The High Court ordered to plant 50 trees
ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜରିମାନାରେ ଦଣ୍ଡିତ କରିବା କାକଟପୁର ତହସିଲଦାରଙ୍କୁ ମହଙ୍ଗା ପଡିଲା। ଏଥିପାଇଁ ତହସିଲଦାରଙ୍କୁ ୫୦ଟି ଗଛ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସିଡିଏର ଯେକୌଣସି ସେକ୍ଟର ଅଂଚଳର ରାସ୍ତକଡରେ ସିଡିଏ କର୍ତ୍ତୃପକ୍ଷଙ୍କ ସହଯୋଗରେ ତହସିଲଦାର ଏହି ଗଛ ଲଗାଇବାକୁ ଜଷ୍ଟିସ୍ ବିଶ୍ୱନାଥ ରଥ ନିର୍ଦେଶ ଜାରି କରିଛନ୍ତି।
ସୂଚନା ମୁତାବକ ଏକ ଜବରଦଖଲ ମାମଲାରେ ଜବରଦଖକାରୀଙ୍କୁ ଗତବର୍ଷ ସେପ୍ଟେମ୍ବର ୧୫ ତାରିଖରେ ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଜବରଦଖଲକାରୀ ହାଜର ହୋଇଥିଲେ ମଧ୍ୟ ନୋଟିସ୍ର ଜବାବ ଦାଖଲ କରିପାରି ନଥିଲେ। ତେବେ ତାଙ୍କୁ ଆଉ ସୁଯୋଗ ଦେବା ତ ଦୂରର କଥା ସେହିଦିନ ତହସିଲଦାର ତାଙ୍କୁ ଜରିମାନାରେ ଦଣ୍ଡିତ କରିଥିଲେ। ତାଙ୍କ ପକ୍ଷ ନ ଶୁଣି ଏଭଳି ନିର୍ଦେଶ ଜାରି କରାଯାଇଥିବା ଦର୍ଶାଇ ସମ୍ପୃକ୍ତ ବ୍ୟକ୍ତି ମିତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ତହସିଲଦାରଙ୍କ ବେପରୁଆ ନୀତିକୁ କୋର୍ଟ ଅନୁଭବ କରିଥିଲେ। ତହସିଲଦାରଙ୍କ ଖାମଖିଆଲି ଯୋଗୁଁ ସାଧାରଣ ଲୋକ ନ୍ୟାୟ ପାଇଁ ହାଇକୋର୍ଟ ଦୌଡିବାକୁ ଜଷ୍ଟିସ ରଥ ନାପସନ୍ଦ କରିଥିଲେ। ଜବରଦଖଲ ମାମଲାର ଶୁଣାଣିରେ ତହସିଲଦାରଙ୍କ ଏଭଳି ଖାମଖିଆଲୀ ମନୋଭାବ ଯୋଗୁଁ ମୋକଦ୍ଦମା ସଂଖ୍ୟା ବଢୁଛି ବୋଲି କୋର୍ଟ କହିଛନ୍ତି।
ଏଥିପାଇଁ ସମସ୍ତ ତହସିଲଦାରମାନଙ୍କୁ ତାଗିଦ କରିବାକୁ ରାଜସ୍ୱ ଏବଂ ଆଇନ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁନର୍ବାର ସମ୍ପୃକ୍ତ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653051283.jpg)