ଟାଟା ହାତକୁ ଗଲା ଏୟାର ଇଣ୍ଡିଆ, ବିଶ୍ୱସ୍ତରୀୟ ସେବା ଯୋଗାଇବାକୁ ଟାଟାର ପ୍ରତିଶ୍ରୁତି

ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ଏହାର ସମସ୍ତ ସେୟାର ଟାଲାସ୍ ପ୍ରାଇଭେଟ ଲିମିଟେଡ୍‌କୁ ଟ୍ରାନ୍ସଫର୍ କରାଯାଇଛି । ଏହି କମ୍ପାନି ବର୍ତ୍ତମାନଠାରୁ ଏୟାର ଇଣ୍ଡିଆର ନୂଆ ମାଲିକ ବୋଲି କହିଛନ୍ତି ତୁହିନକାନ୍ତ ।

Tata Air India

ପୁଣି ଥରେ ଟାଟା ହାତକୁ ଗଲା ଏୟାର ଇଣ୍ଡିଆ । ବିଧିବଦ୍ଧ ଭାବେ କେନ୍ଦ୍ର ସରକାର ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରିଛନ୍ତି ଏୟାର ଇଣ୍ଡିଆ । ଏସଂପର୍କିତ ସବୁ କାଗଜପତ୍ର ଓ ଆଇନଗତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା କହିଛନ୍ତି ଡିପାର୍ଟମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ତୁହିନକାନ୍ତ ପାଣ୍ଡେ ।

ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ଏହାର ସମସ୍ତ ସେୟାର ଟାଲାସ୍ ପ୍ରାଇଭେଟ ଲିମିଟେଡ୍‌କୁ ଟ୍ରାନ୍ସଫର୍ କରାଯାଇଛି । ଏହି କମ୍ପାନି ବର୍ତ୍ତମାନଠାରୁ ଏୟାର ଇଣ୍ଡିଆର ନୂଆ ମାଲିକ ବୋଲି କହିଛନ୍ତି ତୁହିନକାନ୍ତ । ସେପଟେ ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ଫେରିଥିବାରୁ ପୁରା ଗ୍ରୁପ ବହୁତ ଖୁସି ବୋଲି କହିଛନ୍ତି ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ । ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ଏୟାର୍ ଲାଇନ୍ସ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ଟାଟା ହାତକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଟାଟା ସନ୍ସ ଚେୟାରମ୍ୟାନ ।

Modi Tata Sons

ଗତ ଅକ୍ଟୋବର ମାସରେ ହୋଇଥିବା ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍‌ର ଏକ କମ୍ପାନି ଟାଲାସ ପ୍ରାଇଭେଟ ଲିମିଟେଡ୍ ଏୟାର ଇଣ୍ଡିଆକୁ କିଣିଥିଲା । ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ କିଣିଛି ଟାଟା ଗ୍ରୁପ । ଦୀର୍ଘ ୬୭ ବର୍ଷ ପରେ ପୁଣି ଟାଟା ହାତକୁ ଫେରିଛି ଏୟାର୍ ଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ପାଇଁ ୨୦୧୭ ମସିହାରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲେ ମଧ୍ୟ ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ ।

ତେବେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା । ସ୍ପାଇସ୍ ଜେଟ୍ ୧୫ ହଜାର ଶହେ କୋଟି ଟଙ୍କାରେ ବିଡ୍ ଦାଖଲ କରିଥିବା ବେଳେ ଟାଟ୍ ସନ୍ସ ପକ୍ଷରୁ ୧୮ ହଜାର କୋଟିର ବିଡିଂ କରିଥିଲା । ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତ ପ୍ରତିଶତ ଅଂଶଧନ ହାସଲ କରିଥିବା ବେଳେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କଂପାନି ଏୟାର-ଇଣ୍ଡିଆ ସ୍ୟାଟ୍ସର ୫୦ ପ୍ରତିଶତ ଅଂଶଧନର ମାଲିକାନା ପାଇଛି । ୨୦୦୩-୦୪ ଆର୍ଥିକ ବର୍ଷ ପରଠାରୁ ଏହା କେନ୍ଦ୍ର ସରକାରଙ୍କ ପ୍ରଥମ ଘରୋଇକରଣ ପ୍ରକ୍ରିୟା ।