• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମଶା ଧୂଆଁ ନେଲା ୫ ନୀରିହ ଜୀବନ । ଅଣନିଶ୍ୱାସୀ ହୋଇ ଚାଲିଗଲେ ୫ ଶିଶୁ । ଘଟଣାରେ ଦୁଇ ଜଣ ଗୁରୁତର ମଧ୍ୟ ଅଛନ୍ତି । ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘରେ ୭ ଜଣ ଶୋଇଥିବା ବେଳେ ସକାଳେ ମାତ୍ର ୨ ଜଣ ଜୀବିତ ଥିବା ବେଳେ ୫ ଜଣ ପ୍ରାଣ ହରାଇଥିଲେ ।

ପୋଲିସର ସୂଚନାନୁଯାୟୀ ସୋମବାର ଗୋଟିଏ ଘରେ ମୋଟ ୭ ଜଣ ଶୋଇଥିଲେ । ରାତିରେ ଶୋଇବା ବେଳେ ଘରେ ମଶା ଧୂପ ଲଗାଇଥିଲେ । ହଠାତ ରାତିରେ ଅତ୍ୟଧିକ ଧୂଆଁ କାରଣରୁ ଶୋଇଥିବା ୫ ଶିଶୁଙ୍କ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଅକ୍ସିଜେନ୍‌ ଅଭାବରୁ ୫ ଜଣ ଶିଶୁ ପ୍ରାଣ ହରାଇଥିଲେ । ଆଉ ୨ ଜଣ ଏବେ ମେଡିକାଲ୍‌ରେ ଗୁରୁତର ଅଛନ୍ତି ।

ଘଟଣାଟି ମଙ୍ଗଳବାର ସଂଧ୍ୟାରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଘରର କୌଣସି ସଦସ୍ୟ ସେ ରୁମ୍‌ରୁ ନ ବାହାରିବାରୁ ପଡ଼ୋଶୀ ଓ ସମ୍ପର୍କୀୟ କବାଟ ଭାଙ୍ଗି ପଶିଥିଲେ । ୫ ଜଣ ଶିଶୁ ପ୍ରାଣ ହରାଇଥିବା ଦେଖିବାକୁ ମିଳିଥିଲା । ଘରଟି ବାସ୍ତବରେ ରିହାଜୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କର । ସେଦିନ ରାତିରେ ରିହାଜଙ୍କ ସ୍ତ୍ରୀ ଓ ଭାଇଙ୍କ ସମେତ ତାଙ୍କ ୩ ପିଲା ଓ ସମ୍ପର୍କୀୟଙ୍କ ୨ ପିଲା ଶୋଇଥିଲେ । ମଶା ଧୂପରେ ଅଣନିଶ୍ୱାସୀ ହୋଇ ୫ ଜଣ ପିଲାଙ୍କ ଜୀବନ ଯାଇଥିବା ବେଳେ ରିହାଜଙ୍କ ସ୍ତ୍ରୀ ଓ ଭାଇ ଏବେ ବି ଗୁରୁତର ରହିଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲା । ଘଟଣାର ଟିକିନିକି ତଦନ୍ତ ଚଳାଇଛି ପୋଲିସ । ଏହାପଛରେ ଆଉ କେଉଁ କାରଣ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି । ମୁଖ୍ୟତଃ ମଶା ଧୂଆଁରୁ ଅଙ୍ଗାରକାମ୍ଳ, କାର୍ବନ ମନୋକ୍ସାଇଡ୍‌ ନିର୍ଗତ ହୋଇଥାଏ । ଯାହା ଅକ୍ସିଜେନ୍‌ର ପରିମାଣକୁ ହ୍ରାସ କରେ । ଯାହାଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହୁଏ । ଅକ୍ସିଜେନ୍‌ ଅଭାବରୁ ପ୍ରାୟ ଲୋକ ପ୍ରାଣ ହରାଇଥାନ୍ତି ।