• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ୍‌ ଲାଇନ୍‌ ମେସରେ ଖାଇବା କହିଲେ ପୋଡ଼ା ରୁଟିକୁ ପାଣିଆ ଡାଲି । ସିପାହୀଙ୍କୁ ଗାଈଗୋରୁଙ୍କ ପରି ଖାଦ୍ୟ ଦିଆଯାଉଥିବାରୁ ରାଗିଗଲେ ଏସପି । ଏଥିପାଇଁ ସେ ମେସ୍‌ ମ୍ୟାନେଜର ଉପରେ ବର୍ଷିଥିବା ଜଣାପଡ଼ିଛି । କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଫିରୋଜାବାଦରେ ଜଣେ କନଷ୍ଟେବଳଙ୍କ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ସେ ଖାଦ୍ୟର ଗୁଣବତ୍ତା ନେଇ ପ୍ରଶ୍ନ କରିଥିଲେ । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ପୋଲିସ୍ ଲାଇନ୍ ମେସ୍ ଖାଦ୍ୟକୁ ନେଇ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଛି । ଏହିକ୍ରମରେ ମେନପୁରୀ ଅଧୀକ୍ଷକ କମଲେଶ ଦୀକ୍ଷିତ ସୀପାହୀଙ୍କୁ ପରଷା ଯାଉଥିବା ଖାଦ୍ୟର ମାନ ପରଖିବା ପାଇଁ ନିଜେ ବିଭିନ୍ନ ସ୍ଥାନରେ ପହଞ୍ଚି ଯାଇଥିଲେ ।

ହେଲେ ପୋଲିସ୍‌ଙ୍କୁ ଦିଆଯାଉଥିବା ଖାଦ୍ୟ ଦେଖି ସେ ଅସଲ କଥା ଜାଣି ପାରିଛନ୍ତି । ଏତେ ସମୟ ଖରାତରାରେ ଡ୍ୟୁଟି କରୁଥିବା ସିପାହୀଙ୍କୁ ଖାଦ୍ୟ ନାମରେ ମିଳୁଛି ଅଖାଦ୍ୟ । ପାଣିଆ ଡାଲି ଓ ରୁଟିରେ ସେମାନଙ୍କୁ କେତେ ବଳ ମିଳିବ । ସୁଷମ ଖାଦ୍ୟ ନଖାଇଲେ କାମ କିପରି ହୋଇପାରିବ । ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ବେଳେ ପାଣିଆ ଡାଲି ଓ ରୁଟି ଦେଖି ମେନପୁରୀର ଏସପିଙ୍କ ରାଗ କହିଲେ ନସରେ ।

ସର୍ବପ୍ରଥମେ ସେ ରୁଟି ଦେଖିବା ପାଇଁ ଏକ ପୋଲିସ୍‌ ଲାଇନ୍‌ ମେସରେ ପହଞ୍ଚିଥିଲେ । ହେଲେ ପୋଡିଯାଇଥିବା ରୁଟି ଦେଖିବା ପରେ ସେ ରୁଟି ତିଆରି କରୁଥିବା ମହିଳାଙ୍କୁ ଭଲ ଖାଦ୍ୟ ଦେବାକୁ କହିଥିଲେ । ତା’ପରେ ମେସ୍‌ ମ୍ୟାନେଲରକୁ ଡାକି କ୍ଲାସ୍‌ ନେଇଥିଲେ । ତେବେ ବଡ଼ ବାବୁଙ୍କ ନାଲି ଆଖି ଦେଖି ଦୁଇ-ତିନି ଦିନ ମଧ୍ୟରେ ଏସବୁରେ ପରିବର୍ତ୍ତନ ହେବ ବୋଲି କଥା ମଧ୍ୟ ଦେଇଥିଲେ ।

ଏହାପରେ ଏସପି କମଲେଶ ଦୀକ୍ଷିତ୍ ଅନ୍ୟ ସ୍ଥାନକୁ ଯାଇଥିଲେ, ଯେଉଁଠାରେ ତରକାରୀ ଏବଂ ଡାଲି ତିଆରି ହୁଏ । ହେଲେ ଡାଲି ଦେଖି ତାଙ୍କ ହୋସ୍‌ ଉଡ଼ିଯାଇଥିଲେ । ଡାଲି ନୁହେଁ ତ ଖାଲି ପାଣି ହିଁ ଥିଲା । ପାଣିଆ ଡାଲି ଦେଖି ସେ ପ୍ରବଳ ରାଗିଯିବା ସହ ମେସ୍ ମ୍ୟାନେଜରଙ୍କୁ 'ଅଯୋଗ୍ୟ' କହି ଗାଳି କରିଥିଲେ । ଖାଦ୍ୟର ଗୁଣବତ୍ତା ଦେଖି କଠୋର ନିନ୍ଦା କରିବା ସହ ଉତ୍ତମ ଖାଦ୍ୟ ଦେବା ପାଇଁ କଠୋର ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ ଫିରୋଜାବାଦରେ ଜଣେ କନଷ୍ଟେବଳ ମନୋଜ କୁମାର ପୋଡ଼ା ରୁଟି ଓ ପାଣିଆ ଡାଲି ଖାଇବାକୁ ଦିଆଯାଉଥିବା କହି ରାସ୍ତାରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ସରକାର ଆମକୁ ୧୨-୧୨ ଘଣ୍ଟା କାମ କରାଉଥିବା ବେଳେ ଏପରି ଖାଦ୍ୟ ଦେଉଥିବା ସେ ଅଭିଯାଗ କରିଥିଲେ । ସିପାହୀଙ୍କ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା କହୁଛନ୍ତି, କିନ୍ତୁ ପୋଲିସ କର୍ମଚାରୀମାନେ ଭଲ ଖାଦ୍ୟ ପାଇପାରୁ ନାହାଁନ୍ତି ବୋଲି କାନ୍ଦି କାନ୍ଦି କହିଥିଲେ ।

ତେବେ ବରିଷ୍ଠ ଅଧିକାରୀମାନେ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମନୋଜ କୁମାରଙ୍କୁ ଜିପ୍‌ରେ ଥାନାକୁ ନେଇଯାଇଥିଲେ । କନଷ୍ଟେବଳ ମନୋଜ ରାସ୍ତାରେ ଡିଜିପି କାର୍ଯ୍ୟାଳୟ ଆଗରେ ଖାଦ୍ୟର ଗୁଣବତ୍ତା ଉପରେ ଅଭିଯୋଗ କରିଥିଲେ ।