Advertisment

ଏମିତି ପୁଅକୁ ଧିକ୍ ! ମାଡ଼ ଖାଇ ମେଡିକାଲ ବେଡ଼ରେ ବାପା, କଇଁ କଇଁ କାନ୍ଦୁଛି ମାଆ

ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ।

ଅଦ୍ୟତନ ହୋଇଛି
Special story

Special story

Advertisment

ଆଜି ମାଆଟିଏ କାନ୍ଦୁଛି... ଲୁଚେଇ ଲୁଚେଇ ଆଖୁରି ଲୁହ ପୋଛୁଛି... ଭାଗ୍ୟକୁ ନିନ୍ଦୁଛି... କହୁଛି ମୋ କପାଳ ଫଟା... ନ ହେଲେ ଦୁଇଦୁଇଟି ପୁଅକୁ ଜନ୍ମ ଦେଇଥିଲି କଣ ଏଇ ଦସା ଭୋଗିବାକୁ... ମତେ ହେଲାଣି ୭୦ ବର୍ଷ, ମୋ ଗେରସ୍ତକୁ ହେଲାଣି ୮୦ ବର୍ଷ। ଆଉ ଏ ବୟସରେ ପୁଅର ମାଡରେ ଆହତ ହୋଇ ମୋ ସ୍ୱାମୀ ମେଡିକାଲ ବେଡରେ ପଡ଼ିଛନ୍ତି... ମୁଁ ତାଙ୍କୁ ଜଗି ବସିଛି... । ଆମର ଏ ଅବସ୍ଥା କହିବାକୁରେ ପୁଅ ଲାଜ ଲାଗୁଛି... ଡାକ୍ତର ଆଗରେ କହି ପାରୁନୁ ପୁଅ ମାରି ଆମକୁ ଏମିତି କରିଛି।

Advertisment

ଯେଉଁ ବୟସରେ ଆମେ ଘରେ ବୁଢ଼ାବୁଢ଼ି ନାତୀ ନାତୁଣିକୁ ଧରି ଖେଳେଇବା କଥା, ହସ ଖୁସିରେ ବିତେଇବା କଥା ସେହି ସମୟରେ ଆମେ ମେଡିକାଲରେ ପଡ଼ିଛୁ । ନା କୋଉ ପୁଅ ଅଛି ନାକୋଉ ବୋହୂ... ମୋ ବୁଢ଼ାକୁ ଜଗି ମୁଁ ଏଠି ପଡ଼ିଛି। କଥାରେ ନାହିଁ ପୁଅ ଯଦି ଯୋଗ୍ୟ ଧନ କାହା ପାଇଁ ସଞ୍ଚୁ... ଆଉ ପୁଅ ଯଦି ଅଯୋଗ୍ୟ ଧନ କାହା ପାଇଁ ସଞ୍ଚୁ... ଆଜି ଯେତେବେଳେ ମୋ ପୁଅ ମାନେ ବୋପାକୁ ହାତ ଉଠଉଛନ୍ତି... ମାରି ପିଟି କଚାଡ଼ି ଦେଉଛନ୍ତି ସେତେବେଳେ କାହାକୁ କହିବି କହ ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳର ଭଗବାନ ମହାରଣା ଓ ତାଙ୍କ ସ୍ତ୍ରୀ ରେବତୀ ମହାରଣା ।ବୟସର ଅପରାହ୍ନରେ ଏମିତି ଦୟନୀୟ ଅବସ୍ଥାରେ ଆସି ମେଡିକାଲରେ ପଡ଼ିଛନ୍ତି । ପୁଅ ବୋହୂ ମିଶି ମାରିଛନ୍ତି । କି ଦୁର୍ଭାଗ୍ୟ ଯେ, ପୁଅ ନାଁରେ ଥାନାରେ ଏତଲା ଦେବାକୁ ପଡ଼ୁଛି... ପିଲାଟି ବେଳେ ଏଇ ବୁଢ଼ା ବୁଢ଼ି ପୁଅର ହାତ ଧରି ଚାଲି ଶିଖାଇଥିଲେ। ବଡ଼ ହେଲେ ପୁଅ ହେଇଥାଆନ୍ତା ଅନ୍ଧର ଲଉଡ଼ି ଆଶା ବାଡ଼ି। ହେଲେ ପୁଅ ବୋପାକୁ ବାଡ଼େଇବ ବୋଲି ଧଇଲା ଠେଙ୍ଗାବାଡ଼ି।

Advertisment

ଆଜି ଦିନରେ ମଣିଷ ଏତେ ସ୍ୱାର୍ଥପର ହୋଇ ଯାଉଛି ଯେ, ଯେଉଁ ବାପା ମାଆ ଏ ଛୁଆକୁ ଦୁନିଆକୁ ଆଣିଛି, ତାକୁ ବି ଏ ମଣିଷ ହାତ ଉଠାଇବାକୁ ସାହାସ କରୁଛି। ମାଆ ଏଠି ଓଠ ଚିପି କାନ୍ଦୁଛି, ଆଖିରୁ ଲୁହ ଝରାଉଛି, ପଣତରେ ପୋଛୁଛି। ଏ ପଣତରେ ତିନେ ସେ ପୁଅର ଧୂଳି ବାଲି ଝାଡ଼ି ଦେଇଥିବ, ଝାଳ ନାଳ ପୋଛି ଦେଇଥିବ। ହେଲେ ଆଜି ତାକୁ ନିଜ ଲୁହ ପୋଛିବାକୁ ପଡ଼ୁଛି ।

ନୀଳଗିରିରୁ ବିଶ୍ୱମ୍ଭର ଦାସଙ୍କ ରିପୋର୍ଟ

Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ