Advertisment

ଦାଦନ ଖଟିବାକୁ ଯାଇ ଜେଲରେ ପଶିଲା ପୁଅ, ଫଟୋ ଧରି ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ

ଭଉଣୀ ବାହାଘରର ଋଣ ଟଙ୍କା ସୁଝିବାକୁ ଦାଦନ ଖଟିବାକୁ ଯାଇଥିଲା ପୁଅ। ଭିସା ସରିଯିବାରୁ ଗିରଫ ହୋଇ ଏବେ ଜେଲରେ ପଶିଲା ଭେଣ୍ଡିଆ ପୁଅ। ଖାଇବା ପିଇବାକୁ ନପାଇବାରୁ କରୁଛନ୍ତି ଭିକ୍ଷାବୃତ୍ତି । ପୁଅ ଫେରିବା ବାଟକୁ ଚାହିଁ ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ । ହାତଯୋଡ଼ି ନେହୁରା ହେଉଛି ବାପା ।

ଅଦ୍ୟତନ ହୋଇଛି
 Odisha labourer

Odisha labourer

Advertisment

ପୁଅର ଫଟୋକୁ ଧରୁଛି, ଆଉ ରାହା ଛାଡ଼ି କାନ୍ଦୁଛି। ମନର କୋହକୁ ଆଉ ସମ୍ଭାଳି ପାରୁନି। ସମ୍ଭାଳିବ ବା କେମିତି? ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଏ ପୃଥିବୀର ଆଲୋକ ଦେଖାଇଥିଲା । ନିଜ ଛାତି ଚିରି କ୍ଷୀର ଖୁଆଇ ମଣିଷ କରିଥିଲା ସେ ଏବେ ବିପଦରେ ପଡ଼ିଛି । ଯାହାକୁ ଟିକିଏ କଷ୍ଟ ନହେଉ ବୋଲି ନିଜ ପଣତକାନିକୁ ତା ମୁଣ୍ଡରେ ଢାଙ୍କି ଦେଉଥିଲା ସିଏ ଆଜି ବିଦେଶର ମାଆର ପଣତ କାନିର ଛାଇ ଖୋଜୁଛି । କିନ୍ତୁ ମିଳୁଛି ଦୁଃଖ ଓ ଯନ୍ତ୍ରଣା । ଆଉ ଏହାକୁ କେମିତି ବା ସହ୍ୟ କରିପାରିବ ଜନ୍ମଦାତ୍ରୀ?

Advertisment

ପରିବାର ଚଳାଇବା ପାଇଁ ଦାଦନ ଯାଇଥିଲା ପୁଅ । ମାଆ-ବାପାଙ୍କୁ ଟଙ୍କା ବି ପଠାଉଥିଲା। ଆଉ ଖୁସିରେ ଚଳୁଥିଲା ପରିବାର। ହେଲେ ଦୈବର ବରାଦ କିଛି ଅଲଗା ଥିଲା ବୋଧହୁଏ। ଜୋର୍ଡାନରେ ଭିସାର ଅବଧି ସରିଯିବାରୁ ଅକଥନୀୟ ନିର୍ଯାତିତ ହେଉଛନ୍ତି ଗଂଜାମ ଖଲ୍ଲିକୋଟ ମହେଶ୍ୱରପୁରର ସୁରେଶ ପ୍ରଧାନ। ପାଖରେ ଭିସା ନଥିବା କାରଣରୁ ପୋଲିସ ତାଙ୍କୁ ଗିରଫ କରି ଜେଲରେ ପୂରାଇ ଦେଇଛି। ଆଉ ୧୧ ମାସ ହେଲାଣି ଏମିତି ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି ସୁରେଶ।

୫ ବର୍ଷ ତଳେ ଉଭଣୀର ବାହାଘର ଋଣ ସୁଝିବା ପାଇଁ ବିଦେଶ ଯାଇଥିଲେ । ପ୍ରଥମେ ପ୍ରଥମେ ନିୟମିତ ଟଙ୍କା ବି ପଠାଉଥିଲେ। ହେଲେ ବର୍ଷେ ହେବ ତାଙ୍କର କୌଣସି ଖୋଜ୍‌ଖବର ନଥିଲା କି ଫୋନ୍‌ କଲ୍‌ ବି ନଥିଲା। ବହୁତ ଚେଷ୍ଟା ପରେ ପରିବାର ଲୋକେ ଜାଣିଥିଲେ କି ପୁଅ ଜେଲରେ ବନ୍ଦୀ ଅଛି। ଆଉ ତାକୁ ମୁକୁଳାଇବାକୁ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି ପୂରା ପରିବାର।

Advertisment

ପୁଅ ଜେଲରେ ବନ୍ଦୀ ଥିବାରୁ ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି କି ପେଟକୁ ଦାନା ବି ଯାଉନି। କେମିତି ପୁଅ ଫେରିବ ସେନେଇ ଦିନରାତି ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି । ଆଉ ବିଶ୍ୱାସ ରଖିଛନ୍ତି ପୁଅ ନିଶ୍ଚିତ ଫେରିବ ।

କତାରରେ ପୁଅ ଫସିଛି, ଆଉ ଉଦ୍ଧାର ପାଇଁ ମାଆ ମୁଣ୍ଡ ବାଡ଼େଇ କାନ୍ଦୁଛି । ଶ୍ୟାମସୁନ୍ଦରପୁର ଗ୍ରାମର ଯୁବକ ବିଷ୍ଣୁପ୍ରସାଦ ଡାକୁଆ କତାରରେ ଭିସା ଅବଧି ସରିଯିବାରୁ ଭୟଙ୍କର ନିର୍ଯାତନାର ଶିକାର ହୋଇଛନ୍ତି ବିଷ୍ଣୁ। ଏମିତିକି ଭିସା ପାଇଁ ପୋଲିସ ତାଙ୍କୁ ଜେଲରେ ପୂରାଇ ଦେଇଥିଲା। ଆଉ କାମ ନମିଳିବାରୁ କତାରରେ ଭିକ ମାଗୁଛନ୍ତି ବିଷ୍ଣୁ। ଯାହାକୁ ଜାଣିବା ପରେ ପରିବାର ପାଦତଳୁ ମାଟି ଖସିଯାଇଛି। ଯିଏ ପରିବାର ଚଳାଇବା ପାଇଁ ବିଦେଶ ଯାଇଥିଲା ସିଏ ଏବେ ଜେଲରେ। କେମିତି ସେ ମୁକୁଳିବ ସେଇ ଚିନ୍ତାରେ ଏବେ ପୂରା ପରିବାର।

Advertisment

ପୁଅକୁ ଫେରାଇ ଆଣିବା ପାଇଁ ଗଂଜାମ ଜିଲ୍ଲାପାଳ ,ଗଂଜାମ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ପରିବାର ଜଣାଇଛନ୍ତି । ଆଉ ଅପେକ୍ଷା କରି ରହିଛନ୍ତି, କେବେ ସେମାନଙ୍କ ପାଖକୁ ଫେରି ଆସିବ ପୁଅ ।

ରିପୋର୍ଟର- ସିଲୁ ବିଶ୍ୱାଳ

Odisha Labourer Special Story Qatar Jordan Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ