ବୁଣାକାରଙ୍କୁ ଘାରିଛି କୌଳିକ ବୃତ୍ତି ହରାଇବା ଚିନ୍ତା : ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ଯନ୍ତ୍ରାଂଶ

ଦିନେ କାରିଗରଙ୍କୁ କାମରୁ ଫୁରସତ୍ ମିଳୁନଥିଲା । ଭଳିକି ଭଳି ଶାଢୀ, ଲୁଙ୍ଗି, ଗାମୁଛା ତିଆରି ହୋଇ ବିକ୍ରି ପାଇଁ ଯାଉଥିଲା॥ କିନ୍ତୁ ଏବେ ଧୂଳି ଧୁସରିତ ହୋଇ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ସାମଗ୍ରୀ ଗୁଡିକ ।

ଧୂଳି ଧୁସରିତ ହୋଇ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ସାମଗ୍ରୀ

News Summary

ମହାମାରୀ କରୋନା କାଳରେ କୌଳିକ ବୃତ୍ତି ହରାଇବା ଚିନ୍ତାରେ ବୁଣାକାର

କାମ ବନ୍ଦ ଥିବାରୁ ଦୟନୀୟ ହୋଇପଡିଛି କୋରାପୁଟ କୁଲାବିରା ପଂଚାୟତର ବୁଣାକାରଙ୍କ ଅବସ୍ଥା

ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ଯନ୍ତ୍ରାଂଶ

ଲମତାପୁଟ, ବରଗଡ଼ (ଜଗତ ଜୀବନ କାଚିମ୍ ଏବଂ ଦୀପକ ଶର୍ମା) : ବୁଣାକାରଙ୍କୁ ଘାରିଛି କୌଳିକ ବୃତ୍ତି ହରାଇବା ଚିନ୍ତା । ଦୀର୍ଘ ବର୍ଷ ହେଲା କାମ ବନ୍ଦ ପଡିଥିବାରୁ ଦୟନୀୟ ହୋଇପଡିଛି କୋରାପୁଟ କୁଲାବିରା ପଂଚାୟତର ବୁଣାକାରମାନଙ୍କ ଅବସ୍ଥା । ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ଯନ୍ତ୍ରାଂଶ ଖତ ଖାଉଛି । ତାଲିମ କେନ୍ଦ୍ର ପୁନରୁଦ୍ଧାର ପାଇଁ ଦାବି ଉଠିଛି । ସେପଟେ କରୋନା କଟକଣା ଯୋଗୁ ବରଗଡ଼ ଜିଲ୍ଲାରେ ବିକ୍ରିବଟା କମିଛି, ଫଳରେ ଆର୍ଥିକ ଅନଟନରେ କାଳ କାଟୁଛନ୍ତି ବୁଣାକାର ।

ଦିନେ କାରିଗରଙ୍କୁ କାମରୁ ଫୁରସତ୍ ମିଳୁନଥିଲା । ଭଳିକି ଭଳି ଶାଢୀ, ଲୁଙ୍ଗି, ଗାମୁଛା ତିଆରି ହୋଇ ବିକ୍ରି ପାଇଁ ଯାଉଥିଲା । କିନ୍ତୁ ଏବେ ଧୂଳି ଧୁସରିତ ହୋଇ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ସାମଗ୍ରୀ ଗୁଡିକ । ବିଭାଗୀୟ ଅଧିକାରୀଙ୍କ ରକ୍ଷଣାବେକ୍ଷଣ ଅଭାବରୁ ଗଲା ୨୫ ବର୍ଷ ହେଲା ବନ୍ଦ ପଡିଛି କୋରାପୁଟ ନନ୍ଦପୁର ବ୍ଲକର ପାତୁଆ ଗାଁର ବହୁମୁଖୀ ବୁଣାକାର ସମବାୟ ସମିତି ଓ ତାଲିମ କେନ୍ଦ୍ର । ଫଳରେ ଏହି କେନ୍ଦ୍ରରେ କାମ କରୁଥିବା କୁଲାବିରା ପଂଚାୟତର ପ୍ରାୟ ୨୦ ତନ୍ତି ପରିବାର ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ତାଲିମ କେନ୍ଦ୍ରର ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ବି ବଦଳିପାରୁନି ସ୍ଥିତି । ଏନେଇ ପଟ୍ଟାଙ୍ଗି ବିଧାୟକ କହିଛନ୍ତି, କରୋନା କଟକଣା ଯୋଗୁ ଉନ୍ନୟନ କାମ ବନ୍ଦ ରହିଛି ଏବଂ ତାଲିମ କେନ୍ଦ୍ରକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରାଯିବ ।

ସେପଟେ କରୋନା ମହାମାରୀ ଯୋଗୁ ବରଗଡ଼ ଜିଲ୍ଲାରେ ବୁଣାକାରମାନେ ଆର୍ଥିକ ଅନଟନରେ ଗତି କରୁଛନ୍ତି । ସମ୍ବଲପୁରୀ ବସ୍ତ୍ରକୁ ନେଇ ଜିଲ୍ଲାରେ ବାର୍ଷିକ ଶହେ କୋଟି ଟଙ୍କାର କାରବାର ହୋଇଥାଏ । ମାତ୍ର କଟକଣା ଯୋଗୁ ସହରର ବାଲିଜୁରୀ ସମେତ ସହରାଂଚଳ ଓ ଗ୍ରାମାଂଚଳରେ ବଜାର ବନ୍ଦ ରହିଛି । ଫଳରେ ବୁଣାକାରଙ୍କ ବସ୍ତ୍ର ବିକ୍ରି ହୋଇପାରୁନଥିବାବେଳେ କଞ୍ଚାମାଲ ଆଣିବା କଷ୍ଟକର ହୋଇପଡିଛି । ଏନେଇ ବରଗଡ଼ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ କହିଛନ୍ତି, ବୁଣାକାରଙ୍କ ପାଇଁ କୌଣସି ସରକାରୀ ଯୋଜନା ନାହିଁ । ତେବେ ଧୀରେ ଧୀରେ ବଜାର ଖୋଲୁଥିବାରୁ ବୁଣାକାରଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ।