• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦାୟିତ୍ୱ ତଳେ ଦବିଯାଉଛି ଶୈଶବ । ପରିବାର ପାଇଁ ମେରୁଦଣ୍ଡ ସାଜିଛି କୁନି ପୁଅ । ପାଠପଢ଼ା, ଖେଳକୁଦ, ବୁଲାବୁଲି ବୟସରେ ଆଜି ସେ ଡେଲିଭରି ବୟ । ହେଲେ ତା’ର ଏ ପରିଶ୍ରମ କେବେ ବୃଥା ଯିବନି । ଦିନେ ସେ ବି ବଡ଼ବାବୁ ହେବ, ଗାଡ଼ି ଚଢ଼ିବ ଆଉ ରାଜଉଆସରେ ରହିବ । ଘର ପରିବାର ସବୁ ଶାନ୍ତିରେ ରହିବେ । ସେଥିପାଇଁ ଦିନରେ ପାଠ ପଢ଼ିବା ପାଇଁ ଯାଉଥିବା ବେଳେ ସନ୍ଧ୍ୟା ୬ଟାରେ ସାଜୁଛି ଜୋମାଟ୍ ବୟ । ସାଇକେଲ ଚଳାଇବା ପାଇଁ ଗୋଡ଼ ପାଉନି, ତଥାପି ଠିକ୍ ସମୟରେ ଲୋକଙ୍କ ଗୋଡ଼ ତଳେ ଖାଦ୍ୟ ପହଞ୍ଚେଇ ଆସୁଛି । କୁନି ଡେଲିଭରି ବୟର ଭିଡିଓ ଭାଇରାଲ ହେବା ପରେ ଚାରିଆଡ଼େ ପ୍ରଶଂସାର ସୁଅ ଛୁଟୁଛି ।

ବାପାଙ୍କ ଦୁର୍ଘଟଣା ପରେ ଘରର ବୋଝ ଉଠାଇଛି ୭ ବର୍ଷର ନାବାଳକ । ଦୁର୍ଘଟଣା ପରେ ବାପା କାମକୁ ଯାଇ ପାରୁନାହାନ୍ତି । ସେଥିପାଇଁ ଏ ବୟସରେ ସେ ଘରର ମୁରବୀ ଭଳି ସବୁ ବୋଝ ମୁଣ୍ଡକୁ ନେଇଛି । ତେବେ ପରିବାରକୁ ମୁଣ୍ଡାଇ ଚାଲୁଥିବା ପିଲାଟି କର୍ତ୍ତବ୍ୟ କରିଛି ସତ, ହେଲେ ତା’ ସ୍ୱପ୍ନକୁ ଭାଙ୍ଗି ଦେଇନି । ଘର ଚଳାଇବା ସହ ପାଠପଢ଼ା ଜାରି ରଖିଛି । ଅଧିକ ସମୟ ପରିଶ୍ରମ କରୁଥିଲେ ସୁଦ୍ଧା ଥକିଯାଇନି ସେ । ଦିନରେ ସ୍କୁଲକୁ ଯାଉଥିବା ବେଳେ ରାତିରେ ସେ ଡେଲିଭରି ବୟ୍‌ ପାଲଟିଛି । ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମାତନ୍ତି, ସେହି ବୟସରେ ସେ ଫୁଡ୍‌ ଡେଲିଭରି କରୁଛି । ସେ ରାତି ୧୧ ଟା ପର୍ଯ୍ୟନ୍ତ ସାଇକେଲ ଯୋଗେ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା ପାଇଁ କାମ କରୁଛି ।

ଜଣେ ଟ୍ୱିଟର ୟୁଜର ରାହୁଲ ମିତ୍ତଲ ନାବାଳଙ୍କ ଏହି ଭିଡିଓକୁ ଟ୍ୱିଟ କରିଛନ୍ତି । ପିଲାଟିର ମନୋବଳ ଦେଖି ଲୋକେ ତାକୁ ସାବାସୀ ଦେବା ସହ ପ୍ରଶଂସାରେ ପୋତି ପକାଉଛନ୍ତି । ଭିଡିଓ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି "ଏହି ୭ ବର୍ଷର ବାଳକ ତାଙ୍କ ବାପା କରୁଥିବା କାମ କରୁଛି । ପିଲାଟିକୁ ଭଗବାନ୍‌ ଶକ୍ତି ଦିଅନ୍ତୁ ବୋଲି ୟୁଜର ଲେଖିଛନ୍ତି ।

ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓକୁ ୩୪,୦୦୦ ରୁ ଅଧିକ ଭ୍ୟୁ ହୋଇସାରିଛି । ଅନେକ ୟୁଜର ବାଳକଙ୍କର ସାହସକୁ ପ୍ରଶଂସା କରିଛନ୍ତି । ଅନେକ ଲୋକ ଏହାକୁ ଏକ ଦୁଃଖଦ ବୋଲି କହୁଥିବା ବେଳେ କିଛି ତାକୁ ସାବାସୀ ଦେଇଛନ୍ତି ।