Advertisment

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଶ୍ରୀମନ୍ଦିର ନାଟମଣ୍ଡପ ? IITର ବିଶେଷଜ୍ଞଙ୍କ ସହ ସ୍ଥିତି ଯାଞ୍ଚ ପରେ ASIର ସୂଚନା

୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ ।

Nata Mandapa

Nata Mandapa

Advertisment

କେମିତି ଅଛି ଶ୍ରୀମନ୍ଦିର ନାଟ ମଣ୍ଡପ? ୪ ବର୍ଷ ତଳେ ଯେଉଁ ଫାଟ ସୃଷ୍ଟି ହୋଇଥିଲା ତାର ଅବସ୍ଥା ଏବେ କଣ ? ନାଟମଣ୍ଡପ ବିମରେ ଥିବା ଫାଟ ଅଧିକ ମେଲୁଛି କି? ନାଟମଣ୍ଡପକୁ ଆଜି ତନ୍ନ ତନ୍ନ କରି ଯାଞ୍ଚ କରିଛି ଏଏସ୍ଆଇ ଏବଂ ଆଇଆଇଟି ଚେନ୍ନାଇର ବିଶେଷଜ୍ଞ ଟିମ୍ । ଏଏସ୍ଆଇ ଅତିରିକ୍ତ ଡିଜି ଜାନଭି ଶର୍ମା ଏବଂ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ୍ ଆଜି ଶ୍ରୀମନ୍ଦିର ଭିତରକୁ ଯାଇ ନାଟମଣ୍ଡପର ଯାଞ୍ଚ କରିଛନ୍ତି ।

Advertisment

ଆଶ୍ୱସ୍ତିକର କଥା ହେଉଛି, ୨୦୧୮ରେ ଯେତିକି ଫାଟ ଥିଲା, ତାହା ସ୍ଥିର ରହିଛି । ଯାଞ୍ଚ ପରେ ଏକଥା କହିଛି ଏଏସ୍ଆଇ । ଏହି ଫାଟର ମରାମତି କାର୍ଯ୍ୟ, ଆସନ୍ତା ଏପ୍ରିଲ ସୁଦ୍ଧା ସାରିବାକୁ ଗୁରୁତ୍ୱ ଦିଆଯାଇଥିବା ଏ.ଏସ୍.ଆଇ ସୂଚନା ଦେଇଛି । ତେବେ ଯାଞ୍ଚ ସମୟରେ ଉପସ୍ଥିତ ଥିବା ଆମିକସକ୍ୟୁୟରି କହିଛନ୍ତି, ଏ.ଏସ୍.ଆଇ ଓ ଆଇ.ଆଇ.ଟି ଚେନ୍ନାଇର ବିଶେଷଜ୍ଞଙ୍କ ପକ୍ଷରୁ ଭିନ୍ନ ଭିନ୍ନ ମତ ରହୁଥିଲା । ଜଣେ ମରାମତି ସପକ୍ଷରେ ପରାମର୍ଶ ଦେଇଥିବାବେଳେ ବିମରେ ପରିବର୍ତ୍ତନ ସପକ୍ଷରେ କହୁଛନ୍ତି ଆଉ ଜଣେ । ତେଣୁ ଏ.ଏସ୍.ଆଇ କୋର୍ କମିଟି ଚୁଡାନ୍ତ ନିଷ୍ପତ୍ତି ନେବ ବୋଲି ଆମିକସକ୍ୟୁରି କହିଛନ୍ତି ।

ନାଟ ମଣ୍ଡପରେ ସୃଷ୍ଟି ହୋଇଥିବା ଫାଟକୁ ଏହା ଭିତରେ ୪ ବର୍ଷ ବିତିଯାଇଛି । ୨୦୧୮ରେ ଫାଟ ଥିବା ସ୍ପଷ୍ଟ ହେବାପରେ ସେତେବେଳେ ଏ.ଏସ୍.ଆଇ ଓ ଉଚ୍ଚସ୍ତରୀୟ କମିଟି ଘନ ଘନ ଯାଞ୍ଚ କରିଥିଲେ । ଏପରିକି ମରାମତି କାର୍ଯ୍ୟ ବି ଆରମ୍ଭ ହୋଇଥିଲା । ସେହି ସମୟରେ ନାଟମଣ୍ଡପରେ କ୍ରାକ ମିଟର ଜରିଆରେ ରିଡିଂ କରି ଫାଟର ତର୍ଜମା କରାଯାଉଥିଲା । ଗତ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆପକସକ୍ୟୁରି ଏନ୍.କେ.ମହାନ୍ତି ଆସି ନାଟମଣ୍ଡପ ସ୍ଥିତିର ଅନୁଧ୍ୟାନ ବି କରିଥିଲେ ।

Advertisment

ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ୨୦୧୮ରୁ ସୃଷ୍ଟି ହୋଇଥିବା ଫାଟର ମରାମତି ସପକ୍ଷରେ ଏଏସ୍ଆଇ ରଖିଥିବା ମତ ଉପରେ ପ୍ରଶ୍ନ ଉଠାଇଛନ୍ତି ସେବାୟତ ଓ ପରିଚାଳନା କମିଟି ସଦସ୍ୟ । ଯେଉଁ କାର୍ଯ୍ୟ ୪ ବର୍ଷ ଭିତରେ ସରିପାରିଲାନାହିଁ, ତାହା କେମିତି ଆଉ ମାତ୍ର ୪ ମାସ ଭିତରେ ପୂର୍ଣ୍ଣାଙ୍ଗ ହେବ? ବାସ୍ତବରେ କେତେ କଣ କ୍ଷତି ହୋଇଛି ? ତାର ଶ୍ୱେତପତ୍ର ପ୍ରକାଶ କରାଯାଉ ବୋଲି ସେବାୟତ ଓ ପରିଚାଳନା କମିଟି ସଦସ୍ୟ ଦାବି କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଏସ୍ଆଇର କୋର୍ କମିଟିର ଅନୁପସ୍ଥିତିରେ ଆଜି ନାଟମଣ୍ଡପର ଯାଞ୍ଚ କରାଯାଇଥିଲା । ଏଭଳି ସ୍ଥିତିରେ ବିପଦଘେରରେ ଥିବା ନାଟମଣ୍ଡପର ମରାମତି କିମ୍ବା ବିମ୍ର ପରିବର୍ତ୍ତନ ପାଇଁ କିଭଳି ନିଷ୍ପତ୍ତି ନେବ କୋର୍ କମିଟି? ପୁଣି ଥରେ ଶ୍ରୀମନ୍ଦିର ଆସି କୋର୍ କମିଟି ସଦସ୍ୟ ନାଟମଣ୍ଡପର ଅନୁଧ୍ୟାନ କରିବେ ନା ବୈଠକରେ ଆଲୋଚନା କରି ଚୁଡାନ୍ତ ନିଷ୍ପତ୍ତି ନେବେ ? ତାକୁ ଏବେ ଅପେକ୍ଷା ।

Advertisment
Puri ASI Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ