ପାର୍କିଂ ଏରିଆ ନାହିଁ...ରାସ୍ତା ଉପରେ ଗାଡ଼ି, ହିନସ୍ତା ହେଉଛନ୍ତି ଲୋକେ

ପାରାଦୀପରେ ନାହିଁ ଟ୍ରକ୍‌ ଟର୍ମିନାଲ୍‌ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍‌ ଆରୋହୀଙ୍କ ଜୀବନ।

Traffic Problem

ବନ୍ଦରନଗରୀ ପାରାଦୀପରେ ଟ୍ରାଫିକ ସମସ୍ୟାରେ ଅଣନିଶ୍ୱାସୀ ହେଉଛନ୍ତି ସହରବାସୀ । ଟ୍ରକ୍‌ ପାର୍କିଂ ଲାଗି ଟର୍ମିନାଲ ନଥିବାରୁ ରାସ୍ତା ଉପରେ ଗାଡ ପାର୍କିଂ କରୁଛନ୍ତି ଟ୍ରକ ଡ୍ରାଇଭର । ତେଣୁ ନାହିଁନଥିବା ସମସ୍ୟାର ସାମ୍ନା କରୁଛନ୍ତି ସହରବାସୀ । ଖାଲି ଲୋକେ ହଇରାଣ ହେଉଛନ୍ତି ତାହା ନୁହେଁ ବରଂ ଦୁର୍ଘଟଣାରେ ଶହଶହ ଲୋକଙ୍କ ଅକାରଣରେ ଯାଉଛି ଜୀବନ ।

ଦିନକୁ ଦିନ ପାରାଦୀପରେ ବିପର୍ଯ୍ୟସ୍ତ ହୋଇପଡିଲାଣି ଟ୍ରାଫିକ ବ୍ୟବସ୍ଥା । ରାସ୍ତା ଉପରେ ହଜାରହଜାର ଟ୍ରକ ଅଟକି ରହୁଛି । ବେଆଇନ ପାର୍କିଂ ଉପରେ ପ୍ରଶାସନର ନିଘା ନାହିଁ । ତେଣୁ ଯିଏ ଯେଉଁଠି ପାଇଲା, ଯେମିତି ପାଇଲା ସେମିତି ଗାଡି ପାର୍କିଂ କରୁଛନ୍ତି । ସେମାନେ ବି କରିବେ କଣ? ସହରରେ ଟ୍ରକ୍ ଟର୍ମିନାଲ ତିଆରି ହେଉ ନଥିବାରୁ ତାରିଣୀଗଡା, ବିଜୟଚନ୍ଦ୍ରପୁର ଲୋକଙ୍କ ଦୁର୍ଦ୍ଦଶା ବଢିଚାଲିଛି । କାରଣ ଏଠିକା ଲୋକଙ୍କ ଲାଗି ସର୍ଭିସ ରୋଡଟିଏ ବି ନାହିଁ ।

ଖାଲି ରାସ୍ତା ଜାମ୍‌ ହେଉଛି ତାହା ନୁହେଁ ବରଂ ରାସ୍ତାରେ ଜମି ରହୁଥିବା ବାଲି, କୋଇଲାଗୁଣ୍ଡ, ଆଇରନଗୁଣ୍ଡ ସଫା ବି ହେଉନି । ତେଣୁ ବାଇକ ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି । ଗଲା ୨୦ ବର୍ଷ ହେଲାଣି ଦୋଛକିଠାରେ ଟ୍ରାଫିକ ପୋଷ୍ଟ ତିଆରି ଚାଲିଛି ଯେ ଆଜିଯାଏଁ ସରିଲା ନାହିଁ । ଖାଲି ଦୋଛକି ନୁହେଁ ବରଂ ଇଫକୋ ଛକ, ପିପିଏଲ ଗେଟ୍, ତାରିଣୀଗଡା ଭଳି ସ୍ଥାନରେ ଟ୍ରାଫିକ ପୋଷ୍ଟ ତିଆରି କରାଯାଉ ନାହିଁ । ବିଶେଷ କରି ଅଠରବାଙ୍କିଠୁ ଦୋଛକି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି ।

ତେବେ ରାସ୍ତା ସମସ୍ୟାର ସମାଧାନ ଲାଗି ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେଣି ପାରାଦୀପବାସୀ । ହେଲେ ସମୟ ତ ଗଡୁଛି କିନ୍ତୁ ସମସ୍ୟାର ସମାଧାନ ହେଉନି । ତେଣୁ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଲେଣି ସ୍ଥାନୀୟ ଲୋକେ । ସେପଟେ ପୂରା ଘଟଣାରେ ଅତିରିକ୍ତ ଜିଲ୍ଲାପାଳ କହୁଛନ୍ତି, ସମସ୍ୟାକୁ ନେଇ ପ୍ରଶାସନ ଅବଗତ ଅଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

ପାରାଦୀପରେ ଏବେ ଦୈନିକ ପ୍ରାୟ ୭ ହଜାରରୁ ଅଧିକ ଟ୍ରକ୍‌ ଯିବାଆସିବା କରୁଛି । ହେଲେ ଟ୍ରାଫିକ୍‌ ବ୍ୟବସ୍ଥା ଠିକ୍‌ରେ ନଥିବାରୁ ନାହିଁନଥିବା ସମସ୍ୟାର ସାମ୍ନା କରୁଛନ୍ତି ଲୋକେ । ତେବେ ସମୟ କହିବ କେବେ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତି ପାଉଛନ୍ତି ପାରାଦୀପବାସୀ ।