ ସଦସ୍ୟ କମିଶନ ତଦନ୍ତ ଚାଲିଥିବା ବେଳେ, ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।
କର୍ଣ୍ଣାଟକ ହାଇକୋର୍ଟରେ ଏହି ଦଳାଚକଟା ଘଟଣାରେ ଏକ ଜନସ୍ୱାର୍ଥ ସମ୍ୱଳିତ ମାମଲା ମଧ୍ୟ ଚାଲିଛି । ତେବେ ସୋସିଆଲ୍ ମିଡିଆରେ ଅନେକ ୟୁଜର୍ସ କର୍ଣ୍ଣାଟକ ସରକାରଙ୍କୁ ସମାଲୋଚନା କରିଛନ୍ତି । ସରକାର ଆରସିବିକୁ ଆକ୍ରମଣ କରିବାକୁ ଯାଇ ନିଜ ପୋଲିସକୁ ନିନ୍ଦିତ କରୁଛି ବୋଲି ସେମାନଙ୍କ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Karnataka_1752743329.jpg)