ଏମିତି ଏକ ଗାଁ, ଯେଉଁଠି ଖଟରେ ଶୁଅନ୍ତିନାହିଁ ଲୋକେ

ଗାଁରେ କାହାରି ଘରେ ଖଟ ନାହିଁ, ଛୋଟ ପିଲା ହୁଅନ୍ତୁ କି ବୁଢା ସମସ୍ତେ ଚଟାଣରେ ପଟିଆ କିମ୍ବା ମଶିଣା ପକାଇ ଶୋଇଥାନ୍ତି।

village has no bed

ଖଟରେ ଶୋଇଲେ ଖଟ ଓଲଟି ପଡିବ। ଗ୍ରାମଦେବୀ ଅସନ୍ତୁଷ୍ଟ ହେବେ। ଘରେ ଘରେ ସାପ ବାହାରିବ। ଦେଖୁ ଦେଖୁ ଗାଁକୁ ବିପଦ ମାଡି ଆସିବ। ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏଭଳି କିଛି ବିଶ୍ୱାସକୁ ନେଇ ଦେବଗଡ ଜିଲ୍ଲା ଟିପିରିସିଙ୍ଗା ଗ୍ରାମରେ ଲୋକ ଆଜି ବି ଖଟରେ ଶୋଉନାହାନ୍ତି। ଏମିତିକି ଘରେ ବି କେହି ଖଟ ରଖିନାହାନ୍ତି। ଗ୍ରାମଦେବୀଙ୍କୁ ସମ୍ମାନ ଜଣାଇ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତଳେ ପଟିଆ ପକାଇ ଶୋଉଛନ୍ତି।

ହେତୁବାଦୀ ଓ ପରମ୍ପରାବାଦୀଙ୍କୁ ନେଇ ରାଜ୍ୟ ଉଠୁଛି ପଡୁଛି। ଏଭଳି ସମୟରେ ଗ୍ରାମବାସୀଙ୍କ ଏହି ବିଶ୍ୱାସର କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିତ। ପୂର୍ବ ପ୍ରଚଳିତ ପ୍ରଥା କିମ୍ବା ପରମ୍ପରା ମାନିବା କିଛି ନୂଆକଥା ନୁହେଁ କିନ୍ତୁ ଲୋକକଥା ବା କିମ୍ବଦନ୍ତୀ ଆଧାରରେ ଗାଁର ଲୋକ ପିଢି ପରେ ପିଢି ଖଟରେ ଶୋଉ ନାହାନ୍ତି। ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଲଇମୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଟିପିରିସିଙ୍ଗା ଗ୍ରାମରେ ଏଭଳି ଏକ ନିଆରା ତଥା ବିରଳ ପ୍ରାୟ ଚଳଣି ଯୁଗ ଯୁଗ ଧରି ଚାଲି ଆସୁଛି।

ଗାଁରେ କାହାରି ଘରେ ଖଟ ନାହିଁ, ଛୋଟ ପିଲା ହୁଅନ୍ତୁ କି ବୁଢା ସମସ୍ତେ ଚଟାଣରେ ପଟିଆ କିମ୍ବା ମଶିଣା ପକାଇ ଶୋଇଥାନ୍ତି। କାରଣ ଖଟରେ ଶୋଇଲେ ଗ୍ରାମଦେବୀ ମା’ ବରିହାଣୀ କୋପ କରିବେ। ଗାଁ ନିକଟ ଜଙ୍ଗଲ ମଧ୍ୟରେ ନାଳ କଡରେ ପୂଜା ପାଉଥିବା ମା’ ବରିହାଣୀଙ୍କୁ ସମ୍ମାନ ଜଣାଇ ଗାଁରେ ସମସ୍ତେ ତଳେ ଶୋଇଥାନ୍ତି। ଖଟର ବିକଳ୍ପ ଭାବେ ସମସ୍ତେ ପଟିଆ ବ୍ୟବହାର କରିଥାନ୍ତି। ପଟିଆର ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ପରିବାରର ସଦସ୍ୟ ମାନେ ଜଙ୍ଗଲରୁ ଖଜୁରୀ ପାଲ ସଂଗ୍ରହ କରିବା ସହ ଏହାକୁ ଶୁଖାଇ ପଟିଆ ତିଆରି କରିଥାନ୍ତି। ନିଜ ଘରେ ବ୍ୟବହାର କରିବା ସହ କେହି କେହି ବଜାରରେ ବିକ୍ରୀ କରି ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି।

ଟିପିରିସିଙ୍ଗା ଗ୍ରାମରେ ପ୍ରାୟ କିସାନ ସମ୍ପ୍ରଦାୟର ଲୋକ ଥିବା ବେଳେ ଦେଢ ଶହରୁ ଉର୍ଦ୍ଧ୍ୱ ପରିବାର ବାସ କରୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ବର୍ଷ ପୂର୍ବେ ନବବିବାହିତ ଜଣେ ଯୁବକ ବିବାହ ଭାର ସହିତ ଉପହାର ଭାବେ ଘରକୁ ଏକ ଖଟ ଆଣିଥିଲେ। ମାତ୍ର ସେଥିରେ ଶୋଇବା ବେଳକୁ ଖଟଟି ଓଲଟି ପଡିଲା ଏବଂ ନବ ବିବାହିତ ଦମ୍ପତି ଗାଁ ଲୋକଙ୍କ ଆଗରେ ଅପଦସ୍ଥ ହୋଇଥିଲେ। ଏଥିସହ ତାଙ୍କ ଘରେ ଖଟଥିବା ନେଇ ମା’ ବରିହାଣୀଙ୍କ ପୂଜକଙ୍କୁ ମଧ୍ୟ ସ୍ବପ୍ନାଦେଶ ହୋଇଥିଲା। ଫଳରେ ବାଧ୍ୟ ହୋଇ ଖଟଟିକୁ ବ୍ୟବହାର ନକରି କନ୍ୟାପିତାଙ୍କ ଘରକୁ ଫେରାଇ ଦେଇଥିଲେ। ଏଭଳି କିଛି ଘଟଣା ପାଇଁ ଗାଁରେ କେହି ଖଟ ବ୍ୟବହାର କରନ୍ତିନି। ଘରକୁ କୁଣିଆ ଆସନ୍ତୁ ବା ଗାଁକୁ କେହି ପ୍ରଶାସନିକ ଅଧିକାରୀ ଆସିଲେ ସେମାନଙ୍କୁ ମଧ୍ୟ ଖଟ ବଦଳରେ ପଟିଆ ଦିଆଯାଏ।

ବିଜ୍ଞାନ ବନାମ ବିଶ୍ୱାସ । ଆଧୁନିକ ଯୁଗରେ ବି ଲୋକ ଏଭଳି ଜୀବନ ବଂଚୁଛନ୍ତି। ଖଟ ଓଲଟିବା ଘଟଣା କେତେ ସତ କେତେ ମିଛ ସିଏ କେବଳ ଗ୍ରାମବାସୀଙ୍କୁ ହିଁ ଜଣା ମାତ୍ର ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବ ନିଶ୍ଚିତ। 

(ଦେବଗଡରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ)