ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଅଳିଆ ଗାଡ଼ି, ତାତିଲେ ଲୋକେ...

ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଉଥିବା ଏକ ଗାଡ଼ି ସାଇକେଲ ଆରୋହୀଙ୍କୁ ଧକ୍କା ଦେବାକୁ ତାଙ୍କର ମୃତ୍ୟୁ ହୋଇଛି। ଉତ୍ତ୍ୟକ୍ତ ଲୋକେ କଟକ-ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି। 

ଅଳିଆ ଗାଡ଼ି ଧକ୍କାରେ ପୁଣି ମୃତ୍ୟୁ

ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ଅଳିଆ ଗାଡ଼ି ଧକ୍କାରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଉଥିବା ଏକ ଗାଡ଼ି ସାଇକେଲ ଆରୋହୀଙ୍କୁ ଧକ୍କା ଦେବାକୁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ରାମଚନ୍ଦ୍ର ଗାଗରାଇ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କଟକ-ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି। 

ଉତ୍ତ୍ୟକ୍ତ ଲୋକଙ୍କ ସହ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ସହ ଜଣଙ୍କୁ ଚାକିରି ଦିଆଯିବ ବୋଲି ମେୟର କହିଛନ୍ତି। ସେପଟେ ବିଧାୟକ ସୁରେଶ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆନ୍ଦୋଳନରେ ସାମିଲ ହୋଇ ଘଟଣାର ସ୍ଥାୟୀ ସମାଧାନ ପାଇଁ ଦାବି କରିଥିଲେ।

କିଛି ଦିନ ପୂର୍ବେ ଅଳିଆ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ଛାଡି ନଥିଲେ।