ବାଃ ବାଃରେ ସରକାର; ଶୁଣିଲାନି ପ୍ରଶାସନ, ଚାନ୍ଦାମାଗି କଲେ ରାସ୍ତା

ଗାଁରେ ପ୍ରାୟ ୪ଶହ ପରିବାର ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ ।

ଚାନ୍ଦାମାଗି କଲେ ରାସ୍ତା

ପ୍ରହସନ ପାଲଟିଛି ସରକାରୀ ଯୋଜନା । ଲୋକଙ୍କ ନିକଟରେ ପହଞ୍ଚୁନି ମୌଳିକ ସୁବିଧା । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ କି ଶୁଣୁନାହାନ୍ତି ସରକାର । ରାସ୍ତା ମରାମତିକୁ ନେଇ ନେତା ଓ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି ସଗର ଗାଁର ଲୋକେ ।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକର ବଡ ସଗର ଗାଁ । ଗାଁରେ ପ୍ରାୟ ୪ଶହ ପରିବାରର ଲୋକେ ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ତେଣୁ ନାନା ସସସ୍ୟାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ । ଏମିତି କି ରାସ୍ତା ଭଲ ନଥିବାରୁ ଅନେକ ଲୋକଙ୍କୁ ଦୁର୍ଘଟଣା ସମ୍ମୁଖୀନ ହେବାକୁ ପଡିଛି ।

ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗାଁର ଯୁବପିଢ଼ି ଏକତ୍ରିତ ହୋଇ ଘରେ ଘରେ ଚାନ୍ଦା ଆଦାୟ କରି ରାସ୍ତା ମରାମତି କରିଛନ୍ତି ।

ଗାଁର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଥିବା ନେଇ ବହୁବାର ସାଂସଦ, ବିଧାୟକ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ବିଧାୟକ ବଡ଼ ସଗର ଗାଁ ପରିଦର୍ଶନ କରି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସେପଟେ ଜିଲ୍ଲା ପ୍ରଶାସନ ଠାରୁ ଅନୁମୋଦନ ଆସିଲେ ତୁରନ୍ତ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି ତୁସୁବା ସରପଞ୍ଚ ।

(କୋରାପୁଟରୁ ଜଗତ ଜୀବନଙ୍କ ରିପୋର୍ଟ, ଓଟିଭି)