fence for crocodile
କେନ୍ଦ୍ରପଡ଼ା(ମନୋଜ ସ୍ୱାଇଁ ): କୁମ୍ଭୀର-ମଣିଷ ଲଢେଇ ନୂଆ ନୁହେଁ। କେତେବେଳେ କୁମ୍ଭୀର ହାବୁଡ଼ରେ କାହାର ପ୍ରାଣ ଯିବ କିଏ ଜାଣେ ? ବିଶେଷକରି ବର୍ଷାଦିନ ଆସିଲେ ମାଡ଼ିଆସେ ଆତଙ୍କ। ନଦୀର ଜଳସ୍ତର ବଢିଲେ, କୁମ୍ଭୀର ଲୋକେ ବ୍ୟବହାର କରୁଥିବା ନଦୀଘାଟକୁ ପଳାଇ ଆସନ୍ତି। ତେଣୁ ବର୍ଷା ଆସିଲେ ଉପକୂଳିଆ ଅଞ୍ଚଳରେ ମାଡ଼ିଆସେ କୁମ୍ଭୀର ଆତଙ୍କ। ହେଲେ କୁମ୍ଭୀରଠୁ ଜୀବନ ବଞ୍ଚାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଆୟବା ପଞ୍ଚାୟତର ନଦୀ କୂଳିଆ ଲୋକେ ବାହାର କରିଛନ୍ତି ଉପାୟ। ବାଉଁଶ ବାଡ କରି କୁମ୍ଭୀର ଆତଙ୍କରୁ ଜୀବନ ବଞ୍ଚାଇବା ପାଇଁ କରୁଛନ୍ତି ଉପାୟ । ହେଲେ ସତରେ କ’ଣ ଏହି ବାଡ ତାଙ୍କୁ ଦେବ ସୁରକ୍ଷା ଦେବ !
କେନ୍ଦ୍ରପଡା ଆୟବା ପଞ୍ଚାୟତ ଦେଇ ବୋହିଯାଉଛି ଗୋବରୀ ନଦୀ। ବର୍ଷା ଦିନେ ନଈ ଗର୍ଭ ଫୁଲିଲେ କୁମ୍ଭୀର କୂଳରେ ଥିବା ଲୋକଙ୍କ ନିୟମିତ ବ୍ୟବହୃତ ସ୍ଥାନକୁ ପଳାଇ ଆସନ୍ତି। ଏଠି ପାଦେ ପାଦେ କୁମ୍ଭୀର ଭୟ। ଅନେକ ସମୟରେ ନଦୀରେ ଗାଧୋଇବା ବେଳେ, ନିତ୍ୟକର୍ମ ସାରିବା ବେଳେ କୁମ୍ଭୀର ହାବୁଡରେ ପଡନ୍ତି ଲୋକେ। ଗତ ୫ବର୍ଷ ଭିତରେ ଏହି ଅଞ୍ଚଳରେ ପ୍ରାୟ ୧୦ଜଣ ଲୋକ କୁମ୍ଭୀରର ଶିକାର ପାଲଟି ଯାଇଛନ୍ତି। ଏହା ବ୍ୟତୀତ ଅନେକ ଗୃହପାଳିତ ପଶୁଙ୍କୁ ନଦୀର ଆଁକୁ ନେଇଯାଇଛି କୁମ୍ଭୀର। ଯାହାକୁ ନେଇ ଭୟଭୀତ ସ୍ଥାନୀୟ ଲୋକେ।
Also Read
କିନ୍ତୁ ନଦୀକୁ ନ ଆସିଲେ ବି ନ ଚଳେ। କାରଣ ପଞ୍ଚାୟତରେ ପାଣିର ସେଭଳି ସୁବିଧା ନଥିବାରୁ ଗାଧୁଆ ପାଧୁଆଠୁ ନେଇ ବାସନ ମଜା, ଲୁଗା ସଫା, ମାଛ ଧରିବା ଏସବୁ ପାଇଁ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି ଏଇ ଗୋବରୀ ନଦୀ ଉପରେ। ସେଥିପାଇଁ ସୁରକ୍ଷା ଲାଗି ବାରମ୍ବାର ଦାବି କରିଛନ୍ତି ପ୍ରଶାସନ ପାଖରେ। ହେଲେ କିଛି ସୁଫଳ ନମିଳିବାରୁ ନିଜ ସୁରକ୍ଷା ନିଜେ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ନିଜ ପ୍ରଚେଷ୍ଟାରେ ତିଆରି କରିଛନ୍ତି ଏହି ବାଉଁଶ ବାଡ। ତେବେ ଏହି ବାଉଁଶ ବାଡ ଯେ ସମ୍ପୂର୍ଣ୍ଣ ଭାବେ ତାଙ୍କୁ କୁମ୍ଭୀର ଦାଉରୁ ରକ୍ଷା କରିବ ତାହା ନୁହେଁ, ମାନସିକ ଭାବେ ସାହସ ଆଉ ଦମ୍ଭ ଦବ ନିଶ୍ଚୟ ।
ଜିଲ୍ଲାପାଳ ଅମ୍ରିତ ଋତୁରାଜ କହନ୍ତି, ଗୋବରୀ ନଦୀର ଗଣ୍ଡାଖିଆ ପାଖରେ କୁମ୍ଭୀର ଆତଙ୍କ ରହୁଛି। ବିଭାଗକୁ ଖବର ଦେଇ ଆମେ ଗ୍ରାମଲୋକଙ୍କୁ ସୁରକ୍ଷା ପାଇଁ ବ୍ୟବସ୍ଥା କରିବୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us