• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି ମାର୍ଲେନା। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି। ବିଜେପିର ସୁଷମା ସ୍ବରାଜ ଓ କଂଗ୍ରେସର ଶିଲା ଦିକ୍ଷୀତଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ସେ ଶପଥ ନେବାକୁ ଯାଉଛନ୍ତି। ଆଜି ଅପରାହ୍ଣ ୪ଟା ୩୦ରେ ଦିଲ୍ଲୀ ରାଜଭବନରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ।

ଆତିଶିଙ୍କ ସହ ଆପ୍ ର ୫ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଆତିଶିଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଶିକ୍ଷା, ପୂର୍ତ୍ତ, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମେତ ପୂର୍ବରୁ ସେ ଦିଲ୍ଲୀ ସରକାରରେ ଅନେକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ପ୍ରାୟ ୬ ମାସ ପରେ ବେଲ୍ ରେ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେଜରିୱାଲ।

ରାଜନୀତିକୁ ଆସିବା ପୂର୍ବରୁ ଅକ୍ସଫୋର୍ଡ ୟୁନିଭରସିଟିରେ ଗ୍ରାଜୁଏସନ ଓ ଶିକ୍ଷକତା କରୁଥିଲେ ଆତିଶି । ଏଥିସହ ସ୍ୱାମୀଙ୍କ ସହ ମିଶି ଜୈବିକ ଚାଷ କରୁଥିଲେ । ଏକ ପ୍ରଫେସର ପରିବାରରେ ବର୍ଷ ୧୯୮୧ରେ ଆତିଶିଙ୍କ ଜନ୍ମ । ତାଙ୍କର ପିତାମାତା ବିଜୟ ସିଂ ଓ ତ୍ରିପ୍ତା ୱାହି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରହିଛନ୍ତି । ଦିଲ୍ଲୀର ସ୍ପ୍ରିଙ୍ଗଡେଲ୍ସ ସ୍କୁଲରେ ସ୍କୁଲ ଶିକ୍ଷା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନ ସେଣ୍ଟ୍ ଷ୍ଟିଫେନସ କଲେଜରେ ସେ ବ୍ୟାଚଲର ଡିଗ୍ରୀ କରିଛନ୍ତି । ଏହାପରେ ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ ମଧ୍ୟ କରିଛନ୍ତି ।

ତେବେ ଆତିଶିଙ୍କ ନାଁକୁ ନେଇ ଏକ ରୋଚକ ତଥ୍ୟ ରହିଛି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆତିଶିଙ୍କ ମିଡିଲ୍ ନେମ୍ ମାର୍ଲେନା । ଯାହାକି ଦୁଇଟି ନାମ ମାର୍କ୍ସ ଓ ଲେନିନଙ୍କ ମିଶ୍ରଣ । ୨୦୧୮ ପର୍ଯ୍ୟନ୍ତ ସେ ମାର୍ଲେନାକୁ Last Name ଭାବେ ବ୍ୟବହାର କରୁଥିଲେ ଓ Surname ଲେଖୁନଥିଲେ । ମାତ୍ର ରାଜନୈତିକ କାରଣରୁ ସେ ତାଙ୍କର ଦ୍ୱିତୀୟ ନାମ ମଧ୍ୟ ସମସ୍ତ ଦଳୀୟ ରେକର୍ଡରୁ ହଟାଇବାରୁ ବାଧ୍ୟ ହୋଇଥିଲେ ।

ପ୍ରଚାର ସମୟରେ ଭୋଟରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ ପରେ ସେ ମାର୍ଲେନା ହଟାଇ ଦେଇଥିଲେ । ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜର ସରନେମ୍ ମଧ୍ୟ ହଟାଇ ଦେଇଥିଲେ । ତେବେ ଆତିଶିଙ୍କ ପ୍ରକୃତ ସରନେମ୍ ହେଉଛି ସିଂ। ସେ ଏକ ପଞ୍ଜାବୀ ରାଜପୁତ ପରିବାର ଝିଅ । ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ମେନିଫେଷ୍ଟୋ ଡ୍ରାଫ୍ଟିଂ କମିଟିର ସକ୍ରିୟ ସଦସ୍ୟ ରହିଥିଲେ ଆତିଶି । ଏହିଠାରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ।

୨୦୧୯ରେ ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ଆତିଶି ଲୋକସଭା ଇନଚାର୍ଜ ନିଯୁକ୍ତ ହୋଇଥିଲେ । ତେବେ ସେ ବିଜେପିର ଗୌତମ ଗମ୍ବୀରଙ୍କ ଠାରୁ ପରାଜିତ ହୋଇଥିଲେ । ୨୦୨୦ରେ ବିଜେପିର ଧରମବୀର ସିଂଙ୍କୁ ହରାଇ କାଲକାଜି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ଆତିଶି । ପରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ କ୍ୟାବିନେଟରୁ ବାଦ୍ ପଡ଼ିବାରୁ ଆତିଶିଙ୍କୁ ଦିଲ୍ଲୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସାମିଲ କରାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now