100km poll trek to Uttarakhand village yields just 4 votes
ଭୋଟ୍ ବେଳେ ନେତାଏ ଅନେକ ପ୍ରତିଶ୍ରୁତି ଦିଅନ୍ତି। ଜନତା ସେମାନଙ୍କୁ ବିଶ୍ୱାସ କରି ଭୋଟ୍ ବି ଦିଅନ୍ତି। ମାତ୍ର ଭୋଟ୍ ସରିଲେ ଚିତ୍ର ବଦଳିଯାଏ। ପ୍ରତିଶ୍ରୁତିର ପାଣି ଗାର ଲିଭିଯାଏ। ଜନତା ସେହିପରି ହନ୍ତସନ୍ତ ହୁଅନ୍ତି। ପ୍ରତି ୫ବର୍ଷରେ ଏଭଳି ଚିତ୍ର ଅନେକ ସ୍ଥାନରେ ଦେଖିବାକୁ ମିଳେ। ହେଲେ ଏଥର ଜନତା ଭୋଟ୍ ନ ଦେବାକୁ ପଣ କରିଛନ୍ତି। ନିର୍ବାଚନ ସମୟରେ ‘ରାସ୍ତା ନାହିଁ ତ ଭୋଟ୍ ନାହିଁ’ କହି ଗୋଟିଏ ଗାଁର ଲୋକ ଭୋଟ୍ ବର୍ଜନ କରିଛନ୍ତି। ପୋଲିଂ ଅଧିକାରୀ ଓ ଟିମ୍ ମାତ୍ର ୪ଖଣ୍ଡ ଭୋଟ୍ ନେଇ ନିରାଶ ହୋଇ ଫେରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଉତ୍ତରାଖଣ୍ଡର କାନାର ଗାଁରୁ ଏଭଳି କିଛି ଖବର ସାମନାକୁ ଆସିଛି। ଏହି ଗାଁରେ ନାନା ଅସୁବିଧା। ଗାଁ ଭିତରକୁ ଯିବାକୁ ରାସ୍ତା ଖଣ୍ଡେ ନାହିଁ। ଏଠାରେ ଗତ ଶୁକ୍ରବାର ଦିନ ଭୋଟ୍ ଗ୍ରହଣ ହୋଇଥିଲା। ମାତ୍ର ଭୋଟ୍ ଦେବାକୁ ଗାଁ ଲୋକ ଆସିଲେନି। କେବଳ ଚାରିଜଣ ଗ୍ରାମବାସୀ ଏବଂ ପୋଲିଂ ଟିମର ଚାରିଜଣ ସଦସ୍ୟ ମତଦାନ କରିଥିଲେ। ଏଥିରେ ନିରାଶ ହୋଇ ପୋଲିଂ ଟିମ୍ ଶନିବାର ଦିନ ପିଥୋରାଗଡକୁ ଫେରିଥିଲେ। ଏହା ପଛର କାରଣ ଶୁଣିଲେ ଆପଣ ବି ଭାବିବେ। ଗାଁକୁ ରାସ୍ତା ନଥିବାରୁ ସେମାନେ ଭୋଟ୍ ବର୍ଜନ କରିଥିଲେ। ୨୦୧୯ନିର୍ବାଚନ ସମୟରେ ଗାଁକୁ ରାସ୍ତା ନଥିବାରୁ ମଧ୍ୟ ସେମାନେ ଭୋଟ୍ ବର୍ଜନ କରିଥିଲେ।
ଭୋଟ୍ ପୂର୍ବରୁ ମଙ୍ଗଳବାର ଦିନ ମତଦାନ ଅଧିକାରୀ, ସୁରକ୍ଷାକର୍ମୀ ଏବଂ ଜଣେ ମାଜିଷ୍ଟ୍ରେଟଙ୍କ ସମେତ ୨୧ ଜଣିଆ ଟିମ୍ ଦିନ ପିଥୋରାଗଡ ସହରରୁ ଯାତ୍ରା ଆରମ୍ଭ କରିଥିଲେ। ଦୁର୍ଗମ ଅଞ୍ଚଳ ଅତିକ୍ରମ କରି ସେମାନେ କାନାର ନିକଟତମ ରୋଡହେଡ ବାରାମରେ ପହଞ୍ଚିଲେ। ବସରେ ୮୦ କିଲୋମିଟର ଯାତ୍ରା ପରେ ରାତି ପାଇଁ ଏକ ପ୍ରାଥମିକ ବିଦ୍ୟାଳୟରେ ବିଶ୍ରାମ ନେଇ ବୁଧବାର ସକାଳୁ କାନାର ଗାଁରେ ଅଭିମୁଖେ ବାହାରିଲେ। ୧୬ କିଲୋମିଟର ଯାତ୍ରା କରିବା ପରେ ବୁଧବାର ରାତି ପ୍ରାୟ ୭ଟା ସମୟରେ କାନାର ଗାଁରେ ପହଞ୍ଚିଲେ। ସେମାନଙ୍କ ପାଇଁ ସ୍କୁଲର ପାଚିକାମାନେ ସମସ୍ତ ବ୍ୟବସ୍ଥା କରିଥିଲେ।
କାନାର ଗାଁର ମତଦାନ ବୁଥର ଶିକ୍ଷକ ମନୋଜ କୁମାର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଆମେ ଚାରି ଦିନ ଦୁର୍ଗମ ରାସ୍ତା ଅତିକ୍ରମ କରି ବସ୍ ଯୋଗେ ୮୦ କିଲୋମିଟର ଏବଂ ପାଦରେ ୧୬ କିଲୋମିଟର ଅତିକ୍ରମ କରି ୧୮୦୦ ମିଟର ପାହାଡ ଚଢି ଗାଁରେ ପହଞ୍ଚିଥିଲୁ । ମାତ୍ର ସେଠାରୁ ଆମକୁ ନିରାଶ ହେବାକୁ ପଡିଲା। ଏହି ସମୟରେ ଗ୍ରାମବାସୀ ଭୋଟ୍ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେମାନେ କହିଥିଲେ, ଦୀର୍ଘ ବର୍ଷର ସମସ୍ୟାର ସମାଧାନ ନହେବାରୁ ସେମାନେ ଭୋଟ୍ ବର୍ଜନ କରିଛନ୍ତି। ସରକାରଙ୍କ ପାଇଁ ଏହା ଏକ ଶିକ୍ଷା। ପ୍ରତିଦିନ ଆମେ ରାସ୍ତା ପାଇଁ ହନ୍ତସନ୍ତ ହେଉଛୁ।ସେମାନଙ୍କୁ ଆମର ଭଲ କିପରି ହେବ ତାର ଚିନ୍ତା ନାହିଁ। ଏଥିପାଇଁ ସେମାନଙ୍କୁ ଭୋଟ୍ ଦେବାର କୌଣସି ଆବଶ୍ୟକତା ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713682972.jpg)