• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା କୁକୁର ଜୁମକୁ ସେନା ପକ୍ଷରୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି । ଚିନାର କର୍ପର ଜେନେରାଲ୍ ଅଫିସର କମାଣ୍ଡିଙ୍ଗ ଇନ୍ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ଅମରଦୀପ ସିଂହ ଅଲଜା ଜୁମକୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦ ନିରୋଧୀ ଅଭିଯାନରେ ଆତଙ୍କବାଦୀଙ୍କ ଗୁଳି ବାଜିବାରୁ ଜୁମ୍ ଗୁରୁତର ଆହତ ହୋଇଥିଲା । ଶ୍ରୀନଗର ଆଡଭାନ୍ସଡ ଫିଲ୍ଡ ଭେଟେନାରୀ ହସ୍ପିଟାଲରେ ଚିକିତ୍ସାବେଳେ ଗତକାଲି ତାର ମୃତ୍ୟୁ ହୋଇଛି ।

ଅଧିକ ପଢ଼ନ୍ତୁ: ଆତଙ୍କୀ ଗୁଳିରେ ଆହତ ହୋଇଥିବା ଆର୍ମି କୁକୁର ‘ଜୁମ୍‌’ ସହିଦ୍‌

ଜୁମର ବୟସ ଅଢ଼େଇ ବର୍ଷ । ଦୁର୍ଦ୍ଧର୍ଷ ବେଲ୍‌ଜିଆନ୍‌ ମାଲିନୋଏସ୍ ପ୍ରଜାତିର କୁକୁର ଜୁମ୍ । ୧୦ ମାସ ଧରି ସେ ଭାରତୀୟ ସେନା ପାଇଁ କାମ କରୁଥିଲା । ତେବେ ଦେଶ ପାଇଁ ସେ ଦେଇଥିବା ବଳିଦାନ ସମ୍ପର୍କରେ ଜାଣିବା ପରେ ଲୋକମାନେ ତା‘ର ଶୁଭମନାସି ପ୍ରାର୍ଥନା କରୁଥିଲେ । ହେଲେ ଶତ ଚେଷ୍ଟା ସତ୍ତ୍ୱେ ଜୁମ୍ ବଞ୍ଚି ପାରିଲା ନାହିଁ । କେବଳ ଆତଙ୍କବାଦୀଙ୍କୁ ଧରିବା ଏବଂ ହତ୍ୟା କରିବା ପାଇଁ ଜୁମକୁ ତାଲିମ ଦିଆଯାଇଥିଲା । ଆଉ ସେ ମଧ୍ୟ ଖୁବ୍‌ ମନ ଲଗାଇ କାମ କରୁଥିଲା ।

ସୂଚନାଯୋଗ୍ୟ ରବିବାର ଅନନ୍ତନାଗର ତଙ୍ଗପାୱା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ସୁରକ୍ଷାକର୍ମୀ ରାତି ତମାମ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳକୁ କର୍ଡନ କରିଥିଲେ । ସୋମବାର ଆତଙ୍କବାଦୀ ଲୁଚି ରହିଥିବା ଗୋଟିଏ ସନ୍ଦିଗ୍ଧ ଘର ଭିତରକୁ ଜୁମ୍‌କୁ ଛଡ଼ା ଯାଇଥିଲା । ଜୁମ୍ ମଧ୍ୟ ଆତଙ୍କବାଦୀଙ୍କୁ ଠାବ କରି ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ଏହି ଲଢ଼େଇ ବେଳେ ଦୁଇଟି ଗୁଳି ତା’ ଦେହରେ ମାଡ଼ ହେବାରୁ ସେ ଗୁରୁତର ହୋଇଥିଲା ।