ଶ୍ରୀମନ୍ଦିର ନାଟ ମଣ୍ଡପରେ ଚଢ଼ିଥିବା ଯୁବକ ଅଟକ

ଯୁବକ ଜଣଙ୍କ କୋଲକାତା ବେଲଡଙ୍ଗାର ଅଞ୍ଚଳର ସୂଚନା

ନାଟ ମଣ୍ଡପ ଉପରେ ଚଢ଼ିଗଲେ ଯୁବକ

ନାଟ ମଣ୍ଡପ ଉପରେ ଚଢ଼ିଗଲେ ଯୁବକ । ଯୁବକ ଜଣକ କୋଲକାତା ବେଲଡଙ୍ଗା ଅଞ୍ଚଳର ବୋଲି ସୂଚନା ମିଳିଛି । ବର୍ତ୍ତମାନ ଯୁବକ ଜଣକଙ୍କୁ ସିଂହଦ୍ୱାର ଥାନା ପୋଲସ୍ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛନ୍ତି ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଧୁକୁଡ଼ି ଦ୍ୱାରରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଚାହୁଁଥିଲେ, ହେଲେ ତାଙ୍କୁ ସେଥିରେ ବାଧା ଦେଇଥିଲେ ସେବାୟତ ।

ପରବର୍ତ୍ତୀ ସମୟରେ ଘଣ୍ଟି ଦ୍ୱାର ପାଖକୁ ଆସି ସେ  ନାଟ ମଣ୍ଡପରେ ପାଖରେ ଜଗମୋହନ ଆଡ଼କୁ ଅଗ୍ରସର ହେଉଥିଲେ । ଆଉ ସେତିକିବେଳେ ତାଙ୍କୁ ଚୂନରା ସେବାୟତ, ଅଗ୍ନିଶମ ବିଭାଗ ଓ ପୋଲିସ ଦେଖି ନେଇଥିଲେ । ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ତେବେ ସିଂହଦ୍ୱାର ଥାନାରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ସନ୍ଦେହ କରାଯାଉଛି । ସେ ବାରମ୍ବାର ଭଗବାନଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ଏହାସହ ସେ ତାଙ୍କ ପରିବାର ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି।

ସେପଟେ ଅଳ୍ପ ଦିନ ଭିତରେ ଏହା  ତୃତୀୟ ଘଟଣା ହୋଇଥିବାରୁ ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ। ଉଠିଛି । ଗତ କିଛି ଦିନ ତଳେ ଜଣେ ଶ୍ରୀମନ୍ଦିର ଗୁମୁଟ ଉପରୁ ତଳକୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଥିଲେ ।  ଆତ୍ମହତ୍ୟା ଉଦ୍ୟମ କରିବାର ତୁରନ୍ତ ପରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 ସେହିପରି କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲି ଭଙ୍ଗା ଘଟଣା ଆଉ ତା’ପରେ ସିଂହଦ୍ଵାର ଗୁମୁଟରୁ ଜଣେ କିନ୍ନରଙ୍କ ଆତ୍ମହତ୍ୟା ଘଟଣା ଓ ଏବେ ନାଟମଣ୍ଡପରେ ବଙ୍ଗୀୟ ଯୁବକ ଚଢିବା ଘଟଣା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।