ପାଠ ପଢିବାକୁ ବହୁତ୍ ଇଚ୍ଛା ଥିଲେ ବି ପାଖରେ ଟଙ୍କା ନାହିଁ; ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି,କାନ୍ଦ ଲାଗୁଛି

ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍‌ରେ ଫାଷ୍ଟ କ୍ଲାସ୍‌ ପାଇବା ପରେ ବି କଲେଜ୍‌ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା..

Poverty

ଘର କାମ କରୁଥିଲେ, ତାହା ସହିତ ପାଠ ପଢୁଥିଲେ। ମାଟ୍ରିକ୍‌ ପରୀକ୍ଷାରେ ଭଲ ନମ୍ବର ବି ରଖିଲେ। ଆଶାଥିଲା ସାଙ୍ଗମାନଙ୍କ ସହ କଲେଜ୍‌ ଯିବେ। କିନ୍ତୁ ସବୁ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା ଅଭାବୀ। ପରିବାରର ଆର୍ଥିକ ସ୍ଥିତି ପାଇଁ ପାଠ ପଢାରେ ବନ୍ଧା ହେଲା ଡୋରି। ମନରେ ଏବେ ଗୋଟିଏ ପ୍ରଶ୍ନ ଗରିବ ହେବା ମେଧାବୀ ଛାତ୍ରୀ ପାଇଁ କଣ ଅବିଶାପ?

ନୁଆଁଣିଆ ଚାଳ ଛପର ଘରେ ରହୁଛନ୍ତି ମେଧାବୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ଦେହୁରୀ । ମାଆ, ବାପା ଓ ଦୁଇ ଭାଇ ଭଉଣୀଙ୍କ ସହ ରହୁଛନ୍ତି ଲକ୍ଷ୍ମୀପ୍ରିୟା । ରୋଜଗାର କହିଲେ ମାଆ ମୂଳ ଲାଗି ଯାହା ଆଣନ୍ତି ସେଇଥିରେ ପରିବାର ଚଳେ। ରାତି ପାହିଲେ ମାଆ ପରଘରକୁ ଯାଆନ୍ତି ମୂଲ ଲାଗିବାକୁ। ଆଉ ଲକ୍ଷ୍ମୀପ୍ରିୟା ଉପରେ ପୂରା ପରିବାରର କାମ। ଘରର ସବୁ ପାଇଟି କରିବା ସହ ଛେଳି ବି ଚରେଇବାକୁ ପଡ଼େ। ସାଙ୍ଗମାନେ କଲେଜ୍‌ ଯାଉଥିବା ଦେଖିଲେ ମନରେ କଷ୍ଟ ହୁଏ। ହେଲେ ଆଗକୁ କେମିତି ପଢିବେ ସେନେଇ ମୁଣ୍ଡରେ କିନ୍ତୁ ବୁଦ୍ଧି ପଶେନି।

ପାଠ ପଢାରେ ମେଧାବୀ ଥିବାରୁ ମନରେ ଅନେକ ସ୍ୱପ୍ନ ଥିଲା। ନିଜେ ଭଲ ଚାକିରି କରିବା ସହ ମାନସିକ ରୋଗରେ ଆକ୍ରାନ୍ତ ବାପାଙ୍କ ଚିକିତ୍ସା, ନୂଆଣିଆ ଘର ବଦଳରେ କୋଠା ଘର ଏବଂ ଭାଇଭଉଣୀଙ୍କ ମଣିଷ କରିବା ଭଳି କେତେ ସ୍ୱପ୍ନ ରହିଛି ଲକ୍ଷ୍ମୀପ୍ରିୟାଙ୍କର । ହେଲେ ସେ ସବୁ ଏବେ ପାଣିର ଗାର ହୋଇଯାଇଛି। ଏଇ ବୃନ୍ଦାବତୀ ସାମ୍ନାରେ କେତେ ପ୍ରାର୍ଥନା , କେତେ ମୁଣ୍ଡ ବାଡ଼େଇଲେ ବି ଲକ୍ଷ୍ମୀଙ୍କ ଦୁଃଖ କେହି ଶୁଣୁନାହାନ୍ତି। କେବଳ ଟଙ୍କା ପାଇଁ ଝିଅର ପାଠ ପଢାରେ ଡୋରି ବନ୍ଧା ହୋଇଥିବା ମାଆ କୁନି ଦେହୁରୀ କହିଛନ୍ତି।

 

ସେପଟେ ଝିଅଟି କେମିତି ପାଠ ପଢିବ, ସେନେଇଅ ସହାୟତା ଭିକ୍ଷା କରିଛନ୍ତି ଗାଁ ଲୋକେ। ଏସିଡିପିଓ କହିଛନ୍ତି, ସରକାରୀ ସ୍ତରରେ ଯେଉଁ ସୁବିଧା ରହିଛି ସେସବୁ ଲକ୍ଷ୍ମୀଙ୍କୁ ଯୋଗାଇ ଦିଆଯିବ। ତେବେ ଆପଣମାନେ ଚାହିଁଲେ ଲଷ୍ମୀପ୍ରିୟାଙ୍କୁ ମଧ୍ୟ ସହଯୋଗ କରିପାରିବେ। ତାଙ୍କ ସହ ଯୋଗାଯୋଗର ଠିକଣା ଟିପି ରଖନ୍ତୁ

ଲଷ୍ମୀପ୍ରିୟା ଦେହୁରୀ, ଗ୍ରାମ- ବାଲିସାହି , ପୋଷ୍ଟ- ସାଲେପୁର, ଜିଲ୍ଲା କଟକ, ପିନ-754202, ମୋବାଇଲ ନମ୍ବର-7848045713.... ତେବେ ଲକ୍ଷ୍ମୀପ୍ରିୟାଙ୍କୁ କେବେ ସରକାରୀ ସହାୟତା ମିଳୁଛି, ତାହା ସମୟ କହିବ।