• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ଯବାନଙ୍କ ପାଇଁ ବଡ଼ ଖବର । ଏଣିକି ସେମାନଙ୍କୁ ବର୍ଷକୁ ୧୦୦ ଦିନର ଛୁଟି ମିଳିପାରେ । ନକ୍ସଲ ଦମନ ଓ ଆତଙ୍କବାଦୀ ଦମନ ସହ VVIP ଓ VIPଙ୍କ ସୁରକ୍ଷାରେ ନିୟୋଜିତ ଥିବା ଯବାନଙ୍କୁ ୧୦୦ ଦିନର ଛୁଟି ଦେବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତୁତ କରିଥିବା ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସିଏପିଏଫ(ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ) ଯବାନମାନଙ୍କୁ ବର୍ଷକୁ ଅତି କମରେ ୧୦୦ ଦିନ ସେମାନଙ୍କ ପରିବାର ସହିତ ସମୟ ବିତାଇବାକୁ ଅନୁମତି ମିଳିବ ।

ପୂର୍ବରୁ ମିଳୁଥିଲା ୭୫ ଦିନ, ଏବେ ମିଳିବ ୧୦୦ ଦିନ । ଭାରତୀୟ ସେନାରେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ସେମାନେ ପୂର୍ବରୁ ମାତ୍ର ୭୫ ଦିନର ଛୁଟି ପାଉଥିଲେ । ହେଲେ ବର୍ତ୍ତମାନ ସେମାନଙ୍କୁ ଆଉ ଅଧିକ ୨୫ ଦିନର ଛୁଟି ମିଳିବ । ଅର୍ଥାତ୍‌ ୭୫ ଦିନ ବଦଳରେ ଏଣିକି ସେମାନେ ୧୦୦ ଦିନ ନିଜ ଘର ଲୋକଙ୍କ ସହ ରହିବାର ପାଇପାରିବେ ସୁଯୋଗ । ସୂଚନା ଅନୁସାରେ, ଯେଉଁ ଯବାନମାନେ ଦୁର୍ଗମ ଅଂଚଳରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ବର୍ଷକୁ ୭୫ ଦିନ ମଧ୍ୟ ଛୁଟି ମିଳୁନି। ତେଣୁ ସବୁ ଦିଗକୁ ନଜରରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ଯବାନଙ୍କ ମାନସିକ ଚାପକୁ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଥିବା କୁହାଯାଉଛି। ଯଦି କେନ୍ଦ୍ର ସରକାର ଏହି ନିୟମ ଲାଗୁ କରନ୍ତି, ତେବେ ଦେଶର ପ୍ରାୟ୧୦ ଲକ୍ଷ ଯବାନ ଉପକୃତ ହେବେ ବୋଲି କୁହାଯାଉଛି । ତେବେ ଜଣେ ବରିଷ୍ଠ ସିଏପିଏଫ ଅଧିକାରୀ କହିଛନ୍ତି ଯେ ଆସନ୍ତା ମାସରେ ଗୃହ ମନ୍ତ୍ରାଳୟ ଏବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ ।

ସେପଟେ ନିକଟରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମହାନିର୍ଦ୍ଦେଶକ ଜେନେରାଲ କୁଲଦୀପ ସିଂ ମଧ୍ୟ କହିଥିଲେ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଅଧିକାରୀମାନେ କହିଛନ୍ତି ଯେ ୧୦୦ ଦିନିଆ ଛୁଟିଦିନର ଏହି ଯୋଜନାରେ ଯବାନମାନଙ୍କୁ ସେମାନଙ୍କ ସହର ନିକଟସ୍ଥ କିମ୍ବା ସେମାନଙ୍କ ପରିବାର ରହୁଥିବା ସ୍ଥାନରେ ପୋଷ୍ଟିଂ କରାଯାଇପାରେ ।ଏହି ପ୍ରସ୍ତାବରେ ଆସାମ ରାଇଫଲ୍ସ ଏବଂ ଏନଡିଆରଏଫ ଯବାନଙ୍କୁ ମଧ୍ୟ ସାମିଲ କରାଯିବ ।