ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ; ଏବେବି ଚାଲିଛି ବେଧଡକ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍‌ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ ।

Srimandir Parikrama Project

ବହୁ ବିବାଦ ଓ ବିରୋଧ, ଏପରିକି ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲେ ବି ବେଧଡ଼କ୍ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ, ସବୁଠି ଉଦ୍‌ବେଗ ପ୍ରକାଶ ପାଇବାପରେ ବି ନିର୍ମାଣ କାମ କିନ୍ତୁ ବନ୍ଦ ହେଉନି ।

ସେପଟେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଚାଲିଥିବା ସେଭ୍ ଶ୍ରୀମନ୍ଦିର ପୁରୀ କ୍ୟାଂପେନ୍‌ରେ ସାମିଲ ହୋଇଛି ବିଜେପି । ବେଆଇନ ଭାବେ ଚାଲିଥିବା ନିର୍ମାଣ କାମ ବନ୍ଦ କରି ଶ୍ରୀମନ୍ଦିର ସୁରକ୍ଷା କରାଯାଉ ବୋଲି ଦାବି କରିଛି କଂଗ୍ରେସ୍ । ଏହାର ଜବାବ ରଖିଛି ବିଜେଡି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍‌ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ । ଶ୍ରୀମନ୍ଦିରର ପଶ୍ଚିମ ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ଖୋଳା ଯାଇଥିବା ବଡ଼ ବଡ଼ ଗାତରେ ବାଲି ଭର୍ତ୍ତି କରାଯିବା ପରେ ନିର୍ମାଣ କାମ ଚାଲିଛି ।

ଉତ୍ତର ଦ୍ୱାରରେ ମଧ୍ୟ ବିରାଟ ଗାତ ଖୋଳାଯାଇଛି । କେବଳ ଶ୍ରୀମନ୍ଦିର ପ୍ରଶାସନର ନୂତନ କାର୍ଯ୍ୟାଳୟ ନିର୍ମାଣ କାମ ବନ୍ଦ ରହିଛି । ଟଏଲେଟ୍, ସେଲଟର୍ ପାଭିଲିଅନ୍, କ୍ଲକ ରୁମ୍, ସୂଚନା କେନ୍ଦ୍ର, ଇଲେକ୍ଟ୍ରିକାଲ୍ ରୁମ୍ , ଡ୍ରେନେଜ୍ ସିଷ୍ଟମ୍ ସହ ବଫର୍ ରୋଡର ନିର୍ମାଣ କାର୍ୟ୍ୟ ପୂର୍ବ ଭଳି ଜାରି ରହିଛି । ଯାହାକୁ ନେଇ ପୁରୀରେ ବଢୁଛି ଅସନ୍ତୋଷ ।

ଏଏସ୍ଆଇ ଏଥିରେ ହସ୍ତକ୍ଷେପ କରି କାମ କାହିଁକି ବନ୍ଦ କରୁନି ବୋଲି ବି ପ୍ରଶ୍ନ କରିଛିନ୍ତି ସାମାଜିକ କର୍ମୀ । ସେପଟେ ହାଇକୋର୍ଟରେ ଏନେଇ ଯେଉଁ ମାମଲା ଦାୟର ହୋଇଥିଲା । ତାର ପରବର୍ତ୍ତୀ ଶୁଣାଣି ୨୧ ତାରିଖରେ ହେବାର ଅଛି ।

ସେପଟେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ସେଭ୍ ଶ୍ରୀମନ୍ଦିର ପୁରୀ କ୍ୟାଂପେନ୍ । ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ୧୪ ତାରିଖରୁ ଆରମ୍ଭ ହୋଇଛି, ଯାହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କଠୁ ଆରମ୍ଭ କରି ବିଜେପିର ବହୁ ନେତା ଓ କର୍ମୀ ସାମିଲ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଯୋଡ଼ି ହେବାକୁ ନିବେଦନ କରିଛନ୍ତି । ଦଳର ନେତାମାନେ ଏନେଇ ଟୁଇଟ୍ ବି କରୁଛନ୍ତି ।

ସେପଟେ କଂଗ୍ରେସ୍ ଦାବି କରିଛି ଯେ, ବେଆଇନ ଭାବେ ଚାଲିଥିବା କାମ ବନ୍ଦ କରି ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ । ଜବାବରେ ବିଜେଡି କହିଛି ସମାଲୋଚନା ଆଳରେ ସମାଲୋଚନା କଲେ ହେବ ନାହିଁ, ଯଦି କିଛି ପ୍ରସ୍ତାବ ଅଛି ତେବେ ତାହା ଦିଅନ୍ତୁ । ମନ୍ଦିରକୁ ବଞ୍ଚାଇବା ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ରାଜ୍ୟ ସରକାର କାମ କରୁଥିବା ବିଜେଡି କହିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦେଖାଦେବା ପରେ ଗତ ବିଧାନସଭା ବଜେଟ୍ ଅଧିବେଶନରେ ଏହି ପ୍ରସଙ୍ଗ ଉଠିଥିଲା । ବିରୋଧୀ ଦଳର ଦାବି ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରାଯାଇଛି । କମିଟି ଗଠନର ୧୫ ଦିନ ବିତିଯାଇଥିଲେ ବି ଏହା କେବେ ଅନୁଧ୍ୟାନ ପାଇଁ ଯିବ ଓ ଏଥିପାଇଁ କେବେ ବୈଠକ ବସିବ । ତାହା ଏଯାଏଁ ସ୍ଥିର ହୋଇ ପାରୁ ନାହିଁ ।

ରିପୋର୍ଟର- ମଧୁସୂଦନ ମିଶ୍ର, ସୌମ୍ୟରଂଜନ ସାହୁ, ହରିହର ଚାନ୍ଦ