• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲଗାଣ ବର୍ଷାରେ ଉବୁଟୁବୁ ତାମିଲନାଡୁ । ରାଜଧାନୀ ଚେନ୍ନାଇରେ ସ୍ଥିତି ସଂଗୀନ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୨୦୦ମିଲି ମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷାଯୋଗୁଁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ପାଣି ଜମି ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ।

ଚେନ୍ନାଇର ମାଉଣ୍ଟ ରୋଡ୍ରେ ପରିସ୍ଥିତି ଅତି ଗମ୍ଭୀର ରହିଛି । ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ରହିଥିଲା । ଏହାକୁ ସ୍ୱାଭାବିକ କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା । ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଲାଗି ତିନିଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ପରିସ୍ଥିତିକୁ ଦେଖି ଚେନ୍ନାଇ ସହ କାଞ୍ଚିପୁରମ, ଥିରୁଭାଲୁର, ଚେଙ୍ଗାଲେପାଟ୍ଟୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ଅତ୍ୟାଧିକ ବର୍ଷା କାରଣରୁ ସ୍କୁଲ, କଲେଜ ଓ ଅଦରକାରୀ ସରକାରୀ କାର୍ଯ୍ୟାଳୟକୁ ଆଜି ବନ୍ଦ ରଖାଯାଇଛି । ଚେନ୍ନାଇ ମେଟ୍ରୋ ରେଳ ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଗତକାଲି ଏକ ଘଣ୍ଟା ସମୟସୀମା ବୃଦ୍ଧି କରିଥିଲା । ଆଗାମୀ ତିନି ଦିନ ମଧ୍ୟରେ ଉତ୍ତର ଉପକୂଳ ତାମିଲନାଡୁ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ଆଖପାଖ ଅଞ୍ଚଳରେ ବିଚ୍ଛିନ୍ନ ପ୍ରବଳ ବର୍ଷା ଲାଗି ରହିବ ଏବଂ ଏହା ପରେ କ୍ରମଶଃ ହ୍ରାସ ପାଇବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।