ଚିଲିକାରେ ବିଦେଶୀ ପକ୍ଷୀଙ୍କ କଳରବ ! କିଚିରି ମିଚିରି ଶଦ୍ଦରେ ପୂରି ଉଠୁଛି ପରିବେଶ

ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ ।

ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ) : ଶୀତର ପହିଲି ସ୍ପର୍ଶରେ ନିଳାମ୍ବୁ ଚିଲିକା କୂଳରେ ଘୁରି ବୁଲୁଛନ୍ତି ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀ l ଅନ୍ୟଦିନ ମାନଙ୍କରେ ଖାଁ ଖାଁ ଦେଖାଯାଉଥିବା ଚିଲିକା ପକ୍ଷୀମାଙ୍କର କିଚିରି ମିଚିରି ଶଦ୍ଦରେ ପୂରି ଉଠିଲାଣି l କିଛିଦିନ ପାଇଁ କୁଣିଆ ସାଜି ଆସିଥିବା ଏହି ରଙ୍ଗବେରଙ୍ଗର ଅତିଥି ପକ୍ଷୀମାନଙ୍କୁ କୋଳରେ ଧରି ଯେପରି ସୁନ୍ଦରୀ ରୂପରେ ସଜେଇ ହୋଇଛି ଚିଲିକା l ଚିଲିକାରେ ବର୍ତ୍ତମାନ ଅଧିକ ଶୀତ ଅନୁଭୂତ ହେଉନଥିଲେ ହେଁ ପକ୍ଷୀଙ୍କ ଆଗମନଙ୍କୁ ଦେଖି ବେଶ ଉତ୍ସାହିତ ପକ୍ଷୀପ୍ରେମୀ l

ଚିଲିକାର ରୂପ ସତେ କେତେ ମନୋରମ ତାହା ବସ୍ତବିକ କଳନା କରିବା ଅସମ୍ଭବ l ଗତବର୍ଷ ଚିଲିକାକୁ ବିଦାୟ ଦେଇ ଯାଇଥିବା ଅତିଥିଙ୍କୁ ଚଳିତ ବର୍ଷ ପୁଣି ସ୍ୱାଗତ କଲାଣି l ନୀଳ ଆକାଶରେ ଘୁରି ବୁଲିଲେଣି ରଙ୍ଗ ବେରଙ୍ଗର ଭିନ୍ନ ଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ l ସତେ ଯେମିତି ବିଦେଶୀ ପକ୍ଷୀଙ୍କୁ କୋଳରେ ପାଇ ବେଶ ଆନନ୍ଦିତ ଚିଲିକା ରାଣୀ l ଶୀତର ପ୍ରକୋପ ଚିଲିକାରେ ପଡିନଥିବା ବେଳେ ଚିଲିକାର କିଛି କିଛି ଅଞ୍ଚଳରେ ଦେଖିବାକୁ ମିଳିଳେଣି ଲେସର ହୁଇସିଲିଙ୍ଗି ଡଗ, ସ୍ପୋଟେଡ ରେଡ ସ୍ୟାଙ୍ଗ, ଗଡୱଲ, ବ୍ରାଉନ୍‌ ହେଡେଡ ଗଲ ଆଦି ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ l ଗତ ବର୍ଷ ଶୀତର ଅଧିକ ଅନୁଭୂତ ହୋଇଥିବାରୁ ବିଦେଶୀ ପକ୍ଷୀଙ୍କୁ ପାଖରେ ପାଇନଥିବା ପକ୍ଷୀପ୍ରେମୀ ଚଳିତ ବର୍ଷ ପକ୍ଷୀଙ୍କୁ ଦେଖି ବେଶ ଉତ୍ସାହିତ l

ବିଦେଶୀ ପକ୍ଷୀଙ୍କ ଆଗମନକୁ ଦେଖି ସଜାଗ ହେଲାଣି ବନ ବିଭାଗ l ଲୋକଙ୍କୁ ସଚେତନ କରିବା ସହ ଚିଲିକା କୂଳ ମାନଙ୍କରେ ଅସ୍ଥାୟୀ କ୍ୟାମ୍ପ ତିଆରି କରି ପଇଁତରା ମାରୁଛନ୍ତି ବନ କର୍ମଚାରୀ l ଗତବର୍ଷ ବନ ବିଭାଗ ସତର୍କ ଥାଇ ମଧ୍ୟ ପକ୍ଷୀ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଆଉ ଏନେଇ କିଛିଦିନ ପାଇଁ କୁଣିଆସାଜି ଆସିଥିବା ବିଦେଶୀ ପକ୍ଷୀ କିପରି ସୁରକ୍ଷିତ ରହିବେ ତାକୁ ନେଇ ଚିନ୍ତାରେ ପ୍ରକୃତିପ୍ରେମୀ l