ସେନାରେ ଭର୍ତ୍ତି ପାଇଁ ଆରମ୍ଭ ହେଲା ନୂଆ ଯୋଜନା ‘ଅଗ୍ନିପଥ’

ଅଗ୍ନିପଥ ଯୋଜନାରେ ନିଯୁକ୍ତ ହେବେ ଅଗ୍ନିବୀର । ନିଯୁକ୍ତ ସୈନ୍ୟ ଅଗ୍ନିବୀର ନାମରେ ତିନି ବାହିନୀରେ ଭର୍ତ୍ତି ହେବେ

Agnipath

ସେନାରେ ଆରମ୍ଭ ହୋଲା ନୂଆ ନିଯୁକ୍ତି ଯୋଜନା । କୋଭିଡ୍ ଯୋଗୁଁ ଦୁଇ ବର୍ଷ ବନ୍ଦ ଥିବା ସେନା ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରାଯାଇଛି । ଅଗ୍ନିପଥ ଯୋଜନାରେ ନିଯୁକ୍ତ ସୈନ୍ୟ ଅଗ୍ନିବୀର ନାମରେ ତିନି ବାହିନୀରେ ଭର୍ତ୍ତି ହେବେ । ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ, ଏମାନଙ୍କ ୟୁନିଫର୍ମରେ ଲାଗିବାକୁ ଥିବା ଇନ୍‌ସିଗ୍ନଆ ବା ଚିହ୍ନ ମଧ୍ୟ ତିନି ବାହିନୀଠାରୁ ପୃଥକ ହେବ । ଅଗ୍ନିବୀର ପଦବୀ, ଅଫିସର ରାଙ୍କ୍ ତଳେ ରହିବ ।

ସେହିପରି ଏମାନଙ୍କ ଚାକିରୀ ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ୪ ବର୍ଷ ହେବ । ତେବେ ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ଏମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ । ଯେଉଁମାନେ ୪ ବର୍ଷ ପରେ ଅବସର ନେବେ, ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ ।

ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ । ମାତ୍ର ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ ସେମାନେ ଆଉ ୧୫ ବର୍ଷ ଲାଗି କାର୍ଯ୍ୟ କରିବେ । ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ । ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ । ସେହିପରି ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ । ପ୍ରଥମ ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୦ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ । ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରୀ ମଧ୍ୟ କରିପାରିବେ ।