Advertisment

ଶୁଣିଲାନି ପ୍ରଶାସନ; ଗାଁ ଲୋକ ଏକାଠି ହେଲେ, ଶିଆଳି ଲଟାରେ ପୋଲ ତିଆରି କଲେ

ଗୁହାରି, ଦରଖାସ୍ତ ଦେଇ ଦେଇ ଶୁଣିଲାନି ପ୍ରଶାସନ। ଏକାଠି ହେଲେ ଗାଁ ଲୋକେ, କାଠକୁ ଶିଆଳି ଲଟାରେ ବାନ୍ଧି ତିଆରି କଲେ ପୋଲ। ବିନା ସିମେଣ୍ଟ ଖୁଣ୍ଟରେ ତିଆରି ହେଲା ପୋଲ। ଲୋକେ କହିଲେ, ଏ ସରକାର ଥିବା ପର୍ଯ୍ୟନ୍ତ ପୋଲ ହେବନି।

Sans Bridge

Sans Bridge

Advertisment

କିଏ କାଠ ବୋହୁଛି ,ତ କିଏ କାଠକୁ କାଠ ଶିଆଳି ଲଟା ଆଉ ତାରରେ ବାନ୍ଧୁଛି । ଆଉ କିଏ କୋଦାଳ, ଶାବଳ ଧରି ମାଟି ପକାଇବାରେ ବ୍ୟସ୍ତ ରହିଛି । ଖାଲି ଏତିକି ନୁହେଁ ବରଂ ଆଉ କିଏ ଡାଲା ଝୁଡିରେ ପଥର ବୋହି ପକାଉଛି । ଏଭଳି ଦୃଶ୍ୟ ରେଢାଖୋଲ ଉପଖଣ୍ଡ ବଳମ ପଚାଂୟତରେ ଦେଖିବାକୁ ମିଳିଛି । ବାରମ୍ବାର ଗୁହାରି ପରେ ବି ପ୍ରଶାସନ ନଶୁଣିବାରୁ ବାଧ୍ୟ ହୋଇ ପୋଲ ତିଆରି କରୁଛନ୍ତି ଗାଁ ଲୋକେ ।

Advertisment

ବେତଝରଣା ଗାଁ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଏହି ନାଳ। ଖରା ଦିନେ କି ଶୀତ ଦିନେ ତ କଷ୍ଟମଷ୍ଟେ ନାଳ ପାର ହୋଇଯାଉଛନ୍ତି ଲୋକେ। ହେଲେ ବର୍ଷା ଦିନେ ପୂରା ଅଚଳ ସ୍ଥିତି । ବେତଝରଣାରୁ ବ୍ଲକ୍‌ ଯିବା ପାଇଁ ହେଲେ ସେହି ନାଳ ରାସ୍ତା ହିଁ ଏକମାତ୍ରା ସାହାଭରସା । ହେଲେ ନାଳରେ ଏ ପର୍ଯ୍ୟନ୍ତ ଗୋଟିଏ ବ୍ରିଜ୍‌ ବି ନିର୍ମାଣ ହୋଇପାରିଲା ନାହିଁ ।

ସ୍ଥିତି ଏମିତି ହେଲାଣି ଯେ, ରୋଗୀ କି ଗର୍ଭବତୀଙ୍କୁ ନେବା ପାଇଁ ଆସିପାରୁନି ଆମ୍ବୁନାଲ୍ସ । ଖାଲି ଆମ୍ବୁଲାନ୍ସ କାହିଁକି ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ପିଡିଏସ ଚାଉଳ ଗହମ ସହ ସ୍କୁଲ ଓ କଲେଜ୍‌କୁ ବି ଯାଇପାରୁନାହାନ୍ତି ପିଲା । ଦରଖାସ୍ତ ଆଉ ଗୁହାରି କରି କରି ଗାଁ ଲୋକ ଥକିଗଲେଣି ସତ ହେଲେ ଲାଭ କିଛି ମିଳୁନି । ୬ ଖଣ୍ଡ ଗାଁରେ ୮୦୦ ରୁ ଅଧିକ ଲୋକ ରହୁଛନ୍ତି ହେଲେ ମୌଳିକ ଅଧିକାର ଏପର୍ଯ୍ୟନ୍ତ ଏମାନଙ୍କ ପାଖରେ ପହଞ୍ଚି ନାହିଁ ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ବାରମ୍ବାର କହୁଛନ୍ତି ଡିଜିଟାଲଇଜ୍‌ ହେବା ପାଇଁ । ହେଲେ ବଡ ଦୁଃଖର କଥା ଏ ଗାଁରେ ଏ ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ନାହିଁ କି ପିଇବା ପାଣି ବି ନାହିଁ । ମୋଟ୍‌ ଉପରେ ନାହିଁ ନାହିଁରେ ଚାଲିଛି ବେତଝରଣା ଗାଁ । ଗାଁ ଲୋକଙ୍କ ଅଭିଯୋଗ ଯେ, ନିର୍ବାଚନ ଆସିଲେ ନେତାଏ ଗାଁକୁ ଆସନ୍ତି ଆଉ ମାଟି ମୁଠାଏ ପକାଇ ଦିଅନ୍ତି । ହେଲେ ଆଉ ୫ ବର୍ଷ ପର୍ଯ୍ୟନ୍ତ ଦେଖା ଦିଅନ୍ତିନି । ଆଉ ସମସ୍ୟା ଭୋଗ କରୁଛନ୍ତି ୬ ଖଣ୍ଡ ଗାଁର ଲୋକ । ବାରମ୍ବାର ନେତାଙ୍କ ଏମିତି ଆଚରଣ ପରେ ଗାଁ ଲୋକ ବୁଝିପାରିଥିଲେ କି ନିଜେ ତିଆରି ନକଲେ ଗାଁକୁ ଯାଆସ  କରିହେବନି ।

ସେଥିପାଇଁ ତ କାନ୍ଧରେ କାନ୍ଧ ମିଳାଇ ଏକ ହେଲେ ଗାଁ ଲୋକ । ଖାଲି ଏକ ହେଲେ ତାହା ନୁହେଁ ବରଂ ଏକ କାଠ ପୋଲକୁ ୧୫ ଦିନ ଭିତରେ ତିଆରି ବି କଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ପୋଲରେ ଟିକିଏ ହେଲେ ବି ସିମେଣ୍ଟ ଲାଗିନି । ବରଂ ବଣୁଆ କାଠ ଓ ସିଆଳି ଲଟା ଆଉ କିଛି ତାରରେ ତିଆରି ହୋଇଛି ପୋଲ ।

Advertisment

୨୨ ବର୍ଷ ସ୍ଥିର ସରକାର ପରେ ବି ଯଦି ମୌଳିକ ସୁବିଧା ପାଇପାରିବେନି ଗାଁ ଲୋକେ । ତେବେ ଏ ସରକାର ଥାଇ କି ଲାଭ କଣ ? ସେପଟେ ଏନେଇ ଖବର ପାଇବା ପରେ ବିଡିଓଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପୋଲ ତିଆରି ପାଇଁ ତ୍ୱରିତ ପଦକ୍ଷେପ ନେବେ ବୋଲି କହିଛନ୍ତି ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା ।

(ରିପୋର୍ଟର- ରେଢାଖୋଲରୁ ରମାନନ୍ଦ ମହାନନ୍ଦ)

Special Story Sans Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ