Sambhal Shiva Temple Reopened : ୪୬ ବର୍ଷ ପରେ ଖୋଲିଲା ଶିବ ମନ୍ଦିର, ଜବରଦଖଲରେ ଥିଲା

ଜବରଦଖଲ ଉଚ୍ଛେଦ ବେଳେ ବଡ଼ ଧରଣର ବିଦ୍ୟୁତ ଚୋରି ସାମ୍ନାକୁ ଆସିଥିଲା । କିନ୍ତୁ ଶନିବାର ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Sambhal Shiva Temple

ଉତ୍ତରପ୍ରଦେଶରେ ସମ୍ବଲ ହିଂସା ପରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ବିଦ୍ୟୁତ ଚୋରିର ଅବସ୍ଥା ଦେଖି ଏସପି କୃଷ୍ଣ କୁମାର ବିଷ୍ଣୋଇ ରାଗି ଯାଇଥିଲେ । କାରଣ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଏସପିଙ୍କୁ ଅଭିଯୋଗ କରିଥିଲେ, ‘ଯେତେବେଳେ ଆମେ ଯାଞ୍ଚ କରିବାକୁ ଯାଉଛୁ, ଗୁଣ୍ଡାଗିରି କରୁଥିବା ଲୋକମାନେ ଆମକୁ ଧମକ ଚମକ ଦେଉଛନ୍ତି । କହୁଛନ୍ତି ଆମେ ତମକୁ ଦେଖିଦେବୁ ।’

ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ବେଆଇନ ଜବରଦଖଲ ଏବଂ ବିଦ୍ୟୁତ ଚୋରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ।

ଘର ଭିତରେ ୧୯୭୮ ମସିହାର ମନ୍ଦିର

ଜବରଦଖଲ ଉଚ୍ଛେଦ ବେଳେ ବଡ଼ ଧରଣର ବିଦ୍ୟୁତ ଚୋରି ସାମ୍ନାକୁ ଆସିଥିଲା । କିନ୍ତୁ ଶନିବାର ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାରା ଦେଶରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚେକିଂ ବେଳେ ସାମ୍ନାକୁ ଆସିଲା ଏମିତି ଏକ ମନ୍ଦିର, ଯାହାକି ୧୯୭୮ ମସିହାରୁ ବନ୍ଦ ଥିଲା ବୋଲି କୁହାଯାଉଛି । ଦୀପା ରାଏ ଅଞ୍ଚଳରୁ ଏହି ମନ୍ଦିର ସାମ୍ନାକୁ ଆସିଛି । ଏହି ମନ୍ଦିର ଜବରଦଖଲରେ ଥିଲା । 

ମନ୍ଦିରରେ ରହିଛନ୍ତି ହନୁମାନ-ଶିବ-ନନ୍ଦୀ

ଯେତେବେଳେ ଏହି ମନ୍ଦିର ସାମ୍ନାକୁ ଆସିଲା, ସେତେବେଳେ ଏକ ବଡ଼ ପୋଲିସ ଫୋର୍ସ ସେଠାରେ ଥିଲା । ଗତ ୪୬ ବର୍ଷ ହେବ ଏହି ମନ୍ଦିର ବନ୍ଦ ରହିଥିଲା । ସମାଜବାଦୀ ପାର୍ଟି ସାଂସଦ ଜିୟା ଉର୍‌ ରେହମାନ ବର୍କଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଛି ଏହି ମନ୍ଦିର । ମନ୍ଦିର ଭିତରେ ଶିବ ଲିଙ୍ଗ, ହନୁମାନ,  ଏବଂ ନନ୍ଦୀଙ୍କ ମୂର୍ତ୍ତି ରହିଛି । ଏଠି ମନ୍ଦିର ଥିବା ଜଣାପଡିବା ପରେ ପୋଲିସ ଅଧିକାରୀମାନେ ମନ୍ଦିରର ଭିତର ସଫା କରିଥିଲେ । 

ଏହି ପ୍ରସଙ୍ଗରେ ଅତିରିକ୍ତ ଏସପି ଶ୍ରୀଶ ଚନ୍ଦ୍ର କହିଛନ୍ତି, 'ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲା ​​ଯେ କିଛି ଲୋକ ଘର ନିର୍ମାଣ କରି ମନ୍ଦିରକୁ କବ୍‌ଜା କରି ରଖିଛନ୍ତି । ମନ୍ଦିରକୁ ସଫା ସୁତୁରା କରାଯାଇଛି ଏବଂ ଯେଉଁମାନେ ମନ୍ଦିର ଉପରେ କବ୍‌ଜା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହି ମନ୍ଦିରରେ ଭଗବାନ ଶିବ ଏବଂ ହନୁମାନ ଜୀଙ୍କର ମୂର୍ତ୍ତି ରହିଛି । ଏଥିରୁ ସ୍ପଷ୍ଟ ଯେ ଏକଦା ହିନ୍ଦୁ ପରିବାର ଏଠାରେ ରହୁଥିଲେ ଏବଂ କୌଣସି କାରଣରୁ ସେମାନେ ଏହି ଅଞ୍ଚଳ ଛାଡି ଚାଲିଯାଇଛନ୍ତି ।

'ମନ୍ଦିର ନିକଟରେ ରହିଛି ପ୍ରାଚୀନ କୂଅ'

ଜିଲ୍ଲା ମାଜିଷ୍ଟ୍ରେଟ ସମ୍ଭଲ ରାଜେନ୍ଦ୍ର ପାନସିଆ କହିଛନ୍ତି ଯେ ବନ୍ଦ ରହିଥିବା ମନ୍ଦିର ନିକଟରେ ଏକ ପ୍ରାଚୀନ କୂଅର ମଧ୍ୟ ସନ୍ଧାନ ମିଳିଛି । ସେହି କୂଅକୁ ଖୋଳା ଖୋଳି କରାଯାଉଛି । ମନ୍ଦିର ଚାରିପାଖରେ ଥିବା ବେଆଇନ୍‌ ଜବରଦଖଲ ମଧ୍ୟ ଉଚ୍ଛେଦ କରାଯିବ ।

ଶହ ଶହ ଘର ଭିତରେ ବିଦ୍ୟୁତ ଚୋରି

ସମ୍ବଲରେ ସ୍ଥାନୀୟଜିଲ୍ଲା ମାଜିଷ୍ଟ୍ରେଟ, ଏସପି ଏବଂ ଏଏସପିଙ୍କ ସହିତ ବିରାଟ ପୋଲିସ୍ ଫୋର୍ସ ଓ ବିଦ୍ୟୁତ୍ ବିଭାଗର ବିଭିନ୍ନ ଟିମ୍ ଶନିବାର ଭୋର ସମୟରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସାମ୍ନାକୁ ଆସିଥିଲା ଲୋକଙ୍କ ଘରେ ଲାଗିଥିବା ବଡ଼ ବଡ଼ ହିଟର । ଏହାସହ ପାଣି ଟାଙ୍କିରେ ପାଣି ଗରମ କରିବା ପାଇଁ ବିରାଟ ବିରାଟ ରଡ୍‌ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଏଠାରେ ବଡ଼ ଧରଣର ବିଦ୍ୟୁତ ଚୋରି ହେଉଛି ।

ଏହାସହ ସେଠାରେ ଥିବା ୩ ଧାର୍ମିକ ଅନୁଷ୍ଠାନ ଭିତରକୁ ଯାଇଥିବା ବିଦ୍ୟୁତ ତାରରୁ ସାଧାରଣ ଲୋକଙ୍କ ଘରକୁ ମଧ୍ୟ କନେକ୍ସନ ଯାଇଥିବା ସାମ୍ନାକୁ ଆସିଛି । ଏସ୍‌ପି କେକେ ବିଷ୍ଣୋଇ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ମସ୍‌ଜିଦ୍‌ରୁ ବିଦ୍ୟୁତ ଚୋରି ହେଉଥିବା ନେଇ ସ୍ପଷ୍ଟ କରିଛନ୍ତି ।

ଏବେ ସେହି ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସାଧାରଣ ଲୋକମାନେ ସେଠାକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେଠାରେ ସିସିଟିଭି ମଧ୍ୟ ଲାଗିଛି ।