• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାତରେ ପେନ୍‌ ଆଉ ମନରେ ପାଠ ପଢ଼ିବାର ଅଦମ୍ୟ ଆଗ୍ରହ, ହେଲେ କୋଳରେ ଅଛି କୁନି ଭଉଣୀ । ଫଟୋ କହୁଛି ଅକୁଆ କାହାଣୀ । କୁନି ନୀରିହ ଝିଅଟି ଜୁଳୁ ଜୁଳ କି ଚାହିଁଛି କଳାପଟାକୁ । କୌଣସି ମତେ ପାଠପଢ଼ାରେ ଯେପରି କୌଣସି ବାଧା ସୃଷ୍ଟି ହେବନି, ପଣ କରିଛି । ସେ ଦିନ ବଡ଼ ହୋଇ ମାଆବାପାଙ୍କ ନାଁ ରଖିବ । ସୁନେଲୀ ଭବିଷ୍ୟତ ପାଇଁ ଏବେ ଠାରୁ କଷ୍ଟ ତ କରିବାକୁ ପଡ଼ିବ । କୁନି ଝିଅର ଆଗ୍ରହ ସାମ୍ନାରେ ସତରେ ବଡ଼ ବଡ଼ବଡ଼ିଆ ପିଲାଙ୍କ ପାଠପଢ଼ା ଫିକା ଲାଗୁଛି। ଏଠି ତାକୁ ପାଠପଢ଼ା ପାଇଁ କେହି ବାଧ୍ୟ କରୁନାହାନ୍ତି, ସେ ନିଜେ ବାହାରି ଯାଉଛି । ମଣିପୁରର କୁନି ଝିଅର ଏହି ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଲଗେଇ ଦେଇଛନ୍ତି । ଏହି ଫଟୋ ଦେଖି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଖି ମଧ୍ୟ ଓଦା ହୋଇଯାଇଛି । ସେ ତାଙ୍କ ଫେସବୁକ ପେଜରେ କୁନି ଝିଅର ଏହି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।

ମଣିପୁରର ଜେଲିଆଙ୍ଗ୍ରୋଙ୍ଗର ଥିତାମେଙ୍ଗଲଙ୍ଗ ଜିଲ୍ଲାର ୧୦ ବର୍ଷୀୟ କୁନି ଝିଅ ମାନିଙ୍ଗସିଲିଓ ପାମେଇ । ପ୍ରାଥମିକ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ । ପାଠ ପଢ଼ିବା ପାଇଁ ଭାରି ମନ ତାର । ହେଲେ ବାପାମା’ ସକାଳ ହେବାମାତ୍ରେ ଚାଷକାମ କରିବା ଘରୁ ପାଇଁ ବାହାରି ଯାଆନ୍ତି । ପଛରେ ଛାଡ଼ିଯାଆନ୍ତି ଚାରି କୁନି ପିଲାଙ୍କୁ । ମାନିଙ୍ଗସିଲିଓ ଚାରି ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ।

ବାପାମା’ କାମକୁ ନଗଲେ ପେଟକୁ ଦାନା ମିଳିବନି । ତେବେ ସେ ସମସ୍ତଙ୍କ ମା’ ହୋଇ ଘରେ ସାନ ଭାଇଭଉଣୀଙ୍କ ଯତ୍ନ ନିଅନ୍ତି । ଅନ୍ୟ ଭାଇ ଭଉଣୀମାନେ ଟିକିଏ ବଡ଼ ହୋଇଥିବାରୁ ସେମାନଙ୍କୁ ଛାଡ଼ି କ୍ଷୀର ଖାଉଥିବା ଭଉଣୀକୁ ସେ ସ୍କୁଲକୁ ସାଥୀରେ ନେଇଯାଉଛି। ତେବେ ଏହି ଫଟୋ ଦେଖି ୟୁଜର ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ପାଠପଢ଼ା ପ୍ରତି ସେ ସତରେ କେତେ ଉତ୍ସର୍ଗୀକୃତ ଏଥିରୁ ଜଣାପଡ଼ୁଛି ।ସୋସିଆଲ ମିଡିଆରେ ଫଟୋଟି ଖୁବ୍‌ ଭାଇରାଲ୍ ହେଉଛି ।

ମନ୍ତ୍ରୀ ବିଶ୍ୱଜିତ ସିଂ ଏହି ଫଟୋଟି ସେୟାର କରିବା ସହ ଲେଖିଛନ୍ତି, 'ଶିକ୍ଷା ପ୍ରତି ତାଙ୍କର ଉତ୍ସର୍ଗୀକୃତ ଭାବନା ମୋତେ ଆଶ୍ଚର୍ଯ୍ୟ କରିଛି । ଆଉ ସେ କୁନି ଝିଅର ଶିକ୍ଷାର ଦାୟିତ୍ୱ ନେଇଛନ୍ତି । ଅନ୍ୟପଟେ ତାଙ୍କ ପରିବାରକୁ ୧୧ ହଜାର ଟଙ୍କା ସହାୟତା ରାଶି ଦେବା ସହ ରାସନ ଯୋଗାଇ ଦେବା ପାଇଁ ପ୍ରତଶ୍ରୁତି ଦିଆଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ତାଙ୍କ ଘରକୁ ଏକ ଚାଇଲ୍ଡ ଲାଇନ୍ ସେବା ଦଳ ପଠାଇଥିଲେ ଘଟଣା ସମ୍ପର୍କରେ ବୁଝାବୁଝି କରିଛନ୍ତି । ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଫଟୋକୁ ସେୟାର କରିଛନ୍ତି ।