• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ନାଁରେ ମିଛପ୍ରଚାର । ହ୍ୱାଟ୍‌ସଆପ୍‌ରେ ଘୁରୁଛି ଚିଫ୍‌ ଜଷ୍ଟିସ୍‌ଙ୍କ ଫଟୋ । ଆଉ ଦିଆଯାଉଛି ମିଛ ଆହ୍ୱାନ୍‌ । ଏମିତି ଏକ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ହ୍ୱାଟ୍‌ସଆପ୍‌ ମେସେଜ୍‌ରେ ଚିଫ୍‌ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଫଟୋ ଥାଇ, ସେଥିରେ ଲେଖାଯାଇଛି ଯେ.. ‘ପ୍ରତ୍ୟେକ ବ୍ୟକ୍ତି ଏବେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସମୟ । ସରକାର ବିରୋଧରେ ସମସ୍ତେ ରାସ୍ତାକୁ ଓହ୍ଲାଇବା ଉଚିତ୍‌ ।’ 

ତେବେ ବାସ୍ତବରେ ଏଭଳି କୌଣସି ପ୍ରକାର ସମ୍ବାଦ ପ୍ରଧାନ ବିଚାରପତି ଦେଇ ନାହାନ୍ତି କିମ୍ବା ଲୋକଙ୍କୁ ଆହ୍ୱାନ ଦେଇନାହାନ୍ତି । ଆଜି ସକାଳେ ସୁପ୍ରିମ୍‌କୋର୍ଟ ସେକ୍ରଟେରୀ ଜେନେରାଲ ଅତୁଲ କୁରହେକର ଏବଂ ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ତୁସାର ମେହେତା ଏନେଇ ସ୍ପଷ୍ଟ କରିଛନ୍ତି ।

ସେକ୍ରଟେରୀ ଜେନେରାଲ ଅତୁଲ କୁରହେକର କହିଛନ୍ତି, ପ୍ରଧାନ ବିଚାରପତିଙ୍କ ନାଁରେ ଅନେକ ହ୍ୱାଟ୍‌ସଆପ୍‌ ମେସେଜ୍‌ ବୁଲୁଛି ଯାହାକି ଉଭୟ ହିନ୍ଦି ଏବଂ ଇଂରାଜୀରେ ଲେଖାଯାଇଛି । ସେସବୁ ମିଥ୍ୟା । ସେଗୁଡ଼ିକର କୌଣସି ପ୍ରକାର ବାସ୍ତବତା ନାହିଁ । ସେହି ସବୁ ଉତ୍ତେଜନା ସୃଷ୍ଟି କରୁଥିବା ମେସେଜ୍‌ ସହ ପ୍ରଧାନ ବିଚାରପତିଙ୍କ କୌଣସି ପ୍ରକାର ଲିଙ୍କ୍‌ ନାହିଁ ।

ସେହିଭଳି ସଲିସିଟର ଜେନେରାଲ ତୁସାର ମେହେତା ମଧ୍ୟ ସେହିଭଳି ସବୁ ମେସେଜ୍‌କୁ ମିଥ୍ୟା ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଏଭଳି କାର୍ଯ୍ୟ ପଛରେ ଯାହାର ବି ହାତ ରହିଛି ବା ଯେଉଁମାନେ ବି ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ମେସେଜ୍‌କୁ କେହି ବି ବିଶ୍ୱାସ ନକରନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।