ସିଭିଲ୍‌ ସର୍ଭିସ୍‌ ପାରୀକ୍ଷାରେ କାହିଁକି ଓଡ଼ିଆ ଛାତ୍ରଛାତ୍ରୀ ପଛରେ ?

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଟପ୍ ୫୦ରେ ବି ଓଡ଼ିଶାର କେହି ନାହାନ୍ତି । ୬୩ ନମ୍ବର ସ୍ଥାନରେ ଥିବା କାର୍ତ୍ତିକ ପାଣିଗ୍ରାହୀ ହୋଇଛନ୍ତି ରାଜ୍ୟ ଟପ୍ପର ।

IAS - IPS - IFS

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପୁଣି ଓଡିଆ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ । କେବଳ ଏଥର ନୁହେଁ, କ୍ରମାଗତ ଭାବେ ସଫଳତା ତାଲିକାରେ ଓଡିଆଙ୍କ ସଂଖ୍ୟା କମିବାରେ ଲାଗିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଟପ୍ ୫୦ରେ ବି ଓଡ଼ିଶାର କେହି ନାହାନ୍ତି । ୬୩ ନମ୍ବର ସ୍ଥାନରେ ଥିବା କାର୍ତ୍ତିକ ପାଣିଗ୍ରାହୀ ହୋଇଛନ୍ତି ରାଜ୍ୟ ଟପ୍ପର ।

ସେହିପରି ଆଇଏଏସ୍, ଆଇଏଫଏସ୍ ଓ ଆଇପିଏସ୍ ଅର୍ଥାତ୍ ପ୍ରଥମ ୩ଟି ସେବାରେ କାଁଭାଁ ଓଡ଼ିଆ ପିଲାଙ୍କୁ ଦେଖିବାକୁ ମିଲୁଛି । ତେବେ କଣ ପାଇଁ ଓଡିଆ ପିଲାଙ୍କର ଏଭଳି ଅବସ୍ଥା ? ବିଫଳତା ପଛରେ କଣ ହୋଇପାରେ କାରଣ ? ପରୀକ୍ଷା ପ୍ରସ୍ତୁତିକୁ ନେଇ ପିଲା ସେତେଟା ଯତ୍ନବାନ ହେଉନାହାନ୍ତି, ଆଶାୟୀଙ୍କ ନିକଟରେ ଆତ୍ମବିଶ୍ୱାସ କମ୍ ରହୁଛି, ପିଲାଏ ପରିଶ୍ରମକାତର ହୋଇଯାଉଛନ୍ତି ନା ଶିକ୍ଷା ଓ ତାଲିମ୍ ବ୍ୟବସ୍ଥାରେ ଥିବା ତ୍ରୁଟି, ଦେଶର ସବୁଠୁ ମର୍ଯ୍ୟାଦାଜନକ ପରୀକ୍ଷାରେ କୃତକାର୍ଯ୍ୟ ହେବା ରାସ୍ତାରେ ବାଧକ ସାଜୁଛି ? ତାକୁ ନେଇ ଉଠିଛି ପ୍ରଶ୍ନ ।

ସିଭିଲ ସର୍ଭିସ ପରୀକ୍ଷାରେ ଓଡିଆ ପିଲା କିଭଳି ଭଲ କରିବେ ସେଥିଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ୮ ବିଶ୍ୱବିଦ୍ୟାଳୟରେ ଆଇଏଏସ୍ କୋଚିଂ ସେଣ୍ଟର ଖୋଲାଯାଇଛି । ୨୦୧୬-୧୭ରୁ ଆରମ୍ଭ ହୋଇଛି ଏହି ଯୋଜନା । ଦୁଇ ବର୍ଷ ତଳେ ଏଥିରେ ସଂସ୍କାର ଅଣାଯିବା ସହ ମେରିଟ୍ ବେସିସ୍‌ରେ ଆଡମିଶନ କରାଯାଉଛି । ଏମିତିକି ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍‌ର ଏକ୍ସପର୍ଟ ମାନଙ୍କୁ ବି ନିୟୋଜିତ କରାଯାଇଛି । ଏହାସତ୍ତ୍ୱେ ବି ପ୍ରଦର୍ଶନରେ ସୁଧାର ଆସିନି ।

 

ଶିକ୍ଷାବିତ୍ କହିଛନ୍ତି ସରକାରଙ୍କ ଦ୍ୱାରା ପରିଚାଳିତ କୋଚିଂ ସେଣ୍ଟରରେ କିଭଳି ପ୍ରଶିକ୍ଷଣ ଦିଆଯାଉଛି ତାର ତଦାରଖ ହେଉନି । ସେହିପରି ପ୍ରଶିକ୍ଷଣ ଲାଗି ଉଦ୍ଦିଷ୍ଟ ସିଲାବସ ସର୍ବଭାରତୀୟ ପରୀକ୍ଷା ଉପଯୋଗୀ ନୁହେଁ । ତେଣୁ ଉଭୟ କୋଚିଂ ବ୍ୟବସ୍ଥା ଓ ସିଲାବସ ପରିବର୍ତ୍ତନ ଉପରେ ଜୋର ଦେଇଛନ୍ତି ଶିକ୍ଷାବିତ୍ । ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆମେ ଭଲ କୋଚିଂ ଦେବା ପାଇଁ ଉଦ୍ୟମ କରୁଛୁ, କୃତକାଯର୍ୟ ହେବା ପିଲାଙ୍କ ଉପରେ ନିର୍ଭର କରୁଛି ।

ଗତ ୫ ବର୍ଷର ୟୁପିଏସ୍‌ସି ତଥ୍ୟ ଅନୁସାରେ ୨୦୧୭ରେ ଓଡ଼ିଶାର ୧୩ ଜଣ, ୨୦୧୮ରେ ୧୫, ୨୦୧୯ରେ ୨୦ ଜଣ, ୨୦୨୦ରେ ୧୧ ଜଣ ଓ ୨୦୨୧ରେ ମାତ୍ର ୧୪ ଜଣ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।