ଅଧପନ୍ତରିଆ ଅବସ୍ଥାରେ ଅତ୍ୟାଧୁନିକ ବସ ଟର୍ମିନାଲ, ଚିନ୍ତାରେ ସହରବାସୀ

ବସ ଟର୍ମିନାଲ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଠିକ ସମୟରେ ତିଆରି ହୋଇପାରୁନି ।

ବସ୍ ଟର୍ମିନାଲ ସମସ୍ୟାକୁ ନେଇ ଚିନ୍ତାରେ ସହରବାସୀ

ବସ୍ ଟର୍ମିନାଲ ସମସ୍ୟାକୁ ନେଇ ଚିନ୍ତାରେ ସହରବାସୀ । ଯାଜପୁରରେ ସଂପୂର୍ଣ୍ଣ ହେଉନି ନବ ନିର୍ମିତ ପୌର ବସ୍ ଟର୍ମିନାଲ । ସେପଟେ କୋରାପୁଟ ସେମିଳିଗୁଡ଼ାରେ ପ୍ରସ୍ତାବିତ ବସଷ୍ଟାଣ୍ଡ କାଗଜ କଲମରେ ଅଟକିଛି । ଏଭଳି ସ୍ଥିତିରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବସଷ୍ଟାଣ୍ଡ କାମ ଶୀଘ୍ର ସଂପୂର୍ଣ୍ଣ କରାଯିବ ବୋଲି କହିଛି ପ୍ରଶାସନ ।

ଅବଧି ସରିଲାଣି ହେଲେ ସମ୍ପୂର୍ଣ୍ଣ ହୋଇପାରିଲାନି ନବ ର୍ନିମିତ ଯାଜପୁର ପୌର ବସ ଟର୍ମିନାଲ । ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ଯାଜପୁର ସହରବାସୀଙ୍କୁ ଦେଇଥିବା ଉପହାର ଆଜିଯାଏ କାର୍ଯ୍ୟକ୍ଷମ ହୋଇନି । ଅତ୍ୟାଧୁନିକ ବସ ଟର୍ମିନାଲ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଟାଳିକା ସାଙ୍ଗକୁ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଥିବାରୁ ଏହା କେବେ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବ ଆଉ ଯାତ୍ରୀ ବସ ସେବା ପାଇବେ ତାକୁ ନେଇ ଅନିଶ୍ଚିତତାରେ ସହରବାସୀ ।

୨୦୧୮ ମାର୍ଚ୍ଚରେ କିଆନାଳି ଠାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଭିତ୍ତ ପ୍ରସ୍ତର ସ୍ଥାପନ କରିଥିଲେ । ୨୦୧୯ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଠିକାଦାର ଜିଲ୍ଲା ପ୍ରଶାସନ ସହ ଚୁକ୍ତି କରିଥିଲେ , ଯାହା ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନି । ପୁରୁଣା ବସଷ୍ଟାଣ୍ଡଟି ସହର ଭିତରେ ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । କୋଭିଡ କଟକଣା ଓ ମେଡିକାଲ କଲେଜ ର୍ନିମାଣ କାରଣରୁ ପ୍ରକଳ୍ପ ବିଳମ୍ବ ହୋଇଛି । ଏହା ସମ୍ପୂର୍ଣ୍ଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ ।

ଏପଟେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବସ୍ ଷ୍ଟାଣ୍ଡର ସ୍ଥିତି ବି ସମାନ । ସେମିଳିଗୁଡ଼ା ଓ ସୁନାବେଡ଼ା ମଧ୍ୟରେ ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡ କାମ କାଗଜ କଲମରେ ଅଟକିଛି । ଫଳରେ ଅସନ୍ତୋଷ ଦେଖା ଦେଇଛି । ସହରର ପୁରୁଣା ବସଷ୍ଟାଣ୍ଡ ଭିତରେ ବସ୍ ପଶିବା ଓ ବାହାରିବା ମୁସ୍କିଲ ହେଉଛି । ସଂକୀର୍ଣ୍ଣ ରାସ୍ତା ଯୋଗୁ ଲୋକେ ରାସ୍ତା କଡ଼ରେ ଅସୁରକ୍ଷିତ ଭାବେ ବସରେ ଯିବା ଆସିବା କରୁଛନ୍ତି । ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଅନ୍ୟପଟେ ପୌର ପରିଷଦ କାଯର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ପୁରୁଣା ବସ୍ ଷ୍ଟାଣ୍ଡକୁ ମରାମତି କରାଯିବ ଓ ନୂଆ ବସଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ।

ଯାଜପୁରରୁ ସଂଜୀବ୍ ନାୟକ ଓ କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ