୧୨ ବ୍ରିଜ୍‌ ଭୁଶୁଡ଼ିବା ପରେ ଆକ୍ସନ, ୧୫ ଇଞ୍ଜିନିୟରଙ୍କୁ ସସ୍‌ପେଣ୍ଡ କଲେ ସରକାର

ବ୍ରିଜ୍‌ ଭୁଶୁଡ଼ିବା ମାମଲାରେ ୧୫ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଦୁଇ ଜଣ ଇଞ୍ଜିନିୟରଙ୍କଠାରୁ ସଷ୍ଟୀକରଣ ମାଗିଛନ୍ତି ସରକାର ।

15 engineers suspended

ବିହାରରେ ଦୁଇ ସପ୍ତାହ ମଧ୍ୟରେ ୧୨ଟି ବ୍ରିଜ୍‌ ଭୁଶୁଡ଼ିବା ପରେ ଆକ୍ସନ ମୁଡରେ ନୀତୀଶ ସରକାର । ବ୍ରିଜ୍‌ ଭୁଶୁଡ଼ିବା ମାମଲାରେ ୧୫ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଦୁଇ ଜଣ ଇଞ୍ଜିନିୟରଙ୍କଠାରୁ ସଷ୍ଟୀକରଣ ମାଗିଛନ୍ତି ସରକାର । ନିଲମ୍ବିତ ହୋଇଥିବା ଇଞ୍ଜିନିୟରଙ୍କ ମଧ୍ୟରେ ୪ ଜଣ ଗ୍ରାମୀଣ କାର୍ଯ୍ୟ ବିଭାଗର ଏବଂ ଅନ୍ୟ ୧୧ ଜଣ ଜଳ ସମ୍ପଦ ବିଭାଗର ବୋଲି ସୂଚନା ମିଳିଛି । ଏହା ସହ ପୁଣି ଥରେ ବ୍ରିଜ୍‌ ନିର୍ମାଣ ପାଇଁ ଆଦେଶ ଜାରି କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତଦନ୍ତ ପରେ ବ୍ରିଜ୍‌ ଭୁଶୁଡ଼ିବା ପାଇଁ ଯେଉଁ ଠିକାଦାର ଦାୟୀ ରହିବେ ସେମାନଙ୍କ ଟଙ୍କାରେ ହିଁ ନୂଆ ବ୍ରିଜ୍‌ ନିର୍ମାଣ ହେବ ।

ଜଳ ସମ୍ପଦ ବିଭାଗକୁ ଯାଞ୍ଚ କମିଟି ରିପୋର୍ଟ ଦେବା ପରେ ଏହି ୧୫ ଇଞ୍ଜିନିୟରଙ୍କ ଉପରେ ଆକ୍ସନ ନିଆଯାଇଛି । ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚୈତନ୍ୟ ପ୍ରସାଦ କହିଛନ୍ତି ଯେ, ଅନୁସନ୍ଧାନ ଇଞ୍ଜିନିୟରମାନେ ଅବହେଳିତ ଏବଂ ସଠିକ୍‌ ରକ୍ଷଣାବେକ୍ଷଣା କରୁନଥିବାରୁ ଏପରି ହୋଇଛି । ଏହି କାରଣରୁ ରାଜ୍ୟରେ ଅନେକ ଛୋଟ ବ୍ରିଜ୍ ଭୁଶୁଡି ପଡିଥିଲା । ସିୱାନ, ସାରନ, ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରନ ଓ କିଷ୍ଣନଗଞ୍ଜ ଜିଲ୍ଲାରେ ଥିବା ୧୦ଟି ବ୍ରିଜ୍‌ ଗତ ୧୫ ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିବା ସମସ୍ତଙ୍କୁ ଚକିତ କରିଛି ।

ସେପଟେ ବ୍ରିଜ୍‌ ଭୁଶୁଡ଼ିବା ଘଟଣାକୁ ନେଇ ଥମୁନି ରାଜନୀତି । ବ୍ରିଜ ଭୁଶୁଡ଼ିବା ପ୍ରସଙ୍ଗରେ ଆରଜେଡି ନେତା ତେଜସ୍ୱୀ ଯାଦବ ରାଜ୍ୟ ସରକାରଙ୍କ ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ଦଳର ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ଦିନ ସେ ନୀତୀଶ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାର ଏବଂ ବିଜେପିକୁ ଚ୍ୟାଲେଞ୍ଜ କରି ତେଜସ୍ୱୀ ଯାଦବ କହିଛନ୍ତି ଯେ ବ୍ରିଜ୍‌ ନିର୍ମାଣ ପାଇଁ ଅନୁମୋଦନ, ଟେଣ୍ଡର, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ ତାରିଖ ଲୋକଲୋଚନକୁ ଆଣନ୍ତୁ। ଏହାପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

ତେଜସ୍ୱୀ କହିଛନ୍ତି, ବିହାରରେ ଭୁଶୁଡ଼ୁଥିବା ସମସ୍ତ ବ୍ରିଜ୍‌ ସେତେବେଳେ ନିର୍ମାଣ ହୋଇଥିଲା, ଯେତେବେଳେ ଏହି ବିଭାଗ ଜେଡିୟୁ ପାଖରେ ଥିଲା । ଏହି ବ୍ରିଜ୍‌ଗୁଡ଼ିକ ଭୁଶୁଡ଼ି ପଡ଼ୁଛି କାରଣ ଏହି ନିର୍ମାଣ କାର୍ଯ୍ୟରେ ଭ୍ରଷ୍ଟାଚାର ହୋଇଛି ।