Advertisment

ଆଉ କେବେ ମିଳିବ ହରମାଉସୀକୁ ସହାୟତା? ଘରର କାନ୍ଥ ଉଠିଲା ହେଲେ ଛାତ ପଡ଼ିପାରିଲାନି..

୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...ଛୋଟିଆ ଦୋକାନରୁ ଯେତିକି ଲାଭ ହେଉଛି ସେତିକିରେ ପରିବାର ଚଳାଉଛନ୍ତି ହର.

ଅଦ୍ୟତନ ହୋଇଛି
Hara Mausi

Hara Mausi

Advertisment

ବାଲେଶ୍ୱର ଜିଲ୍ଲା ହର ମାଉସୀ ନାଁଟି ଭାରି ଜଣା ଶୁଣା । ଏବେ ବୟସ ପାଖାପାଖି ୯୦ ଡେଇଁଲାଣି କିନ୍ତୁ ସରକାରୀ ସହାୟତା ତାଙ୍କ ପାଇଁ ସାତସପନ । ପରିଣତ ବୟସରେ ବି ସେ ହାର ମାନିନାହାନ୍ତି ବରଂ ନିଜେ ଦେଇଥିବା ଏକ ଛୋଟିଆ ଦୋକାନରୁ ଯାହା ଯେମିତି ରୋଜଗାର କରୁଛନ୍ତି, ସେତିକିରେ ନିଜେ ଚଳିବା ସହ ପରିବାର ଚଳାଉଛନ୍ତି ।

Advertisment

ନିର୍ବାଚନ ସମୟରେ ହରମାଉସୀଙ୍କ ଦୁଃଖର ଖବର ଓଟିଭିରେ ପ୍ରସାରଣ କରାଯାଇଥିଲା । ବାସ୍‌ ଖବର ବାଜିବା ପରେ ତାଙ୍କ ପାଖକୁ ନେତାଙ୍କ ସୁଅ ଛୁଟିଥିଲା । ଦିଆଯାଇଥିଲା ଶହଶହ ପ୍ରତିଶ୍ରୁତି । ହେଲେ ପ୍ରତିଶ୍ରୁତି ହେଲା ପାଣିର ଗାର । ଏ ପର୍ଯ୍ୟନ୍ତ ହରମାଉସୀ ପାଇନାହାନ୍ତି ସହାୟତା । ୫୦ ବର୍ଷ ତଳୁ ସ୍ୱାମୀ ଆରପାରିକୁ ଗଲେଣି । ସ୍ୱାମୀଙ୍କ ଅବର୍ତ୍ତମାନରେ ପରିବାର ଚଳାଇବାକୁ ଅଂଟା ଭିଡିଥିଲେ ହର ମାଉସୀ । ବଡ ପୁଅ କିଡନୀ ରୋଗରେ ପଡିଛି । ଆଉ ଦୁଇ ପୁଅ ଫୁଲଦୋକାନ ସହ ସିକ୍ୟୁରିଟି ଗାର୍ଡ କାମ କରି ଚଳନ୍ତି । ବଡ ପୁଅକୁ ରୋଗଗ୍ରାସ କରିବା ପରେ ରୋଜଗାର କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନି । ସେଇଥି ଲାଗି ତାଙ୍କ ଦାୟିତ୍ୱ ବି ହରମାଉସୀ ନିଅନ୍ତି ।

ଏହି ଛୋଟିଆ ଦୋକାନରୁ ଯାହା ଯେତିକି ରୋଜଗାର ହୁଏ, ସେତିକିରେ ନିଜେ ଟିକିଏ କ୍ଷୀର କିଣି ଖାଇବା ସହ ପୁଅକୁ ଦିଅନ୍ତି ହରମାଉସୀ । ପରିବାର ବଢିବା ପରେ ଘରେ ଆଉ ଜାଗା ହେଲାନି । ସେଥିପାଇଁ ପାଲଟିଏ ଟାଙ୍ଗି ରହୁଥିଲେ ହର । ହେଲେ ସରକାରୀ ଘର ଦେବା ପାଇଁ ବିଧାୟକ କହିବା ପରେ ଘର ନିର୍ମାଣ ହେଲା ସତ କିନ୍ତୁ ଛାତ ପଡିଲାନି । ଯେଉଁଥି ପାଇଁ ଏ ବର୍ଷା ଦିନରେ ବି ବାରଦୁଆର ସୁଣ୍ଡି ପିଣ୍ଡା ହେଉଛନ୍ତି ହର ।

Advertisment

ଗୋଟିଏ ପଟେ ବୟସର ଅପରାହ୍ନରେ ପହଞ୍ଚିବା ପରେ କିଛି ସାହାଯ୍ୟ ନମିଳିବାର ଦୁଃଖ, ଅନ୍ୟପଟେ ପରିବାରର ବୋଝ ଭିତରେ ଘାଂଟି ହେଉଛନ୍ତି ହର। ଦେଖାଣିଆ ପ୍ରତିଶ୍ରୁତି ଦେଇ ହରଙ୍କୁ ବିଧାୟକ କୁଆଡେ ଠକି ଦେଇଥିବା ନେଇ କୁହାକୁହି ହେଲେଣି ଲୋକେ । ଏଠାରେ ପ୍ରଶ୍ନ ଉଠୁଛି କି ଯଦି ଘର ଖଣ୍ଡିଏ ଦେବାର ନଥିଲା ତେବେ ପ୍ରତିଶ୍ରୁତି ଦେଉଥିଲେ କାହିଁକି ? ୯୦ ବର୍ଷ ବୟସରେ ସରକାରୀ ସହାୟତା ନମିଳିବା କେତେ ଦୂର ଠିକ୍‌ ? ହର ମାଉସୀଙ୍କୁ ଆଉ କେବେ ମିଳିବ ସହାୟତା ? ତେବେ ବିଧାୟକ ମହାଶୟ ଘରର ଛାତ ତୁରନ୍ତ ପକାଇବାର ବ୍ୟବସ୍ଥା କରି ହର ମାଉସୀଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି ଗାଁ ଲୋକ ।

ସେପଟେ ସ୍ଥାନୀୟ ବିଧାୟକ ସ୍ୱରୂପ ଦାସ କହିଛନ୍ତି ମାଉସୀଙ୍କ ଘର ସମ୍ପର୍କରେ ଆମେ ଅବଗତ ଅଛୁ। ଖୁବଶୀଘ୍ର ଘର ନିର୍ମାଣ ଶେଷ ହେବ ।

Advertisment

(ରିପୋର୍ଟ- ରଶ୍ମିରଂଜନ ଦାସ, ବାଲେଶ୍ୱର)

Special Story Balasore’s Nonagenarian Hara Mausi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ