Bali Mafia
ବେଧଡକ ଚାଲିଛି ବାଲି ମାଫିଆଙ୍କ ରାଜ୍ । ହାନି ହେଉଛି ରାଜସ୍ବ, ମାଲେମାଲେ ହେଉଛନ୍ତି ମାଫିଆ । ପ୍ରଶାସନର ନଜର ଆଢୁଆଳରେ ଚାଲିଛି ବାଲି ଚୋରି । ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ସୀମାରେ ଚାଲିଛି ଆନ୍ତଃରାଜ୍ୟ ବାଲି ଚୋରା ଚାଲାଣ । ଆଉ ଏଠି ପ୍ରଶାସନ ସାଜିଛି ନିଦା ବିଷ୍ଣୁ ।
ସବୁଆଡ଼େ ବଡ଼ ବଡ଼ ଗାତ । ସତେ ଯେମିତି ପୋଖରୀ ଖୋଳା ଯାଇଛି । ଆଉ ଏହାର ପ୍ରକୃତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦିନରାତି ସରକାରୀ ଜାଗାରୁ ବେଆଇନ ଭାବେ ଚାଲିଛି ବାଲି ଚୋରା ଚାଲାଣ । ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ବାଲେଶ୍ବର ଭୋଗରାଇର ସୀମାନ୍ତ ମାନକୁଣ୍ଡା ଅଞ୍ଚଳର । ପଶ୍ଚିମବଙ୍ଗକୁ ଲାଗି ରହିଥିବା ଏହି ଗାଁ ଏବେ ବଙ୍ଗୀୟ ଦଲାଲଙ୍କ କବଜାରେ । ଓଡିଶାର କିଛି ମୁଷ୍ଟିମେୟ ଲୋକଙ୍କ ସହଯୋଗରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ବିକ୍ରି କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଭୋଗରାଇ ବ୍ଲକର ମାନକୁଣ୍ଡା ଅନଳିଆ, ନସରାବାଦ, ଓ ହଡକି ଭଳି ଗାଁର ସରକାରୀ ଜାଗାରୁ ଦୀର୍ଘଦିନ ଧରି ଏମିତି ଚାଲିଛି ବାଲି ଚୋରା ଚାଲାଣ । ଆଉ ଏହାର ପ୍ରତିବାଦ କଲେ ମାଫିଆମାନେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ବାରମ୍ବାର ଜଣାଇଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ତଦନ୍ତ କରାଯିବ ବୋଲି ଭୋଗରାଇ ତହସିଲଦାର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Bali_Mafia_1701060479.jpg)