/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701968271.jpg)
Cabinet Ministers
ଦିନେ ଥିଲେ ମାଓବାଦୀ, ଆଜି ତେଲଙ୍ଗାନାର ମନ୍ତ୍ରୀ । ଏହି ମନ୍ତ୍ରୀ ଜଣକ ହେଉଛନ୍ତି ଡି. ଅନସୂୟା ସୀତାକ୍କା । ଏସସି ଏସ୍ଟି ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ
ଆଜି ସେ ଶପଥ ନେଇଛନ୍ତି । ମୁଲକୁଲ୍ ଆସନରେ ସେ ଦୁଇ ଥର ବିଧାୟକ ହୋଇଛନ୍ତି । ୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ । ଆତ୍ମସମର୍ପଣ କରିବା ପରେ ସେ ଜନତାଙ୍କ ସେବାରେ ଲାଗିଥିଲେ ।
ରାଜନୀତିରେ ଯୋଗ ଦେଇ ସେ ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କ ସେବା କରିଥିଲେ । ଏଥିପାଇଁ ଦୁଇ ଥର ବିଧାୟକ ହେବା ସହିତ ଆଜି କ୍ୟାବିନେଟ ମନ୍ତ୍ରୀ
ହୋଇଛନ୍ତି ଅନସୂୟା ସୀତାକ୍କା । ଆଜି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସୀତାକ୍କା ଏଲବି ଷ୍ଟାଡିୟମରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବାକୁ ତାଙ୍କ ନାଁ ଡକାଯିବା ମାତ୍ରେ ସେ ପୂରା ଭାବବିହ୍ୱଳ ହୋଇଯାଇଥିଲେ । ସେ ଷ୍ଟେଜ ଆଡ଼କୁ ଯିବା ବେଳେ କରତାଳିରେ ପୂରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା।
ସେ ଏହାକୁ କିଛି ସମୟ ଛିଡ଼ା ହୋଇ ଉପଭୋଗ କରିଥିଲେ । ସମସ୍ତଙ୍କୁ ହାତ ଯୋଡ଼ି ଧନ୍ୟବାଦ ଜଣାଇଥିଲେ । ଶେଷରେ ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ ତାଙ୍କୁ ଶପଥ ପାଠ କରିବାକୁ କହିଥିଲେ । ଶପଥ ନେବା ପରେ ସେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସହ ହାତ ମିଳାଇଛନ୍ତି। ରେବନ୍ଥ ତାଙ୍କୁ ସବୁବେଳେ ଭଉଣୀ ବୋଲି କହି ଆସୁଥିଲେ। ରେବନ୍ଥଙ୍କ ପାଖରୁ ସେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧିଙ୍କ ପାଖକୁ ଯାଇ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ସୋନିଆ ତାଙ୍କୁ ଛିଡ଼ା ହୋଇ କୁଣ୍ଢାଇବା ସହ ଶୁଭେଚ୍ଛା ଜଣାଇଥିଲେ। ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରାହୁଲ ଗାନ୍ଧିଙ୍କ ସହ ମଧ୍ୟ ସେ ହାତ ମିଳାଇବାର ଦୃଶ୍ୟ ସାମ୍ନାକୁ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)