ରାସ୍ତାକଡ଼ LED ଲାଇଟ୍‌ ଉଜାଡ଼ି ଦେଉଛି ଫସଲ ! ଚିନ୍ତାରେ ଚାଷୀ, କ’ଣ ଏହାର ବିକଳ୍ପ ?

ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି ।

LED Light

ଧାନ କିଆରୀ ପାଇଁ କାଳ ସାଜିଛି ଷ୍ଟ୍ରିଟ୍ ଲାଇଟ୍ । ରାତି ତମାମ ଅନବରତ ଆଲୁଅ ଯୋଗାଉଥିବା ଏଲ୍ଇଡି ଲାଇଟ୍ ଉଜାଡ଼ି ଦେଉଛି ଚାଷୀଙ୍କ ଦାନାପାଣି । ଆଲୋକର ପ୍ରଭାବରେ କେଉଁଠି ଗର୍ଭଧାରଣ କ୍ଷମତା ହରାଉଛି ଧାନ ଗଛ ତ ଆଉ କେଉଁଠି ହୃଷ୍ଟପୁଷ୍ଟ ହୋଇପାରୁନି ଧାନକେଣ୍ଡା । ବହୁଳ ମାତ୍ରାରେ ଧାନ ଫସଲ ହେଉଥିବା ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର ଚାଷୀ ଏବେ ଏଭଳି ଅଭିଯୋଗ ଆଣିଛନ୍ତି ।

ତାଙ୍କ କହିବା କଥା, ରାସ୍ତା କଡ଼ ଆଲୁଅ ହେଉ, କିନ୍ତୁ ଚାଷୀଙ୍କ ଫସଲ ଯେମିତି କ୍ଷତି ନହେଉ । କାରଣ ଯେଉଁଦିନଠୁ ସହରାଞ୍ଚଳର ଚାଷଜମି ଥିବା ରାସ୍ତା କଡ଼ରେ ଷ୍ଟ୍ରିଟ୍ ଲାଇଟ୍ ଲାଗିଲାଣି, ସେଦିନଠୁ ବରବାଦ୍ ହେଉଛି ଫସଲ । ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି ।

ବିଶେଷ କରି ଜିଲ୍ଲାର ଅତାବିରା ସହରାଞ୍ଚଳରେ ଦେଖାଦେଇଛି ଏଭଳି ସ୍ଥିତି । ଚାଷୀଙ୍କ କହିବା କଥା, ଅନେକ ଦିନ ହେଲାଣି ଧାନଗଛ ଗୁଡ଼ିକ ଗର୍ଭଧାରଣ କରିପାରୁନି । ଯେଉଁଠି ଧାନକେଣ୍ଡା ଉଠିଛି, ତାହା ବି ହୃଷ୍ଟପୃଷ୍ଟ ହୋଇପାରୁନି । ଚାଷୀ ବହୁ ଔଷଧପତ୍ର ସିଞ୍ଚନ ବି କରିଛନ୍ତି । ତଥାପି କୌଣସି ଫଳପ୍ରଦ ନହେବାରୁ ରାସ୍ତାକଡ଼ ଲାଇଟ୍ ପ୍ରଭାବରେ ଏଭଳି ସମସ୍ୟା ଦେଖାଦେଇଥିବା ଆଶଙ୍କା କରିଛନ୍ତି ।

 

ଗ୍ରୀନ୍ ଫିଲ୍ଡ ଯୋଜନାରେ୍ ରାଜ୍ୟର ପ୍ରାୟ ପୌରାଞ୍ଚଳରେ ଏଭଳି ଷ୍ଟ୍ରିଟ୍ ଲାଇଟ୍ ଲାଗିଛି । ଏଲ୍ଇଡି ଆଲୁଅର ତୀବ୍ରତା ଅଧିକ ରହୁଥିବାରୁ ରାତିରେ ଧାନ କିଆରୀରେ ଚକଡ଼ା ପୋକର ମଧ୍ୟ ପ୍ରାଦୁର୍ଭାବ ରହୁଛି । ଫସଲ ନଷ୍ଟ ହେବାରେ ଏହା ଆଉ ଏକ ପ୍ରମୁଖ କାରଣ ହୋଇପାରେ । ଏଭଳି ସମସ୍ୟା ମୁଖ୍ୟତଃ ଧାନ ଫୁଲ ଧାରଣବେଳେ ଦେଖାଦେଇଥାଏ । ଧାନ ଗଛ ସବୁ ବଢ଼ିଲେ ବି LED ପ୍ରଭାବରେ ଆଉ ଫଳ ଧରିବ ନାହିଁ । ବିଶେଷ କରି ଧଳା ଆଲୁଅ ପ୍ରଦାନ କରୁଥିବା ଷ୍ଟ୍ରିଟ ଲାଇଟ୍ ହିଁ ଏହା ଉପରେ କୁପ୍ରଭାବ ପକାଉଥିବା ଆଶଙ୍କା କରାଯାଉଛି । ସଂଧ୍ୟାରୁ ସକାଳ ଯାଏଁ ପ୍ରାୟ ୧୨ ଘଣ୍ଟା ଧରି ଷ୍ଟ୍ରିଟ୍ ଲାଇଟ୍‌ ପ୍ରାଦୁର୍ଭାବରୁ ସ୍ୱାଭାବିକ ଢଙ୍ଗରେ ଧାନ ଗଛ ବଢ଼ିବା ଉପରେ ବାଧା ସୃଷ୍ଟି କରୁଥିବା କହିଛନ୍ତି କୃଷି ବିଜ୍ଞାନୀ ।

ତେବେ ବରଗଡ଼ ଜିଲ୍ଲା କୃଷି ବିଭାଗ କହିଛି, ଏଲଇଡି ଲାଇଟର ପ୍ରଭାବ ଓ ଫସଲର ସୁରକ୍ଷା ନେଇ ଅନୁଧ୍ୟାନ କରାଯାଉଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି । ଧାନ କିଆରୀକୁ ଏଲ୍ଇଡି ଅଡୁଆ ଆଶଙ୍କା ଯଦି ସତ ହୋଇଥାଏ, ତେବେ ଏହାର ଅନୁଧ୍ୟାନ କରି LEDର ବିକଳ୍ପ ଆଲୋକୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି ଏବେ ଚର୍ଚ୍ଚା ହେଉଛି ।