'ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ମହାପ୍ରଭୁଙ୍କ କାମକୁ ବନ୍ଦ କରିପାରିବନି'

କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଥିବାରୁ ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

MP Pinaki Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଡ଼ା ମନ୍ତବ୍ୟ ରଖିଛନ୍ତି । ଆଜି ପୁରୀରେ ପିନାକୀ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଇଚ୍ଛାରେ କାମ ହେଉଛି, କେହି କାମ ବନ୍ଦ କରିପାରିବେନି । କାମ ଆଇନ ଅନୁସାରେ ହେଉଛି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଥିବାରୁ ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି’।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ । ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ, ସରକାରଙ୍କ ଧାରଣା ତାଙ୍କ ପାଖରେ ଲୋକମତ ଅଛି । ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି। ଯେତେବେଳେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ତେବେ ସେ ମାନିବେ । ତା ପୂର୍ବରୁ ଏମାନେ ମାନିବେ ନାହିଁ ।

ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ । ସରକାରଙ୍କୁ ଚାଲେଞ୍ଜ କଲା ଭଳି କୌଣସି ରାଜନୈତିକ ଦଳର ସାମର୍ଥ୍ୟ ନାହିଁ । ବିଜେପି ଓ ବିଜେଡି ମିଶି କରି ଚାଲୁଛନ୍ତି । କଂଗ୍ରେସ ଆଗ ଭଳି ନାହିଁ । ତୀର୍ଥଭୂମିକୁ ଭୋଗଭୂମି ଓ ସୁରା ସୁନ୍ଦରୀ କେନ୍ଦ୍ର କରାଯାଉଛି, ଯାହା ସମ୍ପୂର୍ଣ୍ଣ ଭାବେ ଅନୁଚିତ୍ । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି, ଯାହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଥିବା କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ।