• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗକୁ ପଞ୍ଚାୟତ ନିର୍ବାଚନ । ଏବେଠୁ ଅଣ୍ଟା ଭିଡ଼ିଲେଣି ବିଭିନ୍ନ ରାଜନୈତିକ ଦଳ । ଯିଏ ଯାହାର ଆଙ୍କ କଷିବା ଆରମ୍ଭ କଲେଣି । କେମିତି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବେ ସେନେଇ ଗୋଟି ଚଳାଇବା ଆରମ୍ଭ କଲେଣି ରାଜନୈତିକ ଦଳ । ଆମେ କହୁଛୁ ପଶ୍ଚିମବଙ୍ଗ ରାଜନୀତି କଥା । ଖୁବ୍‌ଶୀଘ୍ର ପଶ୍ଚିମବଙ୍ଗରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଆଉ ଏଥିପାଇଁ ମମତା ସରକାର ଘୋଷଣା କରିଛନ୍ତି ଏକ ନୂଆ ସ୍କିମ୍‌ ।

ମିଡ୍‌ ଡେ ମିଲ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ, ରାଜନୀତିରେ ଧୁରନ୍ଧର ମମତା ଏବେ ଖେଳିଛନ୍ତି ସେହି ମିଡ ଡେ ମିଲ୍‌ ଗୋଟି । ଚଳିତ ୨୦୨୩ରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ମମତା ଘୋଷଣା କରିଛନ୍ତି ଯେ, ଏଣିକି ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଯାଉଥିବା ମିଡ୍‌ ଡେ ମିଲ୍‌ ଆଇଟମ୍‌ ତାଲିକାରେ ସ୍ଥାନ ପାଇବ ଚିକେନ୍‌ ଓ ଫଳ । ଯେଉଁ ସମୟରେ ଯାହା ଫଳ ମିଳୁଥିବ ତାକୁ ପିଲାଙ୍କୁ ଖାଇବା ପାଇଁ ଦିଆଯିବ । ତେବେ ଏହା ଜାନୁଆରୀରୁ ଆରମ୍ଭ ହୋଇ ଚାରି ମାସ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୩ରୁ ଏପ୍ରିଲ୍‌ ୨୩ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ।

ତେବେ ପୂର୍ବରୁ ମିଡ୍‌ ଡେ ମିଲ୍‌ରେ କେବଳ ଭାତ, ଡାଲି, ପରିବା, ଆଳୁ, ସୋୟାବିନ୍‌ ଓ ଅଣ୍ଡା ଦିଆଯାଉଥିଲା । ଏବେ ଚିକେନ୍‌ ଓ ସିଜିନାଲ ଫଳ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ପିଲାଙ୍କୁ ଉଚିତ୍‌ ପୋଷଣ ମିଳିପାରିବ । ଏହା ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧିନରେ ଆସୁଥିବା କୁହାଯାଉଛି । ତାଲିକାରେ ସପ୍ତାହକୁ ଥରେ ଲେଖାଏଁ ଏହାକୁ ସାମିଲ କରାଯିବ ବୋଲି ସୂଚନା ରହିଛି ।

 

ତେବେ ଅତିରିକ୍ତ ପ୍ରୋଟିନ୍‌ ପାଇଁ ଜଣେ ପିଲା ପିଛା ସପ୍ତାହକୁ ଖର୍ଚ୍ଚ ହେବ ୨୦ ଟଙ୍କା । ଏହି ଯୋଜନା ୪ ମାସରୁ ଅଧିକ ସମୟ ଚଲାଇବା ସମ୍ଭବ ହୋଇନପାରେ । କାରଣ ଏଥିପାଇଁ ମୋଟ ୩୭୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଅର୍ଥରେ ଅତି ବେଶିରେ ପିଲାଙ୍କୁ ଚାରି ମାସ ପର୍ଯ୍ୟନ୍ତ ଅତିରିକ୍ତ ପ୍ରୋଟିନ୍ ଦିଆଯାଇପାରିବ । ଏନେଇ ଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ସ୍କୁଲରେ ପ୍ରାୟ ୧.୧୬ କୋଟି ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏହି ମିଡ୍‌ ଡେ ମିଲ୍‌ ପାଇଁ ରାଜ୍ୟ ଓ କେନ୍ଦ୍ର ୬୦:୪୦: ଅନୁପାତରେ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ମଇଦାନରେ ଏବେ ମମତାଙ୍କ ତୃଣ ମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ପ୍ରତ୍ୟେକ ଦିନ ରାଜନୈତିକ ବାଦବିବାଦ ସାମ୍ନାକୁ ଆସୁଛି । କେହି କାହାକୁ ଛାଡ଼ିବାକୁ ନାରାଜ । 

ଏବେ ଏହି ମିଡ୍‌ ଡେ ମିଲ୍‌ରେ ଆଇଟମ୍‌ ବୃଦ୍ଧିକୁ ନେଇ ସମାଲୋଚନା କରିଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଆଗକୁ ନିର୍ବାଚନ ଥିବାରୁ ମମତା ସରକାର ଏଭଳି ଚାଲ ଖେଳିଛନ୍ତି । ମିଡ୍‌ ଡେ ମିଲ୍‌ରେ ଚିକେନ୍ ଆଉ ଫଳ ଦେଇ ଭୋଟରଙ୍କୁ ହାତେଇବାକୁ ଅପଚେଷ୍ଟା କରୁଛନ୍ତି ।