• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ନେଇ ଅଶାନ୍ତ କର୍ଣ୍ଣାଟକର ଶିବମୋଗା ସହର । ପରିସ୍ଥିତିକୁ ନଜରରେ ରଖି ସହରରେ ଆଉ ଦୁଇ ଦିନ ପାଇଁ ଅର୍ଥାତ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । ଏଥିସହ ସମସ୍ତ ସ୍କୁଲ୍ କଲେଜ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ମାମଲାରେ ୬ ଜଣଙ୍କୁ ଗିରଫ କରିବା ସହ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏପଟେ ହହତ୍ୟାର ଶିକାର ଯୁବକ ହର୍ଷାଙ୍କ ବିରୋଧରେ ପୂର୍ବରୁ ଦୁଇଟି ମାମଲା ଥିଲା ବୋଲି ପୋଲିସ କହିଛି ।

ହିଜାବ ଝଡ଼ ପରେ ଏବେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟାକୁ ନେଇ କର୍ଣ୍ଣାଟକରେ ବଢ଼ୁଛି ଟେନସନ୍ । ଶିବମୋଗାରେ ଉତ୍ତେଜନା ପରେ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା । ଶୂନଶାନ୍ ରାସ୍ତାଘାଟ । ଦୋକାନ ବଜାର ବନ୍ଦ । ଚାରିଆଡ଼େ ପୋଲିସର ଘନଘନ ପଇଁତରା । ସହର ସାରା ଲାଗି ରହିଛି ଚାପା ଉତ୍ତେଜନା । ଗତ ରବିବାର ୨୩ ବର୍ଷୀୟ ବଜରଙ୍ଗ ଦଳର କର୍ମକର୍ତ୍ତା ହର୍ଷାଙ୍କୁ ଛୁରୀ ଭୁଷି ହତ୍ୟା ପରେ ଉତ୍ତେଜନା ପ୍ରକାଶ ପାଇଛି । ସୋମବାର ମୃତକଙ୍କ ଅନ୍ତିମ ସଂସ୍କାର ବେଳେ ହିଂସା ଆହୁରି ତୀବ୍ର ହୋଇଥିଲା। ସଂଘର୍ଷରେ ଜଣେ ସାମ୍ବାଦିକ ଏବଂ ଜଣେ ମହିଳା ପୋଲିସ କର୍ମୀଙ୍କ ସମେତ ୨୦ ଜଣ ଆହତ ହୋଇଥିଲେ ।

ଖାଲି ସେତିକି ନୁହେଁ ଉତ୍ୟକ୍ତ ଲୋକମାନେ ବ୍ୟାପକ ପୋଡ଼ାଜଳା ମଧ୍ୟ କରିଛନ୍ତି । ସ୍ଥିତିକୁ ଦେଖି ପୋଲିସ ପକ୍ଷରୁ ଶିବମୋଗାରେ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଶିବମୋଗା ଜିଲ୍ଲାରେ ଗୋଟିଏ ଦିନ ଲାଗି ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ସରକାର । ମାମଲାରେ ପୋଲିସ କିଛି ବ୍ଯକ୍ତିଙ୍କୁ ଗିରଫ କରି ଛାନଭିନ୍ ଚଳାଇଛି। ତେବେ ଯୁବକଙ୍କୁ ହତ୍ୟା ଘଟଣା ହିଜାବ ବିବାଦ ସହ ଜଡ଼ିତ କି ନୁହେଁ, ସମସ୍ତ ଦିଗରୁ ତଦନ୍ତ ହେବା ଜରୁରୀ ବୋଲି କର୍ଣ୍ଣାଟକ ଗୃହମନ୍ତ୍ରୀ ଅର୍ଗ ଜ୍ଞାନେନ୍ଦ୍ର କହିଛନ୍ତି ।

ଏପଟେ ମୃତକଙ୍କ ମାଆ ଶିବମୋଗା ଥାନାରେ ଏତଲା ଦେଇଛନ୍ତି ଯେ, ଗୋଟିଏ ଗୋଷ୍ଠୀର ଗୁଣ୍ଡା ଶ୍ରେଣୀର ଲୋକେ ତାଙ୍କ ପୁଅର ହତ୍ୟାକାରୀ । ବଜରଙ୍ଗ ଦଳ ସହ ଯୋଡ଼ି ହୋଇଥିବାରୁ କିଛି ଯୁବକ ତାଙ୍କ ପୁଅକୁ ଧମକ ଦେଉଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି । ଏପଟେ କିଛି ସାମାଜିକ କର୍ମୀ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏ ସମସ୍ତ ଘଟଣା ପାଇଁ କର୍ଣ୍ଣାଟକ ସରକାରକୁ ଦାୟୀ କରିଛନ୍ତି ସାମାଜିକ କର୍ମୀ । କର୍ଣ୍ଣାଟକର ବିଜେପି ବିଧାୟକ ଏମ୍.ପି. ରେଣୁକାଚାର୍ଯ୍ୟ ମୃତ ହର୍ଷାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକଂପା ରାଶି ଦେବାକୁ ଘୋଷଣା କରିଛନ୍ତିଯ

ହିଜାବ ବିବାଦ ପରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ଘଟଣାକୁ ନେଇ ବି ତେଜିଛି ରାଜନୀତି । ପୁଣି ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି କଂଗ୍ରେସ ଓ ବିଜେପି । ସମଗ୍ର ଘଟଣା ପଛରେ କଂଗ୍ରେସକୁ ଦାୟୀ କରିଛି ବିଜେପି । ଘଟଣାର ଏନ୍ଆଇଏ ତଦନ୍ତ ପାଇଁ ମଧ୍ୟ ଦଳ ଦାବି କରିଛି । କିଛି ଲୋକେ ଚାହୁଁଛନ୍ତି ଯେ କର୍ଣ୍ଣାଟକରେ ଅଶାନ୍ତି ରହୁ । ତେବେ ଯାହା ବି ହୋଇଛି ସେ ନେଇ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି।

ପୀଡ଼ିତ ପରିବାରକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ବିଜେପି ନେତା ଦୁଷ୍ଯନ୍ତ ଗୌତମ । ଏପଟେ କଂଗ୍ରେସ କହିଛି କୌଣସି ପ୍ରକାରର ହିଂସାକୁ ଦଳ ସମର୍ଥନ କରେନାହିଁ । ଏଭଳି ଘଟଣାକୁ ନେଇ ରାଜନୀତି କରିବା ମଧ୍ୟ ଠିକ୍ ନୁହେଁ । ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ ଏହାର ଯାଞ୍ଚ ହେବା ଜରୁରୀ । କର୍ଣ୍ଣାଟକ ସରକାର ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି କଂଗ୍ରେସ ନେତା ତାରିକ ଅନ୍ଓ୍ୱର ।.

ଏପଟେ ହିଜାବକୁ ନେଇ ଅଶାନ୍ତି ଥମୁନି । କର୍ଣ୍ଣାଟକ ଉଡ଼ୁପି କଲେଜର ଜଣେ ଛାତ୍ରୀଙ୍କ ଭାଇକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଦକ୍ଷିଣପନ୍ଥି ସମର୍ଥକମାନେ ତାଙ୍କ ଭାଇକୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ହିଜାବ ପିନ୍ଧିବା ନେଇ ତାଙ୍କର ନିଷ୍ପତ୍ତି ପ୍ରତିବାଦରେ ଏଭଳି ଆକ୍ରମଣ ହୋଇଥିବା ଯୁବତୀ ଜଣକ ଟ୍ୱିଟ୍ କରିଛନ୍ତି। ମାମଲାରେ ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଗତ ବର୍ଷ ଶେଷ ଆଡ଼କୁ ଦେଖାଦେଇଥିଲା ।

କ୍ଲାସରୁମ୍ ଭିତରେ ଛାତ୍ରୀଙ୍କୁ ହିଜାବ ପିନ୍ଧି ବସିବା ପାଇଁ ବାରଣ କରାଯିବା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା । ପରେ ଏହି ଆନ୍ଦୋଳନ ବ୍ୟାପକ ହେବାରୁ କର୍ଣ୍ଣାଟକ ସରକାର ରାଜ୍ୟରେ ସ୍କୁଲ୍ କଲେଜ ମଧ୍ୟ ବନ୍ଦ କରିଥିଲେ । ଏବଂ ପରେ ଧିରେଧିରେ ପୁଣି ଶିକ୍ଷାନୁଷ୍ଠାନ ଖୋଲିଥିଲେ । ମାମଲା କର୍ଣ୍ଣାଟକ ହାଇକୋର୍ଟ ଏବଂ ପରେ ସୁପ୍ରିମ କୋର୍ଟ ପର୍ଯ୍ୟ ଯାଇଥିଲେ ବି ସମାଧାନ ହୋଇପାରିନାହିଁ।.