Advertisment

ବାପା ଟ୍ରକ୍‌ ଚଲାଉଥିଲେ, ପୁଅ OAS ପାଇଲେ

ବାପା ଟ୍ରକ୍‌ ଡ୍ରାଇଭର, ପୁଅ ପାଇଲା ଓଏଏସ୍‌ ଚାକିରି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ଚିତ୍ରୀ ଗ୍ରାମରେ। ଏହି ଗ୍ରାମର ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଶ୍ୱଜିତ ସାହୁ।

TRUCK DRIVER

TRUCK DRIVER

Advertisment

ଯାଜପୁର(ଅଭୟ ପତି): ବାପା ଟ୍ରକ୍‌ ଡ୍ରାଇଭର, ପୁଅ ପାଇଲା ଓଏଏସ୍‌ ଚାକିରି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ଚିତ୍ରୀ ଗ୍ରାମରେ। ଏହି ଗ୍ରାମର ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଶ୍ୱଜିତ ସାହୁ। ଚଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେଜଲ୍ଟ ତାଲିକାର ଉନବିଂଶତମ ସ୍ଥାନ ସେ ହାସଲ କରିଛନ୍ତି। ବିଶ୍ୱଜିତ ଏବେ ପୂର୍ବତଟ ରେଳବାଇର ପାରାଦୀପ ଠାରେ ଗୁଡ୍‌ସ ଟ୍ରେନର ଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ବିଶ୍ୱଜିତ କେନ୍ଦ୍ର ଅଧୀନସ୍ଥ କର୍ମଚାରୀ ହେବା ସହ ଓଡ଼ିଶା ପ୍ରଶାସନିକ ସେବା ପାଇଁ ଅତ୍ୟନ୍ତ କଠିନ ପରିଶ୍ରମ କରୁଥିଲେ। ଆଉ ଏବେ ନିଜର ଲକ୍ଷ୍ୟ ହାସଲ କରିବା ପରେ ଗାଁରେ ଖୁସିର ଲହର ଖେଳିଯାଇଛି। ଏମିତିକି ତାଙ୍କୁ ଗାଁ ଲୋକମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ସହ ଗାଁ ପରିକ୍ରମା ମଧ୍ୟ କରାଇଥିଲେ।

Advertisment

ବିଶ୍ୱଜିତ ୨୦୦୭ ମସିହାରେ ଗାଁ ପାଖ ଟୋଲକାନୀ ହାଇସ୍କୁଲରୁ ମାଟ୍ରିକ୍ ପାସ କରିଥିଲେ। ଏହାପରେ କଟକର ଏକ ଘରୋଇ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ୨ ବିଜ୍ଞାନ ପାସ୍‌ ପରେ କଳାହାଣ୍ଡି ସ୍ଥିତ ସରକାରୀ ବୈଷୟିକ ମହାବିଦ୍ୟାଳୟରୁ ମେକାନିକାଲ୍‌ ଡିଗ୍ରି ହାସଲ କରିଥିଲେ। ଏହା ପରେ ସେ ଗେଟ୍‌ ପରୀକ୍ଷାରେ ସଫଳତା ପାଇଥିଲେ ମଧ୍ୟ ଅର୍ଥାଭାବରୁ ସ୍ନାତକୋତ୍ତର ଶିକ୍ଷାରୁ ବଞ୍ଚିତ ହୋଇଥିଲେ।

Advertisment

ଟ୍ରକ ଚଲାଇ ପରିବାର ପ୍ରତିପୋଷଣ କରୁଥିବା ତାଙ୍କ ବାପା ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଶ୍ୱଜିତଙ୍କ ଆବଶ୍ୟକତା ମୁତାବକ ଅର୍ଥ ଯୋଗାଇ ପାରୁନଥିଲେ। ଏଥିପାଇଁ ବିଶ୍ୱଜିତଙ୍କୁ କିଛିମାସ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପନା କରିବାକୁ ପଡ଼ିଥିଲା। କିନ୍ତୁ ସେ ହାର ମାନିନଥିଲେ। ୨୦୧୮ ମସିହା ସେପ୍ଟେମ୍ବର ମାସ ୩୦ ତାରିଖରେ ଚଢ଼େଇଧରା ଠାରେ ଏକ ସଡ଼କ ଦୁର୍ଘଟଣାରେ ବାପା ରବୀନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାରର ସବୁ ବୋଝ ବିଶ୍ୱଜିତଙ୍କ ଉପରେ ଲଦିହୋଇ ପଡ଼ିଥିଲା। ପୂର୍ବରୁ ବ୍ରେନ୍ ମ୍ୟାଲେରିଆରେ ଜଣେ ସାନଭଉଣୀର ମୃତ୍ୟୁ ଓ ପରେ ବାପାଙ୍କ ମୃତ୍ୟୁ ତାଙ୍କୁ ମାନସିକ ଆଘାତ ଦେଇଥିଲା। ଘରେ ବିଧବା ମାଆ ଓ ସାନଭଉଣୀର ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା। ଫଳରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବି ପାଇଁ ତାଙ୍କୁ ଇଣ୍ଟରଭ୍ୟୁ ଦେବାକୁ ପଡ଼ିଥିଲା। ୨୦୧୮ ମସିହା ନଭେମ୍ବର ମାସରୁ ୩ ବର୍ଷ ଧରି ତାଙ୍କୁ ପୂର୍ବତଟ ରେଳବାଇ ପାରାଦୀପରେ ଗୁଡ୍‌ସ ଟ୍ରେନର ଗାର୍ଡ ଭାବେ ଚାକିରି କରିବାକୁ ପଡ଼ିଥିଲା। କର୍ମକ୍ଷେତ୍ରରେ କୌଣସି ଅବହେଳା କରି ନଥିବା ବିଶ୍ୱଜିତ୍ ନିଜ ସାଧନାରୁ ବିଚ୍ୟୁତ ହୋଇନଥିଲେ। ଅଭାବ ଓ ଦୁଃଖକଷ୍ଟ ମଧ୍ୟରେ ଅଧ୍ୟବସାୟ ତାଙ୍କୁ ଆଜି ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛି ବୋଲି ସେ କହି‌ଛନ୍ତି।

Odisha Jajpur OAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ