Advertisment

ନିର୍ମଳାଙ୍କ ଟାର୍ଗେଟରେ ସୋନିଆ; କହିଲେ, ଦୁର୍ବଳ ଅର୍ଥନୀତି ପାଇଁ UPA ହିଁ ଦାୟୀ

ନିର୍ମଳା କଂଗ୍ରେସକୁ କାଉଣ୍ଟର କରି କହିଛନ୍ତି ଯେ, ୟୁପିଏ ସରକାର ସମୟରେ ଅର୍ଥନୈତିକ ଅବ୍ୟବସ୍ଥା ଓ ବ୍ୟାପକ ଦୁର୍ନୀତି ପଛରେ ମୂଳ ହେଉଛି ନେତୃତ୍ୱ। ସୋନିଆ ଗାନ୍ଧି ନିଜକୁ ସୁପର୍‌ ପ୍ରାଇମ୍‌ ମିନିଷ୍ଟର ମନେ କରୁଥିଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
Nirmala Sitharaman slams UPA

Nirmala Sitharaman slams UPA

ସଂସଦରେ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କହିଲେ UPA ସରକାର ବେଳେ ସୋନିଆ ଗାନ୍ଧି ନିଜକୁ ‘ସୁପର ପ୍ରାଇମ୍‌ ମିନିଷ୍ଟର’ ଭାବୁଥିଲେ। ସେ ସମୟରେ ଅର୍ଥନୈତିକ ଅବ୍ୟବସ୍ଥା ପାଇଁ ସୋନିଆଙ୍କ ନେତୃତ୍ୱ ଦାୟୀ। 

Advertisment

ଗତକାଲି ସଂସଦରେ ଶ୍ୱେତପତ୍ର ଉପସ୍ଥାପନ କରିଥିଲେ ନିର୍ମଳା ସୀତାରମଣ। ୟୁପିଏ ସରକାର ସମୟରେ ଦେଶର ଆର୍ଥିକ ସ୍ଥିତି ଏବଂ ଏବେର ଆର୍ଥିକ ସ୍ଥିତି ବାବଦରେ ସୀତାରମଣ ସଫେଇ ରଖିଥିଲେ। ୟୁପିଏ ସରକାର ବେଳେ ଅର୍ଥନୈତିକ ଅବ୍ୟବସ୍ଥା ଓ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବର୍ଷିଥିଲେ। ସେ ସମୟରେ ଆର୍ଥିକସ୍ଥିତ ଏକ ସଙ୍କଟଜନକ ପରିସ୍ଥିତିରେ ଥିବା ନେଇ ଅଭିଯୋଗ କରିଥିଲେ। ବର୍ତ୍ତମାନ ଆମେ ଅର୍ଥନୀତିକୁ ସ୍ଥିର କରିଛୁ ଏବଂ ଏହାକୁ ପୁନରୁଦ୍ଧାର ଏବଂ ଅଭିବୃଦ୍ଧି ପଥରେ ସ୍ଥାପିତ କରିଛୁ ବୋଲି ସୀତାରମଣ କହିଥିଲେ। ତେଣୁ ୟୁପିଏ ସରକାରଙ୍କ ଉତ୍ତରାଧିକାରୀ ଭାବରେ ଛାଡି ଯାଇଥିବା ଅସମ୍ଭବ ଆହ୍ୱାନ ଗୁଡ଼ିକୁ ସାର୍ବଜନୀନ କରିବା ଜରୁରୀ ବୋଲି ସେ କହିଛନ୍ତି।

୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶର ଆର୍ଥିକ ସ୍ଥିତି ଖରାପ ନୁହଁ ବରଂ ସଙ୍କଟରେ ଥିଲା ବୋଲି ସୀତାରମଣ କହିଛନ୍ତି। ସେତେବେଳେ ୫ ଆର୍ଥିକ ଦୁର୍ବଳ ଦେଶ ମଧ୍ୟରେ ଥିଲା ଭାରତ। ଏବେ ଆମ ଦେଶ ଦୁନିଆର ୫ ଶୀର୍ଷ ଅର୍ଥବ୍ୟବସ୍ଥାରେ ଥିବା ଦେଶ ମଧ୍ୟରେ ଅଛି। ୟୁପିଏ ସରକାର ବେଳେ ଦେଖାଦେଇଥିବା ଦୁରବସ୍ଥାରେ ଏହି ବର୍ଷଗୁଡ଼ିକରେ ସୁଧାର କରାଯାଇ ସମସ୍ୟା ଦୂର ହୋଇଛି। ବିଗତ ବର୍ଷର ସନ୍ଦେହ ଓ ଅସ୍ଥିରତାକୁ ଆତ୍ମବିଶ୍ୱାସରେ ବଦଳାଇ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି।

Advertisment

ନିର୍ମଳା କଂଗ୍ରେସକୁ କାଉଣ୍ଟର କରି କହିଛନ୍ତି ଯେ, ୟୁପିଏ ସରକାର ସମୟରେ ଅର୍ଥନୈତିକ ଅବ୍ୟବସ୍ଥା ଓ ବ୍ୟାପକ ଦୁର୍ନୀତି ପଛରେ ମୂଳ ହେଉଛି ନେତୃତ୍ୱ। UPA ସରକାରରେ ନେତାହୀନ ସରକାର ଯୋଗୁ କେନ୍ଦ୍ରୀୟ ସମସ୍ୟାର ସମାଧାନ ହୋଇପାରୁନଥିଲା। ସୋନିଆ ଗାନ୍ଧି ନିଜକୁ ସୁପର୍‌ ପ୍ରାଇମ୍‌ ମିନିଷ୍ଟର ମନେ କରୁଥିଲେ। NAC ପାଖରେ ଅସଂଖ୍ୟ ଓ ଅସାମ୍ବିଧାନିକ କ୍ଷମତା ରହିଥିଲା। ଯାହାକୁ ଦୁରୂପଯୋଗ କରୁଥିଲା କଂଗ୍ରେସ।

ଅନ୍ୟପଟେ ମୋଦି ସରକାରଙ୍କ ଶ୍ୱେତପତ୍ରକୁ କଟାକ୍ଷ କରିଛି ବିରୋଧୀ କଂଗେସ। କଂଗ୍ରେସ କହିଛି, ମୋଦି ସରକାରଙ୍କ ସମୟ ହେଉଛି ସବୁଠୁ ଅନ୍ୟାୟର ସମୟ। ଏଥିରେ ଦେଶର କ’ଣ ଲାଭ ହୋଇଛି ଏବଂ ଦେଶର କେତେ ଯୁବକଯୁବତୀଙ୍କୁ ଚାକିରି ମିଳିଛି ବୋଲି ହିସାବ ମାଗିଛି କଂଗ୍ରେସ।

ବ୍ଲାକ୍ ପେପର ବନାମ ହ୍ୱାଇଟ୍‌ ପେପର। ବିଜେପି ସରକାର ଆଣିବାକୁ ଥିବା ହ୍ୱାଇଟ୍‌ ପେପରକୁ କାଉଣ୍ଟର କରିବ କଂଗ୍ରେସ। ଲୋକଲୋଚନକୁ କଂଗ୍ରେସ ଆଣିଛି ବ୍ଲାକ୍ ପେପର। ଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଅପାରଗତାକୁ ବ୍ଲାକ ପେପରରେ ଦର୍ଶାଇଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ କଂଗ୍ରେସ ଦଶ ସାଲ ଅନ୍ୟାୟ କାଲ ନାଁରେ ବ୍ଲାକ ପେପର ଜାରି କରିଛି।

କଂଗ୍ରେସର ଅଭିଯୋଗ ଉପରେ ହ୍ୱାଇଟ୍‌ ପେପର୍‌କୁ ନେଇ ନିର୍ମଳା ସୀତାରମଣ କହିଛନ୍ତି, ହ୍ୱାଇଟ୍‌ ପେପର୍‌ରେ ଦର୍ଶାଯାଇଥିବା ଅଭିଯୋଗ ଭିତ୍ତିହୀନ ନୁହେଁ। ଏଥିରେ ଉଲ୍ଲେଖ ଥିବା ସମସ୍ତ ତଥ୍ୟ ପ୍ରମାଣ ଉପରେ ଆଧାରିତ।

Congress Sonia Gandhi Finance Minister Nirmala Sitharaman
Advertisment
Advertisment