ପ୍ରେମିକ ପାଇଁ ସିନ୍ଦୂର ପର । ଧୋକା ଦେଇଗଲା ସାତଜନମ ସାଥି । କୁନି କୁନି ପିଲାଙ୍କ ମୁହଁକୁ ବି ଚାହିଁଲାନି । ପରପୁରୁଷର ହାତ ଧରି ଚାଲିଗଲା ଧୋକ୍କାବାଜ ସ୍ତ୍ରୀ । ସ୍ତ୍ରୀ ପାଇଁ ବହୁକଷ୍ଟରେ ତୋଳିଥିବା ଝାଟିମାଟି ବରଡାପତ୍ର ଘରେ ଆଜି ସମ୍ପୂର୍ଣ୍ଣ ଏକା ଅଲେଖ ଭୋଇ । ଦୀର୍ଘ ୧୩ବର୍ଷ ଧରି ୪ଟି ସନ୍ତାନକୁ ନେଇ ଗଢ଼ିଥିବା ସୁନାର ସଂସାର ପର ହୋଇଗଲା । ସ୍ୱାମୀର ସ୍ନେହ ଆଉ ପିଲାଙ୍କ ମା’ ଡାକ ତାଙ୍କୁ ଅଟକାଇ ପାରିଲାନି ଅନୁସୟାଙ୍କୁ । ପରକୀୟା ପ୍ରୀତି ପାଇଁ କୁନି କୁନି ପିଲା ଗୁଡ଼ିକୁ ଆଡ଼େଇ ଚାଲିଗଲେ । ତେବେ ଅନେକ ସମୟରେ ମା’ ମା’ କହି କନ୍ଦାକଟା କରୁଛନ୍ତି ପିଲାଗୁଡ଼ିକ । ହେଲେ ଅସହାୟ ବାପା ପାଖରେ କୌଣସି ବିକଳ୍ପ ନାହିଁ ।
ରେଢାଖୋଲ ଥାନା ଲୁହାପଙ୍କ ପଚାଂୟତର ଦଲ୍କି ଗାଁର ଅଲେଖ ଭୋଇ ଓ ଅନୁସୟା । ୧୩ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା । ଉଭୟଙ୍କର ଚାରି ସନ୍ତାନଅଛନ୍ତି । ୧୨,୯,୩ ବର୍ଷ ବୟସର ତିନିଝିଅ ଓ ୬ବର୍ଷ ର ଗୋଟିଏ ପୁଅ । ଅଲେଖ ମଜୁରୀ କରି ସୁଖେଦୁଃଖେ ସଂସାର ଚଳାଉଥିଲେ । ହେଲେ ଦୁଇମାସ ତଳେ ସବୁ କିଛି ଓଲଟପାଲଟ ହୋଇଗଲା । ପରପୁରୁଷ ପ୍ରେମରେ ପାଗଳିନୀ ହୋଇ ମା’ର କର୍ତ୍ତବ୍ୟ ଭୁଲିଗଲେ ଅନୁସୟା । ଭାଇ ମେଡିକାଲରେ ପଡିଥିବା କଥା କହି ନିଜେ ଗଡିଥିବା ସଂସାରକୁ ତୁଛ କରି ଚାଲିଗଲେ ।
ଆଉ ତା’ ପରଠାରୁ ଅଲେଖଙ୍କ ଦୁନିଆ ବଦଳିଯାଇଛି । ପିଲାମାନେ ମାକୁ ଝୁରି ହେଉଛନ୍ତି । ଯେଉଁ ବୟସରେ ଖେଳକୁଦ କରି ସମୟ କଟାଇବା କଥା ଏବେ ସେ କଅଁକ କାନ୍ଧରେ ସଂସାର ଭାର ଉଠାଉଛନ୍ତି । ରୋଷେଇ କରିବା, ପାଖ ନାଳରୁ ପାଣି ଆଣିବା, ଘର ଓଳେଇବା ପର୍ୟ୍ୟନ୍ତ ସବୁ କାମ କରୁଛନ୍ତି । ବଡଝିଅ ପିଙ୍କି ଏବେ ଘରର ସବୁ କାମ କରୁଛି । ମା କଥା ମନେ ପଡିଲେ ମାଁର ଫୋଟ ଧରି ଚାରି ମନେ ପକାନ୍ତି । ହେଲେ ମା’ କ’ଣ ଆଉ ଫେରିବ । ତଥାପି ମନକୁ ଦମ୍ଭକରି ଚାରିଛୁଆକୁ ନେଇ ଜୀବନ କାଟୁନ୍ତିି ଅଲେଖ ।
ତେବେ ଗରିବ ପରିବାରକୁ ଏବେ ପର୍ଯ୍ୟନ୍ତ ସରକାର ପକ୍ଷରୁ ଘର, ରାସନ ସାମଗ୍ରୀ ପରି କୌଣସି ସହାୟତା ମିଳିନାହିଁ । ଆଉ ତାଙ୍କ ଦୁଃଖ ଦେଖି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଗାଁ ଲୋକେ ।
ରମାକାନ୍ତ ମହାନନ୍ଦ, ରେଢାଖୋଲ