ଯୁଦ୍ଧଗ୍ରସ୍ତ ଦେଶରେ ଫସିଛନ୍ତି ତାଳଚେରର ଶ୍ରିତାଂଶୁ : ଛାତିକୁ ପଥର କରିଛି ମା’, ହେଲେ ବାପା ଆଖିରେ ପୁଅ ପାଇଁ ଲୁହ

ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି

ଡାକ୍ତରୀ ପାଠ ପଢ଼ିବାକୁ ଯାଇ ୟୁକ୍ରେନ୍‌ରେ ଫସିଛନ୍ତି ତାଳଚେରର ଶ୍ରିତାଂଶୁ

ଯୁଦ୍ଧଗ୍ରସ୍ତ ଦେଶରେ ଫସିଛି ପୁଅ । ବାପାମା’ଙ୍କ ପାଟିକୁ ଦାନା ଯାଉନି । ଛଅ ଦିନ ହେଲା ଉପବାସରେ, ନାଁ ଖାଇ ହେଉଛି ନାଁ ଶୋଇ ହେଉଛି । ମା’ ଛାତିକୁ ପଥର କରି ଦମ୍ଭ ଧରିବାକୁ ଚେଷ୍ଟା କରୁଛି । ହେଲେ ବାପାଙ୍କର ହୃଦୟ କାନ୍ଦୁଛି । କୋହ ସମ୍ଭାଳି ପାରୁନାହାନ୍ତି । ପୁଅ କଥା କହିବା ବେଳକୁ ଆଖିକୁ ଲୁହ ଆସିଯାଉଛି । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ସେଠାରେ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଙ୍କ ଅଭିଭାବକ ଚିନ୍ତାରେ । ତାଳଚେର ଅଞ୍ଚଳର ଜଣେ ପିଲା ୟୁକ୍ରେନରେ ପାଠ ପଢ଼ୁଛନ୍ତି ।

ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି । ୪ର୍ଥ ବର୍ଷ ମେଡିକାଲ ବିଭାଗରେ ପାଠ ପଢ଼ୁଥିବା ଶ୍ରିତାଂଶୁ ୟୁକ୍ରେନ୍‌ ଯାଇ ଫସିଯାଇଛନ୍ତି । ପରୀକ୍ଷା ଶେଷ ଘରକୁ ଫେରି ଆସିଥାଆନ୍ତେ । ହେଲେ ହଠାତ ଏପରି ସ୍ଥିତି ଆସିଯିବା ପରେ ସେ ଦେଶକୁ ଫେରି ପାରିନାହାନ୍ତି ।

ସବୁ ଦିନ ପୁଅ ସହ କଥା ହେଉଛି । ଆଜି ଦିନରେ ବି ପୁଅ ସହ କଥା ହୋଇଛି । ଆସନ୍ତାକାଲି ପାଇଁ ଫ୍ଲାଇଟ୍‌ ଟିକେଟ୍‌ କରାଯାଇଥିଲା । ହେଲେ ଏୟାରପୋର୍ଟ ବନ୍ଦ ହୋଇଯିବାରୁ ସେମାନେ ଫେରିପାରି ନାହାନ୍ତି ବୋଲି ଶ୍ରିତାଂଶୁଙ୍କ ମାଆ କହିଛନ୍ତି ।

ସେହିପରି ଶ୍ରିତାଂଶୁଙ୍କ ବାପା କହିଛନ୍ତି, ଅନଲାଇନ୍‌ କ୍ଲାସ୍ ପାଇଁ ଘୋଷଣା ହୋଇ ନଥିବାରୁ ପୁଅ ଆସିପାରୁ ନଥିଲା । ଶନିବାର ପାଇଁ ତଥା ୯ ତାରିଖ ପାଇଁ ଦୁଇଟି ଟିକେଟ୍ କରିଥିଲା । ହେଲେ ଆଜି ଯୁଦ୍ଧ ହୋଇଗଲା ।

କିଛି ଦିନ ହେବ ୟୁକ୍ରେନ୍‌ ଓ ଋଷିଆ ମଧ୍ୟରେ ଯୁଦ୍ଧ ହେବ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଇଣ୍ଡିଆନ୍ ଏମବେସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲା । ଅଫଲାଇନରେ ପାଠପଢ଼ା ହେଉଥିବାରୁ ସେଠାରେ ଶ୍ରିତାଂଶୁଙ୍କୁ ରହିବାକୁ ପଡ଼ିଥିଲା । ଅନ୍ୟପଟେ ଅନଲାଇନ୍‌ରେ ପାଇଁ ଘୋଷଣା କଲେ ଦେଶକୁ ଚାଲିଆସିବେ ବୋଲି ଚିନ୍ତା କରିଥିଲେ । ହେଲେ ଆଜି ସକାଳୁ ସକାଳୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛି ୟୁକ୍ରେନ୍ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଚିନ୍ତାରେ ଅଛନ୍ତି ପରିବାର ଲୋକ ।

ପୁଅକୁ ତେବେ କେବଳ ଶ୍ରିତାଂଶୁ ନୁହେଁ, ତାଙ୍କ ସହ ପ୍ରାୟ ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଥିବା ଜଣାପଡିଛି । ଏପଟେ ପୁଅକୁ ଶୀଘ୍ର ଫେରାଇ ଆଣିବା ପାଇଁ ତାଙ୍କ ବାପା ମା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ OTV ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ।