• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱର୍ଣ୍ଣିମ ଲଙ୍କାରେ ଅଶାନ୍ତିର ନିଆଁ । ସରକାରଙ୍କ ବିରୋଧରେ ତେଜିଥିବା ଜନ ଆକ୍ରୋଶର ସାଂଘାତିକ ପ୍ରତିଫଳନ ଉଗ୍ର ହୋଇ ଉଠିଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଶ୍ରୀଲଙ୍କାବାସୀ ସୋମବାର ରାତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ପଦରୁ ଇସ୍ତଫା ଦେବା ପରେ ରାଜଧାନୀ କଲମ୍ବୋରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି  । ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି ।  ଏଥିରେ ମୃତ୍ଯୁସଂଖ୍ୟା ୮କୁ ବଢିଥିବା ବେଳେ ୨ଶହରୁ ଅଧିକ ଆହତ ହୋଇଛନ୍ତି ।  ଏପରିକି ଶାସକ ଦଳର ସାଂସଦ ଅମର କିର୍ତ୍ତୀ ଅତୁକୋରାଲା ଜଣେ ୨୭ ବର୍ଷିୟ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ॥ 

ସରକାରଙ୍କ ଦୁର୍ବଳ ଅର୍ଥନୀତି,ପରିବାରବାଦକୁ ନେଇ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେଙ୍କ ସମର୍ଥକଙ୍କ ଭିତରେ ଜୋରଦାର ସଂଘର୍ଷ ହୋଇଛି ।  ରାଜପକ୍ସେଙ୍କ ବିରୋଧରେ ଆନ୍ଦୋଳନ ତେଜିବାରୁ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଆସିଯାଇଥିଲେ, ଆଉ କଲମ୍ବୋର ବିଭିନ୍ନ ସ୍ଥାନରେ ରାଜପକ୍ସେ ଓ ତାଙ୍କ ଭାଇଙ୍କ ଇସ୍ତଫା ଦାବିରେ ଧାରଣା ଦେଇଥିବା ଲୋକଙ୍କୁ ଟାର୍ଗେଟ କରିଥିଲେ । ଫଳରେ ସାରା ସହରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଆନ୍ଦୋଳନକାରୀମାନେ ବସରେ ନିଆଁ ଲଗାଇ ଦେଇଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାପାମାଆଙ୍କ ଉଦ୍ଦେଶ୍ୟରେ ହୋଇଥିବା ପ୍ରତିମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦେଇଥିଲେ ।

ଏପରିକି କଲମ୍ବୋରୁ ୨୫୦ କିଲୋମିଟର ଦୂର ହାମ୍ବନତୋଟାରେ ଥିବା ରାଜପକ୍ସେଙ୍କ ପୈତୃକ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ଏହାସହ ୩ ଜଣ ପୂର୍ବତନ ମନ୍ତ୍ରୀ ଓ ୨ ଜଣ ସାଂସଦଙ୍କ ଘର ଜାଳି ଦେଇଛନ୍ତି । ଆନ୍ଦୋଳନକାରୀ ସଂଘର୍ଷ ଭିତରେ ରାଜପକ୍ସେଙ୍କ ଟିମର ଜଣେ ସାଂସଦ ଅମରକିର୍ତ୍ତୀ ଅତୁକୋରାଲା ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ, ଏଥିରେ ଜଣେ ୨୭ ବର୍ଷିୟ ଯୁବକଙ୍କର ମୃତ୍ଯୁ ହୋଇଛି ।  ପରେ ପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି  । 
 

 ରାଜଧାନୀ କଲୋମ୍ବୋରେ ସ୍ଥିତି ଅଣାୟତ୍ତ ହେବା ପରେ ପୋଲିସ ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରିଥିଲା ।  ଏହାସହ ପୁରା ରାଜଧାନୀରେ ତତକ୍ଷଣାତ କର୍ଫ୍ଯୁ ଲାଗୁ କରିଥିଲେ ସରକାର । ପରେ ପରେ ସାରା ଦେଶକୁ କର୍ଫ୍ଯୁରେ ରଖାଯାଇଥିଲା ।  ଏହାସହ କଲମ୍ବୋରେ ଆଣ୍ଟି ରାୟଟସ୍କୱାର୍ଡ ମୁତୟନ କରାଯାଇଥିଲା । ସେନାକୁ ମଧ୍ୟ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ନିୟୋଜିତ କରାଯାଇଥିଲା । ବିଶେଷ କରି ପେଟ୍ରୋଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁରକ୍ଷିତ ଭାବେ ପ୍ରଦାନ କରିବାକୁ ସେନାକୁ ନିୟୋଜିତ କରାଯାଇଛି । 

ଦେଶରେ ଆନ୍ଦୋଳନ ଉଗ୍ରରୂପ ନେଇଥିବାବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜପକ୍ସେ ପଦ ଛାଡ଼ିବା କ୍ଷଣି ଆନ୍ଦୋଳନକାରୀ କଲମ୍ବୋରେ ଥିବା ସରକାରୀ ବାସଭବନରେ ପଶିବାକୁ ଚେଷ୍ଟା କରିଥିଲେ ।  ମେନ୍ ଗେଟ୍ ଭାଙ୍ଗି ଭିତରକୁ ପସିବାବେଳେ ଶ୍ରୀଲଙ୍କା ସେନା ଯବାନମାନେ ତୁରନ୍ତ ଆସି ରାଜପକ୍ସେ ଓ ତାଙ୍କ ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିନେଇଥିଲେ   ପରେ ଜୀବନ ରକ୍ଷା ପାଇଁ ରାଜପକ୍ସେ ଓ ପରିବାର କଲମ୍ବୋ ନୌସେନା ବେସରେ ଆଶ୍ରୟ ନେଇଛନ୍ତି ।

ସେପଟେ ସୋମବାର ଦିନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ସାନଭାଇ ତଥା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ।  ଏହାସହ ମହିନ୍ଦାଙ୍କ କ୍ୟାବିନେଟର  ୨ ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମହିନ୍ଦା ଜଣାଇଛନ୍ତି ଯେ, ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ପାଇଁ ସେ ଇସ୍ତଫା ଦେଉଛନ୍ତି । ଅନ୍ୟପକ୍ଷରେ ରାଜପକ୍ସେଙ୍କ ଇସ୍ତଫା ସହ ଦେଶରେ ସରକାର ଭାଙ୍ଗିଯାଇଛି ।
 ତେବେ ରାଜପକ୍ସେଙ୍କ ପରିବାରର କୌଣସି ସଦସ୍ୟଙ୍କ ଦ୍ୱାରା ଗଠନ ହେବାକୁ ଥିବା କୌଣସି ସରକାରରେ ସାମିଲ ହେବାକୁ ଦେଶର ପ୍ରମୁଖ ବିରୋଧୀ ଦଳ ମନା କରିଦେଇଛି ।  

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ସାଂଘାତିକ ଭାବେ ଅର୍ଥନୈତିକ ସଂକଟ ଦେଖାଦେଇଛି ।  କିଛିମାସ ହେବ ଦେଶରେ ଖାଦ୍ୟ, ତୈଳ ଓ ଔଷଧର ଘୋର ଅଭାବ ଦେଖାଦେଇଛି ଫଲରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ।  ଖାଦ୍ୟ ଓ ପେଟ୍ରୋଲ ଅଭାବରୁ ଦେଶରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି ।  ସେପଟେ ବୈଦେଶିକ ମୁଦ୍ରା ଅଭାବରୁ ବିଦେଶରୁ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ ଠପ୍ ହୋଇଯାଇଛି, ଆଉ ଏହାକୁ ନେଇ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି । ରାଜପକ୍ସେଙ୍କ ପରିବାରର ଏକଚାଟିଆ ଶାସନ ଦେଶକୁ ରସାତଳଗାମୀ କରିଥିବା ଅଭିଯୋଗ ହେଉଥିବା ବେଳେ  ଜନ ଆନ୍ଦୋଳନ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । 

 ଶ୍ରୀଲଙ୍କା ପରିସ୍ଥିତିକୁ ନେଇ ସାରା ବିଶ୍ୱରେ ଉଦବେଗ ପ୍ରକାଶ ପାଇଛି ।  ଶାନ୍ତି ଉପାୟରେ ହେଉଥିବା ଆନ୍ଦୋଳନ ବିରୋଧରେ ସରକାରଙ୍କ ପକ୍ଷରୁ ହିଂସାର ଆଚରଣ ଉଚିତ ନୁହଁ ବୋଲି ଆମେରିକା କହିଛି । ତେବେ ଶ୍ରୀଲଙ୍କାବାସୀ ଏକାଠି ହୋଇ ଏହାର ସମାଧାନ ବାହାର କରିବା ଉଚିତ ବୋଲି ଆମେରିକା ବୈଦେଶିକ ବିଭାଗ କହିଛି । ଅନ୍ୟପକ୍ଷରେ ଶ୍ରୀଲଙ୍କାରେ ଗଣତନ୍ତ୍ର ଓ ରାଜନୈତିକ ସ୍ଥିରତା ପ୍ରତି ଭାରତ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି ।