ସଂସଦରେ ସ୍ମୋକ୍ ଆଟାକ୍ ଘଟଣାରେ ବଡ଼ ଖୁଲାସା । ଘଟଣାରେ ୪ ଜଣ ନୁହେଁ, ୬ ଜଣଙ୍କର ରହିଛି ସଂପୃକ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଗିରଫ ହୋଇଥିବା ବେଳେ, ଆଉ ଜଣେ ଫେରାର୍ ଥିବା ସୂଚନା ମିଳିଛି । ୬ ଅଭିଯୁକ୍ତ ହେଲେ ଲୋକସଭାରେ ପଶିଥିବା ସାଗର ଶର୍ମା ଓ ଡି. ମନୋରଞ୍ଜନ, ସଂସଦ ଭବନ ବାହାରେ ସ୍ମୋକ୍ କ୍ୟାନ୍ ଫୁଟାଇଥିବା ନୀଲମ ଦେବୀ ଓ ଅମୋଲ ସିନ୍ଦେ, ସେମାନଙ୍କ ସହଯୋଗୀ ଭିକି ଶର୍ମା ଏବଂ ଏହି ୫ ଜଣ ରହୁଥିବା ଘରର ମାଲିକ ଲଳିତ ଝା ।
Also Read
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସୋସିଆଲ ମିଡିଆରେ ବନ୍ଧୁତ୍ୱ ପରେ ୬ ଜଣ ଯାକ ୪ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ । ସେମାନେ ଗୁରଗାଓଁର ଗୋଟିଏ ଘରେ ରହି ଗତ ୩ ମାସ ହେଲା ଏହାର ପ୍ଲାନିଂ କରୁଥିଲେ । ୬ ଜଣ ଯାକ ସଂସଦ ଭବନ ଭିତରକୁ ଯିବାକୁ ଚାହୁଁଥିଲେ । ହେଲେ ୨ ଜଣଙ୍କୁ ପାସ୍ ମିଳିଥିଲା । ତେବେ କୌଣସି ଆତଙ୍କୀ ସଂଗଠନ ସହ ସେମାନଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ମିଳିନଥିବା ପୋଲିସ କହିଛି ।
ସେପଟେ ଅଭିଯୁକ୍ତ ସାଗର ଶର୍ମାଙ୍କୁ ଭିଜିଟର୍ସ ପାସ୍ ଦେଇଥିବା ମହିଶୂର୍ ସାଂସଦ ପ୍ରତାପ ସିହ୍ମା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତି । ସାଗରଙ୍କ ବାପା ତାଙ୍କ ନିର୍ବାଚନମଣ୍ଡଳୀ ବାସିନ୍ଦା ଏବଂ ତାଙ୍କ ଅନୁରୋଧ କ୍ରମେ ସେ ସାଗରଙ୍କୁ ପାସ୍ ଦେଇଥିଲେ ବୋଲି କହିଛନ୍ତି । ତେଣେ ଆଜିର ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି । ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରଟୋକଲ ସଂଶୋଧନ କରାଯିବ । ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ରହିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପଶିବେ । ଭିଜିଟର୍ସ ଗ୍ୟାଲେରି ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ।