Advertisment

ଛାତିଏ ପାଣିରେ କୋକେଇ ବୋହି ନଈ ପାର ପରେ ହେଲା ଶବ ସତ୍କାର

ଗୋଟିଏ ପଟେ ବର୍ଷା ଅନ୍ୟପଟେ ନାଳର ପ୍ରଖର ସୁଅ, ତା’ରି ଭିତରେ ବହୁ କଷ୍ଟ ସହି ଶବ ସତ୍କାର କରିବାର ଯନ୍ତ୍ରଣା ଅଙ୍ଗେ ନିଭାଇଛନ୍ତି ପରିବାର ଓ ସମ୍ପର୍କୀୟ। ଆସନ୍ତୁ ଜାଣିବା କେଉଁଠି ଘଟିଛି ଏଭଳି ଦୁର୍ଦ୍ଦଶା।

The funeral done after carrying a dead body in a chest of water

The funeral done after carrying a dead body in a chest of water

Advertisment

ମୃତ୍ୟୁ ପରେ ବି ଯନ୍ତ୍ରଣାରୁ ମୁକ୍ତି ନାହିଁ। ମୃତ ଦେହକୁ ମଶାଣି ନେବା ଲାଗି ନାକେଦମ ହୋଇଛନ୍ତି ପରିବାର ଓ ସମ୍ପର୍କୀୟ। ନାଳ ଭିତରେ ଛାତିଏ ପାଣିରେ ପଶି କୋକେଇ ବୋହି ନଈ ଆରପାରିରେ ପହଞ୍ଚିବା ପରେ ଶବ ସତ୍କାର କରାଯାଇଛି। ଗୋଟିଏ ପଟେ ବର୍ଷା ଅନ୍ୟପଟେ ନାଳର ପ୍ରଖର ସୁଅ, ତା’ରି ଭିତରେ ବହୁ କଷ୍ଟ ସହି ଶବ ସତ୍କାର କରିବାର ଯନ୍ତ୍ରଣା ଅଙ୍ଗେ ନିଭାଇଛନ୍ତି ପରିବାର ଓ ସମ୍ପର୍କୀୟ।

Advertisment

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଞ୍ଚଳରେ। ଏହି ବ୍ଲକ୍ ଅନକାବେଡା ପଞ୍ଚାୟତ ଅନ୍ତର୍ଗତ ଚକାମାଳ ଗ୍ରାମର ନାଳ ଉପରେ ମଶାଣି ଯିବାକୁ ଉଚ୍ଚା ପୋଲ କିମ୍ବା ରାସ୍ତା ନ ଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ଗ୍ରାମର ଲୋକେ।

ଚକାମାଳ ଗାଁ ହରିଜନ ସାହିର ମଣିରାମ ସୁନାନୀ ବହୁ ଦିନ ଧରି ରୋଗରେ ପୀଡିତ ହୋଇ ଶେଷରେ ଆଖି ବୁଜି ଦେଇଥିଲେ। ଶବ ସତ୍କାର କରିବା ଲାଗି ଚିନ୍ତାରେ ପଡିଥିଲେ ପରିବାର ଏବଂ ପଡୋଶୀ। କାରଣ ଗାଁ ପାଖ ଭରା ନାଳ ପାରି ହେଲେ ଯାଇ ମଶାଣି। ସେଠାକୁ କେମିତି କୋକେଇ ନେବେ ଚିନ୍ତାରେ ପଡିଥିଲେ ପରିବାର। ପରେ ନିଷ୍ପତି ନେଇଥିଲେ ପାଣିରେ ପଶି କାନ୍ଧେଇ କାନ୍ଧେଇ କୋକେଇ ନେବେ। ଶେଷରେ ତାହା ହିଁ ହେଲା।

Advertisment

୪ ଜଣ କୋକେଇ କାନ୍ଧେଇ ନାଳ ଭିତରେ ପଶିଥିଲେ ଏବଂ ପଛେ ପଛେ ଯାଇଥିଲେ ଅନ୍ୟମାନେ। ନାଳ ଆରପଟେ ପହଞ୍ଚିବା ପରେ କାଦୁଅ ପଚପଚ ରାସ୍ତା ଭିତରେ ପଶି ଶ୍ମଶାନରେ ପହଞ୍ଚିଥିଲେ ଏବଂ ଶବ ସତ୍କାର କରିଥିଲେ। ସବୁଠାରୁ ଦୁଃଖର କଥା ହେଉଛି ମଶାଣିରେ ଶବଦାହ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନାହିଁ କି ଲୋକଙ୍କ ପାଇଁ ବିଶ୍ରାମ ଗୃହଟିଏ ବି ନାହିଁ।

ଏଭଳି ଘଟଣା ସମ୍ପର୍କରେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ପ୍ରତି ବର୍ଷ ଏଭଳି ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଦୁଃଖର ବିଷୟ ପାଲଟିଛି।

Advertisment

(ରିପୋର୍ଟ : ଉମରକୋଟ୍‌ରୁ କାର୍ତ୍ତିକ ମଲ୍ଲିକ)

Funerals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ