Advertisment

ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛ ପଟୁ ପିଟିଲା ଦ୍ରୁତଗାମୀ ମାଲଗାଡ଼ି

ରେଳ ବିଭାଗ କହିଲା ମନୁଷ୍ୟକୃତ ତ୍ରୁଟିରୁ ଆକ୍ସିଡେଣ୍ଟ । ଦାର୍ଜିଲିଂ ଦୁର୍ଘଟଣା ପରେ ମନେ ପଡ଼ିଗଲା ବାହାନଗା ଟ୍ରାଜେଡି ।

undefined

Darjiling Train Tragedy

Advertisment

ପୁଣି ଭୟଙ୍କର, ପୁଣି ଛାତିଥରା । ଏକ୍ସପ୍ରେସକୁ ପଛରୁ ପିଟିଲା ମାଲବାହୀ ଟ୍ରେନ୍। ଦୁର୍ଘଟଣା ପରର ଏ ଅବିଶ୍ୱାସନୀୟ ଦୃଶ୍ୟ ପଶ୍ଚିମବଙ୍ଗ ନିଉ-ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟର। ସମୟ ସକାଳ ପ୍ରାୟ ସାଢ଼େ ୮ଟା। ଅଗରତାଲାରୁ ପଶ୍ଚିମବଙ୍ଗ ସିଆଲଦା ଅଭିମୁଖେ ଯାଉଥିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ। ତେବେ କୌଣସି କାରଣରୁ ନିୟୁ ଜଲପାଇଗୁଡ଼ି ଜଙ୍କସନର କିଛି ଦୂର ପୂର୍ବରୁ ପାସେଞ୍ଜର ଟ୍ରେନଟି ଅଟକି ରହିଥିଲା।

Advertisment

ଆଉ ଠିକ୍ ଏହି ସମୟରେ ପଛପଟୁ ସମାନ ଟ୍ରାକରେ ଅତି ଦ୍ରୁତ ଗତିରେ ଆସି କାଂଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା ସିଆଲଦା ଅଭିମୁଖେ ଆସୁଥିବା ଅନ୍ୟ ଏକ ମାଲଗାଡ଼ି। ଏ ଚିତ୍ର ହିଁ ବୟାନ କରୁଛି ଦୁର୍ଘଟଣାର ଭୟାବହତା। କାଂଚନଜଙ୍ଗା ଏକ୍ସପ୍ରେସ ପଛପଟୁ ମାଲଗାଡ଼ି ଧକ୍କା ଦେବା ପରେ ପରେ ପାସେଞ୍ଜର ଟ୍ରେନର ୪ଟି ବଗି ଛିନଛତ୍ର ହୋଇ ଏଣେତେଣେ ପଡ଼ିଥିଲା।

ସେହିଭଳି ମାଲଗାଡ଼ିର ଇଞ୍ଜିନ୍ ପଶିଯିବାରୁ ପାସେଞ୍ଜର ଟ୍ରେନର ଗୋଟିଏ ଡବା ପ୍ରାୟ ୩୦ରୁ ୪୦ ଫୁଟ ଉପରକୁ ଉଠି ଯାଇଥିଲା। ଆଉ ଏହି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ମନେ ପକାଇଦେଇଥିଲା ଗତବର୍ଷ ଜୁନ ମାସରେ ବାଲେଶ୍ୱର ବାହାନଗାରେ ଘଟିଥିବା ସେହି ମର୍ମନ୍ତୁଦ ଅଧ୍ୟାୟକୁ। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ ସ୍ଥାନୀୟ ପୋଲିସ, ଦମକଳ ଟିମ୍ ଓ ସ୍ଥାନୀୟ ଲୋକେ।

Advertisment

ପରେ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିଥିଲେ। ବାହାନଗା ଭଳି ଏଠି ବି ଗ୍ୟାସ୍ କଟର ଆଉ ବଡ଼ ବଡ଼ ପୋକଲିନ ମେସିନର ସହାୟତା ନିଆଯାଇଥିଲା । ଆହତମାନଙ୍କୁ ସିଲଗୁଡ଼ିର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।

ଏହି ଭୟଙ୍କର ଦୁର୍ଘଟଣାରେ ମାଲଗାଡ଼ିର ଲୋକୋ ପାଇଲଟ୍ ଓ ସହକାରୀ ଲୋକୋ ପାଇଲଟଙ୍କ ମୃତ୍ୟୁ ହୋଇଥିବା ନେଇ ରେଳ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ପାସେଞ୍ଜର ଟ୍ରେନର ଜଣେ ଗାର୍ଡ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପଛର କାରଣ କଣ, ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା।

Advertisment

ସିଗନାଲ ଥାଇ ବି ମାଲଗାଡ଼ିର ଡ୍ରାଇଭର ଏହାକୁ ମାନିନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ରେଳ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହା ମନୁଷ୍ୟକୃତ ତ୍ରୁଟି ବୋଲି ପ୍ରାଥମିକ ତଦନ୍ତୁରୁ ଜଣାପଡ଼ିଥିବା ସୂଚନା ଦେଇଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନା। ସେପଟେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିଜେ ଦୁଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଦାର୍ଜିଲିଂ ଟ୍ରେନ୍ ଦୁର୍ଘଟଣା ପରେ ଆଜି ପାଇଁ ୧୯ଟି ଟ୍ରେନକୁ ବାତିଲ କରାଯାଇଛି। ସେପଟେ ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛି ରେଳ ବିଭାଗ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କ ଲାଗି ଅଢ଼େଇ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ମିଳିବ ୫୦ ହଜାର ଟଙ୍କା ସହାୟତା ରାଶି ମିଳିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି।

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ