• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର ସରକାର ଦେଶର ୪୦ଟି ମେଡିକାଲ କଲେଜର ମାନ୍ୟତା ରଦ୍ଦ କରିଛନ୍ତି । ପ୍ରାୟ ୧୫୦ଟି ମେଡିକାଲ୍ କଲେଜ ଏପର୍ଯ୍ୟନ୍ତ ସରକାରଙ୍କ ରାଡାରରେ ଅଛନ୍ତି । ଯାଞ୍ଚ ସମୟରେ ଅନେକ ପ୍ରକାରର ତ୍ରୁଟି ଦେଖାଯିବା ପରେ ମେଡିକାଲ କଲେଜ ଗୁଡ଼ିକର ମାନ୍ୟତା ବାତିଲ ହୋଇଥିବା ସୂଚନା ମିଳିଛି । ନ୍ୟାସନାଲ ମେଡିକାଲ କମିଶନର ୟୁଜି ବୋର୍ଡକୁ ଏହି ମେଡିକାଲ କଲେଜ ଗୁଡ଼ିକରେ ତ୍ରୁଟି ଦେଖାଦେଇଥିବା ସୂଚନା ଦେଇଛନ୍ତି । ଆଉ ତା’ପରେ ସେମାନଙ୍କର ସ୍ୱୀକୃତି ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ମେଡିକାଲ୍‌ କଲେଜ୍‌ର ମାନ୍ୟତା ରଦ୍ଦ ହୋଇଛି:

ଏପର୍ଯ୍ୟନ୍ତ ବାତିଲ ହୋଇଥିବା ସମସ୍ତ ୪୦ଟି ମେଡିକାଲ କଲେଜ ଗୁଜୁରାଟ, ଆସାମ, ପୁଡୁଚେରୀ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ବର୍ତ୍ତମାନ ଅନ୍ୟ ମେଡିକାଲ କଲେଜ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି । ଯାଞ୍ଚ ସମୟରେ କଲେଜ ସମସ୍ତ ସର୍ତ୍ତ ପୂରଣ କରୁନଥିଲେ ସେମାନଙ୍କର ମାନ୍ୟତା ମଧ୍ୟ ରଦ୍ଦ କରାଯିବ ।

ବାୟୋମେଟ୍ରିକ୍ ଉପସ୍ଥାନରେ ତ୍ରୁଟି:

ଏହି କଲେଜ ଗୁଡ଼ିକରେ କ୍ୟାମେରା, ବାୟୋମେଟ୍ରିକ୍ ଉପସ୍ଥାନ, ଅଧ୍ୟାପିକା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଜିନିଷରେ ତ୍ରୁଟି ପାଇବା ପରେ ଜାତୀୟ ଚିକିତ୍ସା ଆୟୋଗ ଏହି ପଦକ୍ଷେପ ନେଇଛନ୍ତି ।

ଗତ ମାସରେ କରାଯାଇଥିବା ଯାଞ୍ଚ ସମୟରେ କଲେଜ ଗୁଡ଼ିକରେ ଏହି ସବୁ ତ୍ରୁଟି ଥିବା ଦେଖିବାକୁ ମିଳିଛି । ତଥାପି ଯେଉଁ କଲେଜଗୁଡ଼ିକର ମାନ୍ୟତା ରଦ୍ଦ ହୋଇଛି, ସେମାନଙ୍କ ପାଖରେ ଏକ ବିକଳ୍ପ ରହିଛି ।

ଅପିଲ୍‌ କରିବାର ଅଧିକାର:

ମାନ୍ୟତା ରଦ୍ଦ ହୋଇଥିବା କଲେଜ୍ ଗୁଡ଼ିକ ଆଗାମୀ ୩୦ ଦିନ ମଧ୍ୟରେ ଜାତୀୟ ମେଡିକାଲ କମିଶନଙ୍କ ନିକଟରେ ପ୍ରଥମ ଅପିଲ୍‌ କରିପାରିବେ । କେବଳ ଏତିକି ନୁହେଁ ଏହି କଲେଜଗୁଡ଼ିକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ ଦ୍ୱିତୀୟ ଅପିଲ୍‌ କରିପାରିବେ । ସୂଚନା ଅନୁସାରେ ଜାତୀୟ ଚିକିତ୍ସା ଆୟୋଗ ଏବଂ ମନ୍ତ୍ରଣାଳୟକୁ କଲେଜ ପକ୍ଷରୁ କରାଯାଇଥିବା ଅପିଲକୁ ଦୁଇ ମାସ ମଧ୍ୟରେ ସମାଧାନ କରିବାକୁ ପଡିବ।