ମେସିନ୍‌ କରୁଛି ମନରେଗା : ଦାଦନ ଯାଉଛନ୍ତି ଯୁବକ

ଦୁର୍ନୀତି ଏମିତି ବି ହୁଏ ! ମଣିଷ ବଦଳରେ ମେସିନ୍‌ କରୁଛି ମନରେଗା କାମ...କାମ ନପାଇ ହତାଶ ହେଲେଣି ଲୋକେ । ଏବେ ଦାଦନ ଯିବାକୁ ହେଉଛନ୍ତି ବାଧ୍ୟ

migrating

ଟିଟିଲାଗଡ ବ୍ଲକ ଖୋଲାଣ ପଞ୍ଚାୟତରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଗନ୍ଦରଗଲା ଗାଁର ଆଡକଟା ବନ୍ଧ କାମ ଜୋରସୋରରେ ଚାଲିଛି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ପ୍ରାୟ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟ ହେଉଛି । ହେଲେ ମଣିଷ ବଦଳରେ ସେଇଠି ମେସିନ୍‌ କରୁଛି କାମ । ତେବେ ମନରେଗା କାମ ମଣିଷ କରିବା ବଦଳରେ କାହିଁକି ମେସିନ୍‌ରେ ହେଉଛି ତାହା ଜାଣିବାକୁ ଚାହିଁଥିଲେ । ହେଲେ ଏନେଇ କାହା ପାଖରେ କିଛି ସୂଚନା ନାହିଁ କି ସୂଚନା ଫଳକ ବି ମରାଯାଇନି । ତେଣୁ ସେଇଠି କିଏ କାମ କରୁଛି ତାହା ଜାଣିବା ମୁସ୍କିଲ୍‌ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବନ୍ଧରେ କାମ କରିବା ପରେ ବି ଅନେକ ଶ୍ରମିକ ପାଉଣା ପାଇନାହାନ୍ତି । ହେଲେ ମେସିନ୍‌ରେ ପୁଣି କେମିତି କାମ ହେଉଛି ତାହାକୁ ନେଇ ଦେଖାଗଲାଣି ବିବାଦ । ଖାଲି ଏତିକି ନୁହେଁ ବରଂ ବକେୟା ପାଉଣା କେବେ ମିଳିବ ସେନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।

ଖାଲି ସେଇଠି ନୁହେଁ ବରଂ ଖୋଲାଣ ପଞ୍ଚାୟତ ପଥର୍ଲା ଗାଁରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାନରେଗା ଯୋଜନାରେ ତିଆରି ହେଉଛି ଶିଶୁ ଉଦ୍ୟାନ । ନିୟମ ଅନୁସାରେ, ସେଇଠି ବି ମଣିଷ କାମ କରିବାର କଥା । ହେଲେ ଦୁଃଖର କଥା ସେଇଠି ବି ମଣିଷ ବଦଳରେ ମେସିନ କରୁଛି କାମ । ତେବେ ଦୁଇ ଦୁଇଟା ମନରେଗା ଯୋଜନା ବଦଳରେ ମେସିନ୍‌ କାମ କରୁଥିବାରୁ ବଡ ଧରଣର ଦୁର୍ନୀତିର ଯୋଜନା ଥିବା ଅଭିଯୋଗ ଆଣିଛନ୍ତି ଗାଁ ଲୋକେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିନା ସୂଚନା ଫଳକରେ ମନରେଗା ଯୋଜନାରେ ମେସିନ କାମ କରୁଥିବା ନେଇ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି ଗାଁ ଲୋକେ । ଆଉ ବିଡିଓ କହୁଛନ୍ତି, ମନରେଗା ଯୋଜନାରେ ମେସିନ୍‌ ନୁହେଁ କେବଳ ମଣିଷ ହିଁ କାମ କରିବାର ନିୟମ ରହିଛି । କେଉଁ ପରିସ୍ଥିତିରେ? କାହା ଅନୁମତିରେ କାମ ହେଉଛି ତାହାର ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଟିଟିଲାଗଡ ଏମିତି ଏକ ଅଂଚଳ ଯେଉଁଠୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରମିକ କାମ ପାଇଁ ରାଜ୍ୟ ବାହାରକୁ ଯାଆନ୍ତି । ଅନେକ ସମୟରେ ଦାଦନ ଦୁଃଖ ବି ସାମ୍ନାକୁ ଆସେ । ହେଲେ ଖୋଦ୍‌ ଜିଲ୍ଲାରେ ମନରେଗା କାମରେ ଯେମିତି ଦୁର୍ନୀତି ହେଉଛି ତାହାକୁ ନେଇ ତେଜୁଛି ଅସନ୍ତୋଷ ।