• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁଟବୁଟ୍‌ ସାଙ୍ଗକୁ ଦାମିକିଆ ଚଷମା । ଟ୍ରେଣ୍ଡ୍ ଅନୁସାରେ ଦାଢ଼ିର ଷ୍ଟାଇଲ୍‌ । ଦିନ ମଜୁରିଆରୁ ହାଇଫାଇ ମଡେଲ୍‌ । ଜୀବନର ମୋଡ଼ ବଦଳାଇଦେଲେ ଫଟୋଗ୍ରାଫର୍ । ଲୁଙ୍ଗି ଓ ଗାମୁଁଛା ପିନ୍ଧି ଦିନ କାଟୁଥିବା ୬୦ ବର୍ଷ ବୟସ୍କ ଶ୍ରମିକ କେବେ ଚିନ୍ତା କରିନଥିଲେ, ସେ ଦିନେ ମଡେଲ୍ ହେବେ । ହେଲେ ନିଜ ଲୁକ୍କାୟିତ ପ୍ରତିଭା ପାଇଁ ଆଜି ସେ ଇଣ୍ଟରନେଟର ସେନସେସନ୍ ପାଲଟି ଯାଇଛନ୍ତି । କୌଣସି ପ୍ରଫେସନାଲ ମଡେଲଙ୍କ ଠାରୁ ସେ କମ୍ ଦିଶୁ ନାହାନ୍ତି । ଯୁବପିଢ଼ିର ମଡେଲଙ୍କୁ କଡ଼ା ଟକ୍କର ଦେଉଛନ୍ତି ।

ପ୍ରଫେସନାଲ ମଡେଲ୍‌ ପରି ଲୁକ୍‌

କେରଳ କୋଝିଗୋଡ ସହରର ବାସିନ୍ଦା ମମିକ୍କା । ସେ ଜଣେ ଦିନ ମଜୁରିଆ । ଦିନ ସାରା କାମ କଲେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳେ, ନହେଲେ ଓପାସ । ସକାଳ ହେବାମାତ୍ରେ ପୁରୁଣା ଛିଣ୍ଡା ଲୁଙ୍ଗି ପିନ୍ଧି କାମକୁ ବାହାରି ଯାଆନ୍ତି, କଠିନ ପରିଶ୍ରମ କରନ୍ତି । ତେବେ ଯେତେବେଳେ ଜଣେ ଫଟୋଗ୍ରାଫର (shk_digital) ତାଙ୍କୁ ନିଜ ପ୍ରୋଜେକ୍ଟରେ ସାମିଲ କରିଥିଲେ, ମମିକ୍କାଙ୍କ ଭାଗ୍ୟ ବଦଳିଗଲା ।

ମମିକ୍କାଙ୍କ ପ୍ରତିଭା ଚିହ୍ନିଲେ ଫଟୋଗ୍ରାଫର୍

ରାତାରାତି ଆଜି ସେ ଷ୍ଟାର ପାଲଟି ଯାଇଛନ୍ତି । ଫଟୋଗ୍ରାଫର ଜଣଙ୍କ ମେକ୍‌ ଅପର ଆଟିଷ୍ଟ ସାହାଯ୍ୟରେ ତାଙ୍କର ସୁପର ଗ୍ଲାମରସ୍ ମେକଅଭର କରିଛନ୍ତି । ତାଙ୍କ ଲୁକ୍ ଦେଖି ଇଣ୍ଟରନେଟ ହଇଚଇ ସୃଷ୍ଟି କରିଦେଇଛି । ଦିନ ମଜୁରିଆ ଜଣକ ଯେ ଏତେ ଷ୍ଟାଇଲିଷ୍ଟ ଦେଖାଯିବେ, କେହି ଚିନ୍ତା କରିପାରୁ ନାହାନ୍ତି ।

ଦିନ ମଜୁରିଆଙ୍କ ନ୍ୟୁ ମେକ୍‌ଓଭର

ଫଟୋଗ୍ରାଫର ସରିକ ଭାୟାଲିଲ (Shareek Vayalil) ହିଁ ଦିନ ମଜୁରିଆଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନି ତାଙ୍କୁ ପ୍ରୋଜେକ୍ଟ ପାଇଁ ବାଛିଥିଲେ । ଆଉ ତାଙ୍କର ସମ୍ପୂର୍ଣ୍ଣ ମେକଓଭର କରି ମଡେଲ ଭାବରେ ଉପସ୍ଥାପନ କରିଛନ୍ତି । ସରିକ ଏବେ ମମିକ୍କାଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ମମିକ୍କା କୌଣସି ମଡେଲ୍ କି ଅଭିନେତା ଠାରୁ କମ୍ ଦିଶୁ ନାହାନ୍ତି । ସୋସିଆଲ ମିଡିଆରେ ମମିକ୍କାଙ୍କ ଫଟୋ ଦେଖି ୟୁଜର ପ୍ରଶଂସା କରିବା ସହ ଫଟୋଗ୍ରାଫରଙ୍କ ଆଇଡିଆକୁ ବାହାବା ଦେଉଛନ୍ତି ।